ଯେତେବେଳେ ଗୋଟିଏ ନୂଆ ଦେଶ ସ୍ବାଧୀନତା ଲାଭ କରେ ସେତେବେଳେ ତାହାର ଅସୁମାରି ଜନତାଙ୍କ ମନରେ ଅସୁମାରି ସ୍ବପ୍ନର ଆବିର୍ଭାବ ହୁଏ ା ପୁରୁଣା ଚିନ୍ତାଧାରା, ପୁରୁଣା ପରିବେଶ, ପୁରୁଣା ପଦ୍ଧତିକୁ ପରିହାର କରି ଏକ ନୂଆ ସକାଳର ସମ୍ଭାବନା ଉଙ୍କି ମାରେ। ଅସମ୍ଭବକୁ ସମ୍ଭବ କରିବାର ଦମ୍ଭ ମନରେ ଜାଗ୍ରତ ହୁଏ । ଆଜି ଓଡ଼ିଶା ପାଇଁ ସେଭଳି ଏକ ସମୟ ଆସିଛି । ଏହା ଏକ ସ୍ବାଧୀନତା ସଂଗ୍ରାମ ନ ହୋଇପାରେ କିନ୍ତୁ ଏକ ନୂଆ ଓଡ଼ିଶା ଗଠନ କରିବାର ଏହା ଏକ ଆହ୍ବାନ । ଏହା ଏକ ବିପ୍ଲବଠାରୁ କୌଣସି ଗୁଣରେ କମ୍ ନୁହେଁ । କାରଣ ଏଥିପାଇଁ ଆବଶ୍ୟକ ଏକ ପରିବର୍ତ୍ତନ । ଏହି ପରିବର୍ତ୍ତନ କେବଳ ନିର୍ବାଚନୀୟ ପରିବର୍ତ୍ତନ ନୁହେଁ । ନିର୍ବାଚନ ପୂର୍ବରୁ ସବୁ ରାଜନୈତିକ ଦଳ ପରିବର୍ତ୍ତନର ଆହ୍ବାନ କରନ୍ତି । କିନ୍ତୁ ସେ ପରିବର୍ତ୍ତନ କେବଳ ଘଟ ପରିବର୍ତ୍ତନ । ନିର୍ବାଚନ ପରେ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ ନାହିଁ। ନୂଆ ବୋତଲରେ କିଛି ପୁରୁଣା ତରଳ ପଦାର୍ଥ ମିଳେ। କିଛି ଦିନ ପରେ ଲୋକେ ପୁଣି ଅସନ୍ତୁଷ୍ଟ ହୁଅନ୍ତି । ଘଟ ପରିବର୍ତ୍ତନ ପାଇଁ ଆଗ୍ରହୀ ହୁଅନ୍ତି । ଆମେ ଭାବୁ ତାହା ହିଁ ଗଣତନ୍ତ୍ର ।
କିନ୍ତୁ କେବଳ ବୋତଲ ବଦଳାଇବା ଗଣତନ୍ତ୍ର ନୁହେଁ । ଗଣତନ୍ତ୍ରକୁ ସବୁଠାରୁ ଉତ୍କୃଷ୍ଟ ଶାସନ ବ୍ୟବସ୍ଥା ବୋଲି କୁହାଯାଏ କାରଣ ତାହା ହେଉଛି ସବୁଠାରୁ ଉତ୍ତରଦାୟୀ । ଉକ୍ତ ଉତ୍ତରଦାୟିତ୍ବ କ’ଣ ଓ ତା’ ମାଧ୍ୟମରେ ଆମେ କ’ଣ ହାସଲ କରିବାକୁ ଯାଉଛେ ତାହା ହିଁ ଗଣତନ୍ତ୍ରର ମୂଳମନ୍ତ୍ର । ଆଜିକାର ଯୁବପିଢ଼ି ସେହି ପ୍ରଶ୍ନ ପଚାରୁଛି ।
ଓଡ଼ିଶାକୁ ଗଢ଼ିବାକୁ ହେଲେ ଏକ ମାଦକତାର ଆବଶ୍ୟକତା ରହିଛି । ଏହି ମାଦକତା କେବଳ ଏକ କ୍ଷଣିକ ଉତ୍ତେଜନା ସୃଷ୍ଟିକାରୀ ପଦାର୍ଥ ନୁହେଁ । ଆଇନ୍ଷ୍ଟାଇନ୍ କହିଥିଲେ ଯେ, ଆମେ ଯଦି ଗତାନୁଗତିକ ଭାବରେ ଆମେ କରୁଥିବା କାର୍ଯ୍ୟକୁ କରି ଚାଲିଥିବା ତେବେ ପରିବର୍ତ୍ତନ ଆଶା କରିବା ବୃଥା । ସେଥିପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ହେବ । ଏହାର ଅୟମାରମ୍ଭ କେଉଁଠି ?
ଏହାର ଅୟମାରମ୍ଭ ହେଉଛି ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମରୁ । ଏହି ସମାଜରେ ଯାହା କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ଦୁର୍ନୀତିକୁ ପରିହାର କରିବାକୁ ହେବ । ସରକାରୀ ଯୋଜନାରୁ ଆଲୋଚନା ଆରମ୍ଭ କରିବା । ଦିନେ ସ୍ବର୍ଗୀୟ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କହିଥିଲେ ଯେ, ଲୋକଙ୍କ ପାଇଁ ଯେଉଁ ଯୋଜନା ଗୁଡ଼ିକ ହେଉଛି ତାହାର ଶତକଡ଼ା ୮୫ ଭାଗ ବାଟମାରଣା ହୋଇଯାଉଛି। ଏହା ଆମ ସମସ୍ତଙ୍କର ଦୈନନ୍ଦିନର ଅନୁଭୂତି । ରାସ୍ତା କାମ ନିମ୍ନ ମାନର ହେବା, କୋଠାଗୁଡ଼ିକ ବିପଦ ସଙ୍କୁଳ ହେବା, ବିହନ ଗଜା ନ ହେବା, ଔଷଧ ଅକାମି ହେବା– ଉଦାହରଣର ସୀମା ନାହିଁ। ଏଭଳି ଅବସ୍ଥାର ଏକ ମୁଖ୍ୟ କାରଣ ହେଲା ‘ପିସି’। ସବୁ ସରକାରୀ କାମରେ ଏକ ସିଂହଭାଗ ଯଦି କାହାର ନା କାହାର ପକେଟକୁ ଚାଲିଯାଏ ତେବେ କାର୍ଯ୍ୟଟି ନିମ୍ନମାନର ହେବ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
କିନ୍ତୁ ଦୁର୍ନୀତି କହିଲେ କେବଳ ‘ପିସି’କୁ ବୁଝାଏ ନାହିଁ। ଦୁର୍ନୀତି ଏଭଳି ଏକ ଭାଇରସ ଯାହାକି ସମଗ୍ର ବ୍ୟବସ୍ଥାକୁ ରୁଗଣ କରିଦିଏ । ଉଦାହରଣ ସ୍ବରୂପ ଶିକ୍ଷା ବ୍ୟବସ୍ଥାକୁ ନିଆ ଯାଉ । ମୁଁ ମଧ୍ୟାହ୍ନ ଭୋଜନରେ ହେଉଥିବା ଦୁର୍ନୀତି ବା ସ୍କୁଲ ଘର ରଙ୍ଗ କରିବାରେ ଦୁର୍ନୀତି ବିଷୟରେ କହୁ ନାହିଁ। ସେଗୁଡ଼ିକ ‘ପିସି’ର ଅନ୍ତର୍ଭୁକ୍ତ । ମୁଁ ଶିକ୍ଷାରେ ହେଉଥିବା ବ୍ୟବସ୍ଥାଗତ ଦୁର୍ନୀତି ବିଷୟରେ କହୁଛି । ପ୍ରାଥମିକ ଶିକ୍ଷା ସବୁ ଭାରତୀୟଙ୍କର ମୌଳିକ ଅଧିକାର । ସେଥିପାଇଁ ସମ୍ବିଧାନର ସଂଶୋଧନ କରାଗଲା । ସବୁ ପିଲା ଯେଭଳି ପାଠ ପଢ଼ିବେ ସେଥିପାଇଁ ସ୍କୁଲମାନ ଖୋଲାଗଲା । ଶିକ୍ଷକମାନଙ୍କୁ ଦାୟିତ୍ବ ଦିଆଗଲା ଯେ, ଗାଁର ସବୁ ପିଲା ଯେପରି ସ୍କୁଲରେ ନାମ ଲେଖାଇବେ । ତାହା ହେଲା ମଧ୍ୟ। କିନ୍ତୁ କାର୍ଯ୍ୟକ୍ଷେତ୍ରରେ ଦେଖାଗଲା ଯେ, ପିଲାଙ୍କର ନାଁ ଲେଖାଯିବା ସତ୍ତ୍ବେ ୧୦ରୁ ୧୫ ପ୍ରତିଶତ ପିଲା ସ୍କୁଲକୁ ଆସୁ ନାହାନ୍ତି । ସେଥିପାଇଁ ଦାୟୀ କିଏ ତାହା ଭିନ୍ନ ଏକ ପ୍ରଶ୍ନ । କିନ୍ତୁ ଉପସ୍ଥାନ ବହି ଅନୁସାରେ ସବୁ ପିଲା ଶିକ୍ଷିତ ହୋଇଗଲେ । ସେଇ ପରିସଂଖ୍ୟାନ ଅନୁସାରେ ଶିକ୍ଷକମାନଙ୍କୁ ସ୍କୁଲମାନଙ୍କରେ ପୋଷ୍ଟିଂ କରାଗଲା । କାଗଜ କଲମରେ ଚାଲୁଥିବା ସ୍କୁଲମାନଙ୍କରେ ଥିବା ଶିକ୍ଷକମାନେ ଘରେ ବସି ଦରମା ନେଲେ । ତାହାକୁ ତଦାରଖ କରିବା ପାଇଁ ଯେଉଁ ଅଧିକାରୀମାନେ ରହିଲେ ସେମାନେ ତାଙ୍କର କର୍ତ୍ତବ୍ୟ ପାଳନ କଲେ ନାହିଁ । ଯୋଜନା ଟି ବିଫଳ ହେଲା। ଏହା କ’ଣ ଦୁର୍ନୀତି ନୁହେଁ ?
କେବଳ ଉପସ୍ଥାନ ନୁହେଁ, ପାଠପଢ଼ାର ମାନରେ ମଧ୍ୟ ଦୁର୍ନୀତିର ଦୁର୍ଗନ୍ଧ ମିଳେ । ପରିଦର୍ଶକମାନେ ସ୍କୁଲ ପରିଦର୍ଶନ କରି ଶିକ୍ଷାର ନିରନ୍ତର ଗୁଣାତ୍ମକମାନ ରକ୍ଷା କରିବା କ୍ରମେ ଅପସ୍ମୃତ ହୋଇଗଲାଣି । ଦୁର୍ନୀତି ଫଳରେ ମେଧାବୀ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି । ଏ ସମସ୍ତ ହେଉଛି ଦୁର୍ନୀତିର ଭିନ୍ନ ଭିନ୍ନ ରୂପ । ଏଥିରେ ଆର୍ଥିକ ଦୁର୍ନୀତି ଅପେକ୍ଷା ବ୍ୟବସ୍ଥାଗତ ଦୁର୍ନୀତିର ମାତ୍ରା ଅଧିକ । ବ୍ୟବସ୍ଥାଗତ ଦୁର୍ନୀତି ଆର୍ଥିକ ଦୁର୍ନୀତିଠାରୁ ଅଧିକ ମାରାତ୍ମକ । କାରଣ ଏହା ଫଳରେ ଗୋଟିଏ ରାଜ୍ୟ ବା ଦେଶର ମୂଳଦୁଆ ଦୋହଲି ଯାଉଛି । ସମଗ୍ର ଦେଶରେ ଖର୍ଚ୍ଚ ହେଉଥିବା ହଜାର ହଜାର କୋଟି ଟଙ୍କାର ଅର୍ଥ ଯଦି ଏଇଭଳି ଭାବରେ ନଷ୍ଟ ହୋଇଯାଏ ତେବେ ତାହା ଯେ କେତେ ବଡ଼ ଦୁର୍ନୀତି ତାହା ସହଜରେ ଅନୁମେୟ।
ଆଜିକାର ଯୁବପିଢ଼ି ଏଇ ବ୍ୟବସ୍ଥାଗତ ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ଆବଶ୍ୟକ । ଏଠାରେ ମୁଁ କହି ରଖେ ଯେ, ଏହି ସଂଗ୍ରାମ କେବଳ ରାସ୍ତାରେ ବୁଲୁଥିବା ‘ଅସରପା’ମାନଙ୍କର ଦାୟିତ୍ବ ନୁହେଁ । ଶିକ୍ଷକମାନଙ୍କ ମଧ୍ୟରେ ମଧ୍ୟ ଅନେକ ଯୁବକ ଯୁବତୀ ରହିଛନ୍ତି । ସରକାରୀ ଅଫିସମାନଙ୍କ ମଧ୍ୟରେ ମଧ୍ୟ ଅନେକ ନୂଆ ପିଢ଼ିର କର୍ମଚାରୀ ଅଛନ୍ତି । କିନ୍ତୁ ପରିତାପର ବିଷୟ ଯେ, ଯେଉଁମାନେ ଚାକିରୀରେ ପ୍ରବେଶ କରିବା ପୂର୍ବରୁ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରନ୍ତି,ସେମାନେ ଚାକିରିରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ତାଙ୍କର ବେଶ ବଦଳାଇ ଦିଅନ୍ତି । ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରିବାକୁ ହେଲେ ଏହି ମାନସିକତାରେ ପରିବର୍ତ୍ତନ ଆଣିବାକୁ ହେବ । ତେବେ ଚାକିରିରେ ଏଭଳି କେଉଁ ବିଷ ଅଛି ଯେ, ତାକୁ ସ୍ପର୍ଶ କରିବା ମାତ୍ରେ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବରେ ପରିବର୍ତ୍ତନ ଆସି ଯାଉଛି । ଏହା କହିବା ସମୟରେ ମୁଁ ତୁରନ୍ତ କହି ରଖିବାକୁ ଚାହେଁ ଯେ ସବୁ କର୍ମଚାରୀ ଦୁର୍ନୀତିଗ୍ରସ୍ତ ନୁହନ୍ତି । କିନ୍ତୁ ନୀତିବାନ ବ୍ୟକ୍ତି ମାନଙ୍କର ସଂଖ୍ୟାରେ ଦ୍ରୁତ ହ୍ରାସ ଘଟୁଛି ଯାହାକି ଉଦ୍ବେଗର ବିଷୟ ।
ଏହି ବିଷ ବିଷୟରେ ଇଂଲଣ୍ଡର ଲର୍ଡ ଆକ୍ଟନ କହିଥିଲେ, ‘କ୍ଷମତା ମଣିଷକୁ ଦୁର୍ନୀତିଗ୍ରସ୍ତ କରିଦିଏ । ଅସୀମିତ କ୍ଷମତା ତାକୁ ସୀମାତୀତ ଭାବରେ ଦୁର୍ନୀତିଗ୍ରସ୍ତ କରିଦିଏ । ନୂଆ କରି ଚାକିରିରେ ପ୍ରବେଶ କରିଥିବା ଯୁବକ ବା ଯୁବତୀ ଟିଏ ହଠାତ୍ ଏତେ କ୍ଷମତା ଦେଖି ଅନେକ ସମୟରେ ଅନ୍ଧ ହୋଇଯାଏ । ଭାରତର ପୁରାତନ ସଂସ୍କୃତିରେ ଦୁର୍ନୀତିର ସ୍ଥାନ ନ ଥିଲା । କିନ୍ତୁ ଆଜିକାର ଅପସଂସ୍କୃତିରେ ଦୁର୍ନୀତି ଏକ ବର୍ଜ୍ଜନୀୟ ବିଷୟ ହୋଇ ରହି ନାହିଁ । କିନ୍ତୁ ଏହାକୁ ମୁଣ୍ଡପାତି ଗ୍ରହଣ କରି ନେବାର କୌଣସି ଆବଶ୍ୟକତା ନାହିଁ । ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ଜେନ -ଜି ଅପେକ୍ଷା ଚାକିରୀରେ ଥିବା ଯୁବକଯୁବତୀଙ୍କଠାରୁ ଆରମ୍ଭ ହେବା ଉଚିତ । ଧୂମପାନ, ମଦ୍ୟପାନ ଭଳି ଦୁର୍ନୀତିଗ୍ରସ୍ତ ହେବା ମଧ୍ୟ ଏକ ଅଭ୍ୟାସଗତ ବ୍ୟାଧି । ଏହି ଅଭ୍ୟାସରୁ ଦୂରେଇ ରହିବା ସମ୍ଭବ । କିନ୍ତୁ ସେଥିପାଇଁ କେତେକ ସର୍ତ୍ତ ରହିଛି ।
ପ୍ରଥମଟି ହେଲା ଜଣେ ନୂଆ କର୍ମଚାରୀ ଦୁର୍ନୀତିମୁକ୍ତ ରହିବାକୁ ହେଲେ ତାହାର ଉପରିସ୍ଥ କର୍ମଚାରୀ ତାକୁ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରିବା ଉଚିତ । ଯଦି ବିଭାଗର ସଚିବ ବା ଚିଫ୍ ଇଞ୍ଜିନିୟର ବା ଜିଲାର ଜିଲ୍ଲାପାଳ ବା ଏସ୍ପି ଦୁର୍ନୀତିଖୋର ହୋଇ ଥିବେ ଓ ତାଙ୍କର ଅଧସ୍ତନ କର୍ମଚାରୀଠାରୁ ନିୟମିତ ଅର୍ଥ ଆଦାୟ କରୁଥିବେ ତାହା ହେଲେ କର୍ମଚାରୀଟି ଦୁର୍ନୀତିମୁକ୍ତ ରହିବା ଏକାନ୍ତ ଅସମ୍ଭବ। ବରଂ ସେ ନିଜେ ସେଥିରେ ସାମିଲ ହୋଇ ନିଜର “ଭାଗ” ନେବାକୁ ଶ୍ରେୟସ୍କର ମନେ କରିବ ।
ଦ୍ବିତୀୟ ସର୍ତ୍ତଟି ହେଲା ଉଭୟ ସ୍ବାମୀ ଓ ସ୍ତ୍ରୀ ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା ଉଚିତ । ଯଦି ଜଣେ କେହି ଦୁର୍ନୀତିର ଲୋଭକୁ ସମ୍ବରଣ କରି ନ ପାରେ ତାହା ହେଲେ ତାହାର ସଙ୍ଗୀ ମଧ୍ୟ ନିଷ୍କଳଙ୍କ ରହିବା ସମ୍ଭବ ନୁହେଁ, ଅନ୍ୟଥା ତା ପାଇଁ ଜୀବନ ଦୁର୍ବିସହ ହୋଇଯିବ ।
ତୃତୀୟ ସର୍ତ୍ତଟି ହେଲା ଉଭୟ ସ୍ବାମୀ ସ୍ତ୍ରୀଙ୍କର ପିତାମାତା ସେମାନଙ୍କୁ ଦୁର୍ନୀତିମୁକ୍ତ ରହିବା ପାଇଁ ଉତ୍ସାହିତ କରିବା ଉଚିତ । କେତେକ ସମୟରେ ପିତାମାତାମାନେ ମଧ୍ୟ ନିଜ ନିଜ ପିଲାଙ୍କ ଉପରେ ଦୁର୍ନୀତିଗ୍ରସ୍ତ ହେବା ପାଇଁ ଚାପ ପକାନ୍ତି । ଆଉ କେତେକ ସମୟରେ ପିଲାମାନେ ଦୁର୍ନୀତିଗ୍ରସ୍ତ ହେଲେ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ବଦଳରେ ସେଥିରେ ଆତ୍ମ ସନ୍ତୋଷ ଓ ଗର୍ବ ଅନୁଭବ କରନ୍ତି । କାହାର ପୁଅ ବା ଝିଅ କେତେ ସମ୍ପତ୍ତି କରିଛନ୍ତି ତାହା ପିତାମାତାଙ୍କର ଏକ ପ୍ରକାରର “ସଫଳତା” ବା କୃତୀ ବୋଲି ସେମାନେ ଧରି ନିଅନ୍ତି ।
ଏ ସମସ୍ତ ବିଷୟ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସମାଜକୁ ଦୁର୍ନୀତିମୁକ୍ତ କରିବା ପାଇଁ ସମାଜ ହିଁ ପ୍ରତିଶ୍ରୁତିବଦ୍ଧ ହେବା ଉଚିତ । ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ସମାଜ ତିରସ୍କାର କରିବା ଉଚିତ । କିନ୍ତୁ ତାହା କରିବା ପରିବର୍ତ୍ତେ ଯଦି ନିର୍ବାଚନ ସମୟରେ ଭୋଟରମାନେ ଟଙ୍କା ଖୋଜନ୍ତି, ତାହା ହେଲେ ରାଜନୈତିକ ଦଳମାନେ ଦୁର୍ନୀତିଗ୍ରସ୍ତ ହୋଇଯିବା ସ୍ବାଭାବିକ । ଦଳମାନେ ଏଭଳି ପ୍ରାର୍ଥୀ ଖୋଜନ୍ତି ଯାହାର କି ଅମାପ କଳା ସମ୍ପତ୍ତି ଥିବ । ଫଳରେ ନୀତିବାନ ବ୍ୟକ୍ତିମାନେ ରାଜନୀତିରୁ ଦୂରେଇ ଯାଉଛନ୍ତି । ଏହା ଏକ ବିଷ ବଳୟ ।
ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କେବଳ ସରକାର ବିରୁଦ୍ଧରେ ନୁହେଁ, ସାମାଜିକ ସ୍ତରରେ ହେବା ଉଚିତ । ତାହାର କର୍ଣ୍ଣଧାର କେବଳ ଯୁବ ସମାଜ ହିଁ ହୋଇ ପାରିବ ।
ଆଗାମୀ ସପ୍ତାହରେ ଏହାର ଏକ ନିର୍ଦ୍ଦିଷ୍ଟ ଖସଡ଼ା ବିଷୟରେ ଆଲୋଚନା କରିବା ।
