ଭୁବନେଶ୍ବର,୨୫/୦୮(ଜେଏନ୍ଏସ୍) : ରାଜଧାନୀ ଭୁବନେଶ୍ୱରସ୍ଥିତ ଡୁମୁଡୁମା ଅଞ୍ଚଳରେ ଥିବା ଆଶ୍ରୟ ଆଶ୍ରମର ଅନ୍ତେବାସୀ ପିଲାମାନଙ୍କ ସହ ସ୍ନେହ, ଆଦର ଓ ଶ୍ରଦ୍ଧାର ସହ ରାଖୀ ପୂର୍ଣ୍ଣିମା ପର୍ବ ପାଳିତ ହୋଇଯାଇଛି। ‘ଭରସା ଫାଉଣ୍ଡେସନ୍ ଟ୍ରଷ୍ଟ’ର ଭଉଣୀମାନେ ଆଶ୍ରମର ପିଲାମାନଙ୍କ ହାତରେ ରାଖୀ ବାନ୍ଧି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଅସହାୟ ପିଲାମାନଙ୍କ ମୁହଁରେ ହସ ଫୁଟାଇଛନ୍ତି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭରସା ଫାଉଣ୍ଡେସନ୍ ଟ୍ରଷ୍ଟର ସଭାପତି ମୁକ୍ତିକାନ୍ତ ବାରିକ ଏବଂ ମହିଳା ସଭାପତି ହିରନ୍ ସାହୁ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସମାଜସେବୀ ପଦ୍ମିନୀ ଜେନା, ମଧୁସ୍ମିତା ସାହୁ, କୁନି ସମାଜସେବୀ ଅନଭିରି ବାରିକ ଏବଂ କୁନିଝିଅ ଅଶିକା ବାରିକ ପ୍ରମୁଖ ଉପସ୍ଥିତ ରହି ଏହି ସାମାଜିକ ସେବା ନିଶ୍ଚିତ ଭାବେ ଶ୍ରେଷ୍ଠ କାର୍ଯ୍ୟ ବୋଲି ପ୍ରକାଶ କରିଥିଲେ। ଟ୍ରଷ୍ଟର ସଦସ୍ୟାମାନଙ୍କ ଏହି ନିଷ୍କାମ ସେବା ଓ ଭଲପାଇବା ଆଶ୍ରମର ଅନ୍ତେବାସୀଙ୍କ ମନରେ ଏକ ନୂତନ ଉତ୍ସାହ ଭରିଦେଇଛି। ଉପସ୍ଥିତ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାପୂର୍ବକ ସାଙ୍ଗ ହୋଇଛି।
