ଭୁବନେଶ୍ବର,୧୮/୮(ଜେଏନ୍ଏସ୍): ଓଡ଼ିଶାର ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଜାଜପୁର ଜିଲ୍ଲାର ଦଶରଥପୁର ବ୍ଲକର କାସପା ଏବଂ ତାରାପଦା ଭଳି ସବୁଠାରୁ ଅଧିକ ଜଳମଗ୍ନ ଗ୍ରାମପଞ୍ଚାୟତ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲାଇଫ୍ ଜ୍ୟାକେଟ୍ ପିନ୍ଧି ମୋଟର ଚାଳିତ ଡଙ୍ଗା ସାହାଯ୍ୟରେ ବିଚ୍ଛିନ୍ନ ହୋଇପଡ଼ିଥିବା ରାମଚନ୍ଦ୍ରପୁର, ବଲଦା ଏବଂ ଧୋବାବିଲ ଗ୍ରାମରେ ପହଞ୍ଚିଥିଲେ । ସେ ଆଣ୍ଠୁଏ ପାଣିରେ ଛିଡ଼ା ହୋଇ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିବା ସହ ରିଲିଫ୍ ଶିବିରରେ ରନ୍ଧା ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଛନ୍ତି । ଏହି ଗସ୍ତ ସମୟରେ ଉଚ୍ଚଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଜାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ମଧ୍ୟ ଉପସ୍ଥିତ ଥିଲେ ।
ବନ୍ୟା ଜଳ ହ୍ରାସ ପାଇବାର ୩ ଦିନ ମଧ୍ୟରେ ଫସଲ ହାନି, ଘର ଭାଙ୍ଗିବା ଏବଂ ଅନ୍ୟାନ୍ୟ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଓ ପୁନର୍ବାସ ପ୍ୟାକେଜ୍ ଯୋଗାଇ ଦିଆଯିବ । ରିଲିଫ୍ ଶିବିରଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ,ଔଷଧ ଏବଂ ହାଲୋଜେନ୍ ବଟିକା ଯୋଗାଣରେ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ବାଲେଶ୍ୱର, ଭଦ୍ରକ ଏବଂ ଜାଜପୁର ଭଳି ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାରେ ଜରୁରୀକାଳୀନ କାର୍ଯ୍ୟ ତଦାରଖ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ପ୍ରାୟ ୯୦ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (NDRF, ODRAF ଏବଂ ଅଗ୍ନିଶମ ବାହିନୀ) ସ୍ପିଡ୍ ବୋଟ୍ ସହ ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ଦିନରାତି କାର୍ଯ୍ୟ କରୁଛନ୍ତି ।
