ଭୁବନେଶ୍ବର,୦୯/୦୭(ଜେଏନ୍ଏସ୍): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର (୨୦) ପ୍ରଥମ ମୌସୁମୀ ବନ୍ୟାଜଳ ନିଷ୍କାସନ ଆଜି ସଫଳତାପୂର୍ବକ ଆରମ୍ଭ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବା ପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଜି ୯ ଜୁଲାଇ (ଗୁରୁବାର) ପୂର୍ବାହ୍ନ ୧୧ଟା ସମୟରେ ଜଳଭଣ୍ଡାରର ଗେଟ୍ ଖୋଲାଯାଇଛି। ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଜଳ ନିଷ୍କାସନ ପ୍ରକ୍ରିୟାର ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି ସର୍ବପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇ ବନ୍ୟାଜଳ ଛଡ଼ାଯାଇଥିଲା।
ପ୍ରାରମ୍ଭିକ ଭାବେ ୪ଟି ଗେଟ୍ ଖୋଲାଯାଇଛି । ଏଥିମଧ୍ୟରୁ ୩ଟି ବାମ ପାର୍ଶ୍ୱରେ ଏବଂ ୧ଟି ଡାହାଣ ପାର୍ଶ୍ୱରେ ରହିଛି। ସ୍ଥିତିକୁ ସନ୍ତୁଳିତ ରଖିବା ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ୫ଟି ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ପ୍ରାୟ ୨,୬୨,୦୦୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ଏହି ଗେଟ୍ଗୁଡ଼ିକ ମାଧ୍ୟମରେ ମହାନଦୀକୁ ପ୍ରାୟ ୧ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛଡ଼ାଯିବାର ଲକ୍ଷ୍ୟ ରଖାଯାଇଛି। ହୀରାକୁଦର ଜଳସ୍ତର ବର୍ତ୍ତମାନ ୬୧୧.୨୩ ଫୁଟ୍ ରହିଛି।
ସୁରକ୍ଷା ଦୃଷ୍ଟିରୁ ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୂର୍ଣ୍ଣ ମୁଖ୍ୟ ବନ୍ଧ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ‘ନୋ-ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଡ୍ରୋନ୍ କିମ୍ବା କୌଣସି ପ୍ରକାର ଆକାଶମାର୍ଗୀୟ ଯାନ ଉଡ଼ାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। ଗେଟ୍ ଖୋଲିବା ପୂର୍ବରୁ ଆଖପାଖ ଅଞ୍ଚଳର ଲୋକଙ୍କୁ ସତର୍କ କରିବା ପାଇଁ ବିଶେଷ ସାଇରେନ୍ ବଜାଯାଇଥିଲା।
ସତର୍କ ସୂଚନା- ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ନଦୀ ମଧ୍ୟକୁ ନ ଯିବାକୁ କୁହାଯାଇଛି। ନଦୀରେ ଗାଧୋଇବା, ମାଛ ଧରିବା ଏବଂ ଡଙ୍ଗା ଚଳାଚଳ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହି ନିଷ୍କାସିତ ଜଳ ଆଗାମୀ କିଛି ଘଣ୍ଟା ମଧ୍ୟରେ କଟକର ମୁଣ୍ଡଳୀ ଆଡ଼କୁ ଗତି କରିବ, ଯେଉଁଥିପାଇଁ ସେହି ଅଞ୍ଚଳରେ ମଧ୍ୟ ପ୍ରଶାସନ ସତର୍କ ନଜର ରଖିଛି