ଓଡ଼ିଶାକୁ ଋଣ ଯନ୍ତାକୁ ଠେଲିଦେବ ଏମ୍ଏମ୍ଡିଆର୍ ଆଇନ୍’
ଭୁବନେଶ୍ୱର,୨୫/୦୮(ଜେଏନ୍ଏସ୍) : ସଂସଦରେ ପାରିତ ସଂଶୋଧିତ ଖଣି ଓ ଖଣିଜ ବିକାଶ ଆଇନ୍ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଉପରୁ ରାଜ୍ୟର ଅଧିକାର ହ୍ରାସ ପାଇବା ସହ ରାଜ୍ୟ ଗୁରୁତର ଆର୍ଥିକ ସଙ୍କଟ ଆଡ଼କୁ ଠେଲି ହୋଇଯିବ। ଏହି ଆଇନ୍ ଫଳରେ ଓଡ଼ିଶା ଲକ୍ଷାଧିକ କୋଟି ଟଙ୍କା ହରାଇବା ସହ ବାର୍ଷିକ ପ୍ରାୟ ୨୭ ହଜାର କୋଟି ଟଙ୍କାର କ୍ଷତି ସହିବ ବୋଲି ବୁଦ୍ଧିଜୀବୀ ଓ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।
ଶୁକ୍ରବାର ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡେମୀଠାରେ ‘ଓଡ଼ିଆ ଅସ୍ମିତା ପରିଷଦ’ ଓ ‘କ୍ରାନ୍ତି ସେନା’ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଏହି ଆଇନକୁ ତୀବ୍ର ବିରୋଧ କରାଯାଇଛି।

ଏହି ସମ୍ମିଳନୀରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ (ଆଇଏଏସ)ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଥିଲେ ଯେ, ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ୍ ଖଣି ବହୁଳ ଓଡ଼ିଶାର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବେ ପଙ୍ଗୁ କରିଦେବ। ରାଜ୍ୟ ରାଜସ୍ୱ ହରାଇବା ଫଳରେ ଅନେକ ଜନମଙ୍ଗଳକାରୀ ଯୋଜନା ବାଧାପ୍ରାପ୍ତ ହେବ। ଏହାସହ ଖଣି ଅଞ୍ଚଳରେ ରହୁଥିବା ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଯୁବକ-ଯୁବତୀମାନେ ନିଜର ରୋଜଗାର ହରାଇବେ। ଫଳରେ ରାଜ୍ୟର ‘ଜେନ୍-ଜୀ’ ବା ବର୍ତ୍ତମାନର ଯୁବପିଢ଼ି ରୋଜଗାର ପାଇଁ ସୁଦୂର ତାମିଲନାଡୁ, ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଓ ଦିଲ୍ଲୀ ଭଳି ସହରକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେବେ। ରାଜ୍ୟର ସ୍ୱାର୍ଥ ଓ ଭବିଷ୍ୟତ ସୁରକ୍ଷା ପାଇଁ ସବୁ ରାଜନୈତିକ ମତବାଦର ଊର୍ଦ୍ଧ୍ୱକୁ ଉଠି ସଂଗ୍ରାମ କରିବାକୁ ସେ ନିବେଦନ କରିଛନ୍ତି।

ଏହି ଆଲୋଚନା ଚକ୍ରରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ବିଗିଡ଼ିବା ନେଇ ଚିନ୍ତା ପ୍ରକଟ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସିପିଏମ୍ ନେତା ଜମ୍ବେଶ୍ବର ସାମନ୍ତରାୟ, ଆପ୍ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର, ସିପିଆଇ (ଏମ୍-ଏଲ୍) ନେତା ମହେନ୍ଦ୍ର ପରିଡ଼ା, ଏନ୍ସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର,ସମତା କ୍ରାନ୍ତିର ପ୍ରଭାସ ସାମନ୍ତରାୟ,ରାଜ୍ୟ ନେତା ହେମନ୍ତ କୁମାର,ଛାତ୍ରସଂଘ ନେତ୍ରୀ ସଂଘମିତ୍ରା ଜେନା ଓ କ୍ରାନ୍ତି ସେନାର ଆବାହକ ପାର୍ଥସାରଥୀ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ସଭା ପ୍ରାରମ୍ଭରୁ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ମୃତ୍ୟୁରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥÒଲା ା
ଆଗାମୀ ଦିନରେ ଏହି ଆଇନ୍ ବିରୋଧରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ଏବଂ ପ୍ରତିବାଦ ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
