ପୂର୍ବ ସଂଖ୍ୟାରେ ମୁଁ କହି ରଖିଛି ଯେ, ନୂଆ ଓଡ଼ିଶା ଗଢ଼ିବା ପାଇଁ ହେଲେ ପ୍ରଥମେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ। ଏଥିପାଇଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ହେବ । ଏହାର ପ୍ରଥମ କାର୍ଯ୍ୟକ୍ରମ ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରିବା ଉଚିତ କାରଣ କ୍ଷମତାର ଉତ୍ସ ଯେଉଁଠି ଦୁର୍ନୀତିର ଉତ୍ସ ମଧ୍ୟ ସେଇଠି । ଯଦି ଆମେ ଓଡ଼ିଶା ଗଠନ ପାଇଁ ଏକ ଗଣ ଆନ୍ଦୋଳନ କଥା ଚିନ୍ତା କରୁଛେ, ତେବେ ସରକାରୀ କର୍ମଚାରୀମାନଙ୍କୁ ସେଥିରୁ ବାଦ୍ ଦେବା ଉଚିତ ନୁହେଁ । କାରଣ ସବୁ କର୍ମଚାରୀ ଦୁର୍ନୀତିଗ୍ରସ୍ତ ନୁହନ୍ତି । ଚାକିରିରେ ପ୍ରବେଶ କରିବାର ଦ୍ବାରଦେଶରେ ଯଦି ଜଣେ କର୍ମଚାରୀଙ୍କୁ ତାଙ୍କର ଆଭିମୁଖ୍ୟ ବିଷୟରେ ପଚରା ଯାଏ, ତେବେ ସେ କହିବେ ଯେ, ସେ ସମାଜ ପାଇଁ, ଦେଶ ପାଇଁ କାମ କରିବାକୁ ଆସିଛନ୍ତି । କିନ୍ତୁ ଚାକିରିରେ ଯୋଗ ଦେବାର ଅଳ୍ପ ଦିନ ମଧ୍ୟରେ ସେଇ ଉଚ୍ଛ୍ବାସ ଉଭେଇ ଯାଏ । କୁହାଯାଏ ଏହି ପରିବର୍ତ୍ତନର କାରଣ ହେଉଛି ‘ସିଷ୍ଟମ’ । ‘ସିଷ୍ଟମ’ ସେମାନଙ୍କୁ ଦୁର୍ନୀତିମୁକ୍ତ ରହିବାକୁ ଦିଏ ନାହିଁ। ଏହା ଏକ ଅର୍ଦ୍ଧସତ୍ୟ। ଜଣେ ବ୍ୟକ୍ତି ନିଷ୍କଳଙ୍କ ରହିବାକୁ ଚାହିଁଲେ ତାଙ୍କୁ କେହି କଳଙ୍କିତ ହେବା ପାଇଁ ବାଧ୍ୟ କରି ପାରିବ ନାହିଁ । କିନ୍ତୁ ସେ ଯଦି ଏକୁଟିଆ ହୋଇଯାଏ ତେବେ ‘ସିଷ୍ଟମ’ ତାଙ୍କୁ ଗ୍ରାସ କରି ଦେଇ ପାରେ । ତେଣୁ ସାମୁହିକ ଭାବରେ ଯୁବ କର୍ମଚାରୀମାନେ, ଯୁବ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ ନୂଆ ଓଡ଼ିଶା ଗଢ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ। ସେଥିପାଇଁ ସମାଜ ସେମାନଙ୍କୁ ସାବାସି ଦେବା ଉଚିତ। ସେମାନଙ୍କର ନିଷ୍କଳଙ୍କ ସେବା ପାଇଁ ସେମାନଙ୍କୁ ପ୍ରଶଂସା କରିବା ଉଚିତ । ଏହା ହିଁ ହେଉଛି ଦୁର୍ନୀତି ବିରୁଦ୍ଧରେ ଗଣ ଆନ୍ଦୋଳନ । ‘ଜନ ଜାଗରଣ’ ଏହି ଆନ୍ଦୋଳନକୁ ଆଗେଇ ନେବ ।
ଏହା ସଙ୍ଗେ ସଙ୍ଗେ ଯେଉଁମାନେ ଦୁର୍ନୀତିଗ୍ରସ୍ତ, ସେମାନଙ୍କୁ ଚିହ୍ନଟ କରି ନିନ୍ଦିତ କରିବା ଉଚିତ । ଆଜି ପ୍ରତ୍ୟେକ ଦିନ କୌଣସି ନା କୌଣସି କର୍ମଚାରୀଙ୍କ ବିଷୟରେ ଖବର ପ୍ରକାଶିତ ହେଉଛି ତାଙ୍କର କଳା ସାମ୍ରାଜ୍ୟକୁ ନେଇ । କୋଟି କୋଟି ନଗଦ ଟଙ୍କାର ପାହାଡ଼, କିଲୋ କିଲୋ ଅଳଙ୍କାର, ୨୦-୩୦ ପ୍ଲଟ, ଦଶଟିରୁ ଉର୍ଦ୍ଧ୍ବ କୋଠା – ଏ ସମସ୍ତ ସମ୍ପତ୍ତି ରାତାରାତି ଠୁଳ ହେବା ସମ୍ଭବ ନୁହେଁ । ସେ ଯେତେବେଳେ ଏ ସମସ୍ତ ସଂଗ୍ରହ କରୁ ଥିଲେ ସେତେବେଳେ ଦୁର୍ନୀତି ବିରୋଧୀ ସଂସ୍ଥାଗୁଡ଼ିକ କରୁଥିଲେ କ’ଣ ? ତାଙ୍କର ଉପରିସ୍ଥ କର୍ମଚାରୀମାନେ କରୁଥିଲେ କ’ଣ ? ତାଙ୍କର ପରିବାରବର୍ଗ କରୁଥିଲେ କ’ଣ ? ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ । ସେମାନଙ୍କୁ ଚିହ୍ନଟ କରିବ କିଏ ?
ଯେଉଁ ଯୁବକମାନେ ସରକାର ବାହାରେ ଅଛନ୍ତି ସେମାନେ ଏହି ଦାୟିତ୍ବ ନେବା ଉଚିତ। ଲକ୍ଷ୍ୟ କରାଯାଇଛି ଯେ, ଯେଉଁ ସଂସ୍ଥା ବା ଅନୁଷ୍ଠାନ ସେମାନଙ୍କୁ ଚିହ୍ନଟ କରିବା କଥା ସେମାନେ ନିଶ୍ଚିତ ଭାବରେ ସେମାନଙ୍କୁ ଚିହ୍ନଟ କରନ୍ତି, କିନ୍ତୁ ସେମାନଙ୍କଠାରୁ ନିଜର ‘ପ୍ରାପ୍ୟ’ ନେଇ ମୁହଁ ବୁଲାଇ ଦିଅନ୍ତି । ଜନସାଧାରଣ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ପରିବର୍ତ୍ତେ ତାକୁ ମୁଣ୍ଡପାତି ଗ୍ରହଣ କରି ନିଅନ୍ତି । କାହାକୁ ସେମାନେ ଗୁହାରି କରିବେ ? ଅଫିସକୁ ଦଉଡ଼ି ଦଉଡ଼ି ଖର୍ଚ୍ଚାନ୍ତ ହେବା ଅପେକ୍ଷ। କିଛି ଦେଇ କାମ କରେଇ ନେବା ଶ୍ରେୟସ୍କର । ଅବସ୍ଥା ଏଭଳି ହେଲାଣି ଯେ, ପଇସା ନେଇ ଯେଉଁ ଅଫିସରମାନେ କାମ କରି ଦେଉଛନ୍ତି ଲୋକେ ସେମାନଙ୍କୁ ‘ସଚ୍ଚୋଟ’ କହିବାକୁ ଲାଗିଲେଣି । ତେଣୁ ସଚ୍ଚୋଟ କର୍ମଚାରୀଙ୍କୁ ଚିହ୍ନଟ କରିବା ସଙ୍ଗେ ସଙ୍ଗେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଚିହ୍ନଟ କରି ନିନ୍ଦିତ କରିବା ଉଚିତ । ଏହା ଜଣେ ବ୍ୟକ୍ତି ଦ୍ବାରା ସମ୍ଭବ ନୁହେଁ । ସେଥିପାଇଁ ଆବଶ୍ୟକ ଏକ ଗଣ ଆନ୍ଦୋଳନ, ଯୁବପିଢ଼ିର ଆନ୍ଦୋଳନ ।
ଯଦିଓ ସରକାର ଦୁର୍ନୀତି ରୋକିବା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ, ଦୁର୍ନୀତି ରାକ୍ଷସକୁ କେବଳ କେତେକ ଯୁବ କର୍ମଚାରୀ ପରାସ୍ତ କରିପାରିବେ ନାହିଁ । ସମାଜକୁ ମଧ୍ୟ ଏଥିପାଇଁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ହେବ । ଏହାର ଶୁଭାରମ୍ଭ ନିର୍ବାଚନରୁ ହିଁ ହେବା ଉଚିତ । ଟଙ୍କା ବିନିମୟରେ ଭୋଟ ସଂଗ୍ରହ କରିବା ଏକ ବ୍ୟାଧିରେ ପରିଣତ ହୋଇ ଗଲାଣି । ଦଳମାନଙ୍କ ମଧ୍ୟରେ ଏକ ଅଘୋଷିତ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି ନିର୍ବାଚନରେ ଟଙ୍କା ଦେବା ପାଇଁ । ଜଣେ ଯଦି ଭୋଟ ପିଛା ୫୦୦ ଟଙ୍କା ଦିଏ, ଆଉ ଜଣେ ୧୦୦୦ ଟଙ୍କା ଦେଉଛି। ଗୋଟିଏ ନିର୍ବାଚନରେ ୧୦୦୦ ଟଙ୍କା ଦିଆ ଯାଉଥିବା ବେଳେ ପରବର୍ତ୍ତୀ ନିର୍ବାଚନରେ ତାହା ୧୫୦୦ ଟଙ୍କାକୁ ବୃଦ୍ଧି ପାଉଛି । ସତେ ଯେପରି ଭୋଟରଙ୍କୁ ମହଙ୍ଗା ଭତ୍ତା ଦିଆଯାଉଛି । ଯେଉଁ ବ୍ୟକ୍ତି ଟଙ୍କା ଦେଇ ଭୋଟ କିଣିଛି ସେ ଲୋକଙ୍କ ସମସ୍ୟା ସହିତ ରହିବ କାହିଁକି ? ପୁଣି, ସେ ଟଙ୍କା ଭରଣା କରିବାକୁ ଅସତ ଉପାୟ ଗ୍ରହଣ କରିବାକୁ ବାଧ୍ୟ । ଯେଉଁମାନଙ୍କଠାରୁ ସେ ଏହି ଅର୍ଥ ସଂଗ୍ରହ କରିଥିବ ସେମାନଙ୍କୁ ଅସତ ଉପାୟରେ ସାହାଯ୍ୟ କରିବାକୁ ବାଧ୍ୟ । ବିଭିନ୍ନ କାମରୁ ପିସି ନେବାକୁ ବାଧ୍ୟ ।
କିନ୍ତୁ ପନ୍ଦର ବର୍ଷ ପୂର୍ବେ ଏହାର ଏତେଟା ପ୍ରାଦୁର୍ଭାବ ନ ଥିଲା । ଲୋକେ ପ୍ରାର୍ଥୀଙ୍କର ବ୍ୟକ୍ତିତ୍ବ ଦେଖି ଭୋଟ ଦେଉଥିଲେ, ସମ୍ପତ୍ତି ଯୋଗୁଁ ନୁହେଁ । କିନ୍ତୁ ଏହାର ପରିବର୍ତ୍ତନ ହେଲା ଯେତେବେଳେ ରାଜନୈତିକ ଦଳମାନେ ଭଲ ଲୋକଙ୍କୁ ଆଉ ଟିକେଟ ଦେଲେ ନାହିଁ । କାରଣ ଯେଉଁମାନେ ନିଜ ସୁଖ୍ୟାତି ବଳରେ ନିର୍ବାଚିତ ହୋଇଛନ୍ତି ସେମାନେ ହାଇ କମାଣ୍ଡର ନିର୍ଦ୍ଦେଶ ସବୁବେଳେ ମାନି ନ ପାରନ୍ତି । ତେଣୁ ହାଇ କମାଣ୍ଡ ଖୋଜନ୍ତି ବୋଲକରାମାନଙ୍କୁ ଯେଉଁମାନେ ସମ୍ପୂର୍ଣ୍ଣ ଭାବରେ ଦଳ ଉପରେ ନିର୍ଭରଶୀଳ। ଏଭଳି ବି ଶୁଣା ଯାଇଛି ଯେ, ଦଳ ମୁଖିଆମାନେ ଗର୍ବ କରି କହନ୍ତି ଯେ, ସେମାନେ ଚାହିଁଲେ ଗୋଟିଏ ବତିଖୁଣ୍ଟକୁ ବିଧାୟକ ଭାବରେ ନିର୍ବାଚିତ କରାଇ ଦେଇ ପାରିବେ । ଏହି ଦମ୍ଭୋକ୍ତିର ମୂଳରେ ରହିଛି ସେମାନଙ୍କର ଅର୍ଥବଳ ଯାହାକୁ ବ୍ୟବହାର କରି ସେମାନେ ବାହୁବଳୀମାନଙ୍କୁ ନିୟୋଜିତ କରିପାରିବେ, ଭୋଟରମାନଙ୍କୁ କିଣି ଦେଇ ପାରିବେ, ବଡ଼ ବଡ଼ ରାଲି କରି ପାରିବେ, ଯେ କୌଣସି ଅନୈତିକ କାର୍ଯ୍ୟ କରିପାରିବେ, କେବଳ ନିର୍ବାଚନରେ ବିଜୟୀ ହେବା ପାଇଁ। ଏ ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଆବଶ୍ୟକ । ଗୋଟିକ ପରେ ଗୋଟିଏ ବୁଥରେ ଯଦି ଜନମତ ସୃଷ୍ଟି କରାଯାଏ ଯେ ତାହା ପ୍ରଲୋଭନମୁକ୍ତ ହେଲା, ଉକ୍ତ ବୁଥର ଭୋଟରମାନେ ନିଷ୍ପତ୍ତି ନିଅନ୍ତି ଯେ ସେମାନେ ନୋଟ ନେଇ ଭୋଟ ଦେବେ ନାହିଁ, ତେବେ ନିଶ୍ଚିତ ଭାବରେ ତାହା ଏକ ଅଭିଯାନରେ ପରିଣତ ହେବ। ତାହାର ନେତୃତ୍ବ ନେବେ ଯୁବ ସମ୍ପ୍ରଦାୟ । ତାହା ହିଁ ହେବ ଏକ ଗଣ ଆନ୍ଦୋଳନ ।
ଯୁବପିଢ଼ି ନିକଟରେ ଆଉ ଏକ କର୍ତ୍ତବ୍ୟ ରହିଛି । ତାହା ହେଉଛି ଗାଁର ସବୁଠାରୁ ଗରିବ ଓ ଅବହେଳିତ ବ୍ୟକ୍ତିମାନଙ୍କୁ ନ୍ୟାୟ ଦିଆଇବା । ରାଜନୈତିକ ଦଳମାନଙ୍କର କୁପ୍ରଭାବରେ ଗାଁଗୁଡ଼ିକ ଏଭଳି ଭାବରେ ବାଣ୍ଟି ହୋଇଯାଇଛନ୍ତି ଯେ, ବିନା ଦଳୀୟ ଭିତ୍ତିରେ ଜଣେ ସାଧାରଣ ବ୍ୟକ୍ତି ବିଭିନ୍ନ ଯୋଜନାରେ ଥିବା ସରକାରୀ ସୁବିଧା ପାଇ ପାରିବ ନାହିଁ । ଆବାସ ଯୋଜନା ହେଉ ବା କାର୍ଡ, ଭତ୍ତା ହେଉ ବା ପଟ୍ଟା– ସବୁଠାରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଉପେକ୍ଷା କରାଯିବାର ଅନେକ ନଜିର ରହିଛି। ସେମାନଙ୍କୁ ନ୍ୟାୟ ଦେବ କିଏ ? କେବଳ ଯୋଜନାର ସାହାଯ୍ୟ ନୁହେଁ, ଅସମୟରେ ସେମାନଙ୍କ ନିକଟରେ ଛିଡ଼ା ହେବା ପାଇଁ ସଚ୍ଚୋଟ ବ୍ୟକ୍ତି ସହଜରେ ମିଳନ୍ତି ନାହିଁ । ଥାନା ହେଉ ବା ଡାକ୍ତରଖାନା, ତହସିଲ ଅଫିସ ହେଉ ବା ବ୍ଲକ ଅଫିସ – ସବୁଠାରେ ଜଣେ ଭଲ ମଣିଷର ଆବଶ୍ୟକତା ଅଛି, ଯିଏ କି ଶିକ୍ଷିତ ହୋଇଥିବ ଓ ନ୍ୟାୟ ଦେବାରେ ବିଶ୍ବାସ ରଖୁଥିବ ।
ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବପିଢ଼ିର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତାହା ହେଉଛି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ସକ୍ରିୟ କରିବା । ଅନେକ ବ୍ୟକ୍ତି ଭାବନ୍ତି ଯେ, ଗଣତନ୍ତ୍ର କହିଲେ ନିର୍ବାଚନ । ନିର୍ବାଚନ ମହୋତ୍ସବ ସରିଯିବା ପରେ ଲୋକେ ନିଜ ନିଜ କାମରେ ଲାଗି ଯାଆନ୍ତି । ପୁଣି ପାଞ୍ଚ ବର୍ଷ ପରେ ଆରମ୍ଭ ହୋଇଯାଏ ନିର୍ବାଚନୀ ପ୍ରକ୍ରିୟା। ତାହା ହେଲେ ଗଣତନ୍ତ୍ର କ’ଣ ଏକ ପଞ୍ଚବାର୍ଷିକ ମେଳା ? ଦାର୍ଶନିକମାନେ କହିଛନ୍ତି ଯେ, ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ପ୍ରତ୍ୟେକ ଦିନ ଏହା ଉପରେ ନଜର ରଖିବାକୁ ହେବ । ଗଣତନ୍ତ୍ରର ମୂଳମନ୍ତ୍ର ହେଉଛି ସ୍ବାୟତ୍ତ ଶାସନ। ଲୋକେ ପ୍ରତିଦିନ ଯେଭଳି ଶାସନ ପ୍ରକ୍ରିୟାରେ ଭାଗ ନେଇ ପାରିବେ, ଶାସନକଳକୁ ଉତ୍ତରଦାୟୀ କରିପାରିବେ ସେଥିପାଇଁ କେତେକ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ଗଢ଼ା ଯାଇଛି । ବିଧାନସଭା ତନ୍ମଧ୍ୟରୁ ମାତ୍ର ଗୋଟିଏ ଅନୁଷ୍ଠାନ । ଅନ୍ୟ ଅନୁଷ୍ଠାନଗୁଡ଼ିକ ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ ହେଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା। ଏହି ବ୍ୟବସ୍ଥା ଦ୍ବାରା ତୃଣମୂଳସ୍ତରରେ ସରକାରୀ ବିଭାଗମାନଙ୍କ ଉପରେ ନଜର ରଖାଯାଇ ପାରିବ । ଏଥି ପାଇଁ ବିଧିବଦ୍ଧ ସରକାରୀ ବ୍ୟବସ୍ଥା ରହିଛି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପଶୁପାଳନ ଆଦି ଅନେକ ବିଭାଗର ତୃଣମୂଳସ୍ତରୀୟ କର୍ମଚାରୀମାନେ ଜନସାଧାରଣଙ୍କୁ ଗ୍ରାମସଭା ମାଧ୍ୟମରେ ତାଙ୍କର କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇବାର ବ୍ୟବସ୍ଥା ରହିଛି । କିନ୍ତୁ ଅନେକ ସ୍ଥାନରେ, ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ, ଗ୍ରାମସଭାଗୁଡ଼ିକ କେବଳ ଏକ ଔପଚାରିକ ବ୍ୟବସ୍ଥାରେ ପରିଣତ ହୋଇଯାଇଛି। ଏଗୁଡ଼ିକୁ ସକ୍ରିୟ କରିବାର ଗୁରୁ ଦାୟିତ୍ବ ହେଉଛି ଯୁବପିଢ଼ିର। କେବଳ ଗ୍ରାମସଭା ନୁହେଁ, ସ୍କୁଲ ପରିଚାଳନା କମିଟି ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ, ପରିବେଶ ସୁରକ୍ଷାରୁ ଆରମ୍ଭ କରି ଗ୍ରାମ ନ୍ୟାୟାଳୟ ପର୍ଯ୍ୟନ୍ତ ସବୁଠାରେ ଜନସାଧାରଣଙ୍କୁ ସମ୍ପୃକ୍ତ କରିବା ପାଇଁ ବ୍ୟବସ୍ଥା ରହିଛି। ସେହି ବ୍ୟବସ୍ଥାରେ ଜୀବନ୍ୟାସ ଦେବେ ଯୁବକ ଯୁବତୀମାନେ । ତାହା ହିଁ ହେବ ଗଣତନ୍ତ୍ରର ଚଳନ୍ତି ପ୍ରତିମା ।
ଏ ସମସ୍ତ କାର୍ଯ୍ୟ କୌଣସି ଗ୍ରାମର ଜଣେ ଅଧେ ବ୍ୟକ୍ତି ଦ୍ବାରା ସମ୍ଭବ ନୁହେଁ । ସେଥିପାଇଁ ଆବଶ୍ୟକ ଏକ ସଂଗଠନ ଯାହା ମାଧ୍ୟମରେ ସବୁ ଉତ୍ସାହୀ ଯୁବକ ବା ଯୁବତୀ ନିଜ ନିଜ ଶକ୍ତିକୁ ଯୋଡ଼ି ପାରିବେ। ଏହି ସଂଗଠନ ସେମାନଙ୍କୁ ଦିଗ୍ଦର୍ଶନ ଦେବ, ଉପଯୁକ୍ତ ପ୍ରଶିକ୍ଷଣ ଦେବ। ‘ଜନ ଜାଗରଣ’ ସେହିଭଳି ଏକ ସାମାଜିକ ସଂଗଠନ ଗଢ଼ିବାକୁ ଚାହେଁ ।
