ରାଉରକେଲା, ୨୦/୧୧ (ଜେଏନ୍ଏସ୍) : ଇସ୍ପାତ ସହର ରାଉରକେଲାରେ ଜୋର ଧରିଛି ମଦ ବିରୋଧୀ ଓ ଜନସ୍ୱାର୍ଥ ଆନ୍ଦୋଳନ। ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ ରାଉରକେଲା ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣାରେ ସାମିଲ ହୋଇଛନ୍ତି ବିଶିଷ୍ଟ ବ୍ୟକ୍ତିବିଶେଷ। ଏହି ପ୍ରତିବାଦ ସଭାରେ ଆଜି ଅତିଥି ଭାବେ ଯୋଗ ଦେଇଛନ୍ତି ଜନ ଜାଗରଣର ମୁଖ୍ୟ ତଥା ରାଜ୍ୟ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏବଂ ଜନ ଜାଗରଣ ମଞ୍ଚର ସହ-ସମ୍ପାଦକ ଶାରଦା ପ୍ରସନ୍ନ ସ୍ୱାଇଁ।
https://youtu.be/9s80ZM3rSGY?si=o7UzoFw0d4N_3wJ2
ରାଉରକେଲା ସହରର ବିଭିନ୍ନ ସେକ୍ଟର ଏବଂ ପୌର ୱାର୍ଡ ଅଞ୍ଚଳରେ ନୂତନ ଦେଶୀ ମଦ ଦୋକାନ ଖୋଲିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ତୀବ୍ର ବିରୋଧ କରି ‘ରାଉରକେଲା ବାସୀଙ୍କ ପ୍ରତିବାଦ’ ବ୍ୟାନର ତଳେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଜାରି ରହିଛି। ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆହ୍ୱାନରେ ଆୟୋଜିତ ଏହି ଆନ୍ଦୋଳନକୁ ଆଜି ବଡ଼ ନୈତିକ ସମର୍ଥନ ମିଳିଛି। ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ସରକାର ଓ ପ୍ରଶାସନର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ଜନବସତି ଅଞ୍ଚଳରେ ମଦ ଦୋକାନ ଖୋଲିବା ପରିବର୍ତ୍ତେ ରାଉରକେଲାର ଦୀର୍ଘଦିନର ଅବହେଳିତ ମୌଳିକ ବିକାଶ ପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି।
https://youtu.be/Ax4JVllByjU?si=AXK7HpZL0QmqIrxc
ସେହିପରି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଜନ ଜାଗରଣ ମଞ୍ଚର ସହ-ସମ୍ପାଦକ ଶାରଦା ପ୍ରସନ୍ନ ସ୍ୱାଇଁ ମଧ୍ୟ ସହରବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି। ମଦ ଦୋକାନ ବାତିଲ ବ୍ୟତୀତ ରାଉରକେଲାରେ ESIC ମେଡିକାଲ କଲେଜ ପ୍ରତିଷ୍ଠା, ସରକାରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା, RGH ର ଉନ୍ନତିକରଣ, ରେଳ ଡିଭିଜନ ଏବଂ ବିମାନବନ୍ଦରର ବିକାଶ ଭଳି ୫ ଦଫା ଦାବି ତୁରନ୍ତ ପୂରଣ କରିବାକୁ ଆନ୍ଦୋଳନକାରୀମାନେ ଅଡ଼ି ବସିଛନ୍ତି। ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଯୋଗଦାନ ପରେ ରାଉରକେଲାର ଏହି ଗଣଧାରଣା ଏବେ ନୂଆ ମୋଡ଼ ନେଇଛି। ପ୍ରଶାସନ ତୁରନ୍ତ ନୂଆ ମଦ ଦୋକାନ ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।
