ପ୍ରଣାମ ମୋର ପ୍ରିୟ ବନ୍ଧୁଗଣ,
ସମସ୍ତଙ୍କ ମନରେ ଏକ ବଡ ପ୍ରଶ୍ନ ଉଙ୍କି ମାରୁଛି କି ଏଇ ଜନ ଜାଗରଣ ଅଭିଯାନର ଶୁଭାରମ୍ଭ କଣ ପାଇଁ ହେଉଛି କାହା ପାଇଁ ହେଉଛି ?
ମୁଁ ଆପଣ ମାନଙ୍କୁ କହୁଛି ଯେ ଏଇ ଜନ ଜାଗରଣ ଅଭିଯାନ ପ୍ରତିଟି ଓଡ଼ିଆ ଓ ଓଡିଶାର ଭବିଷ୍ୟତ ପୀଢ଼ି ମାନଙ୍କ ମୌଳିକ ଅଧିକାର ପାଇଁ ହେଉଛି । ଆଉ ଏହାର ନେତୃତ୍ୱ ନେଉଛନ୍ତି ଏକ ସଚ୍ଚୋଟ ନିଷ୍କଳଙ୍କ ବ୍ୟକ୍ତିତ୍ଵ, ଓଡ଼ିଶା ମାଟିର ଗର୍ବ ଓ ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ଓଡ଼ିଶା ସରକାର । ଦୀର୍ଘ ୨୬ ବର୍ଷ ହେଲା ମୁଁ ଓଡ଼ିଶା ରାଜନୀତି ଓ ସରକାରକୁ ଅତି ନିକଟରୁ ଦେଖୁଛି । ଅନେକ ଆଇଏସ୍ ଅଧିକାରୀଙ୍କ ସହିତ ସମ୍ପର୍କରେ ଆସିଛି, କିନ୍ତୁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ପରେ ଯଦି ଆଉ କେଉଁ ଆଇଏସ୍ ଅଧିକାରୀ ଓଡ଼ିଶା ମାଟିରେ ଜନ୍ମ ହୋଇ ଜଣେ ଓଡ଼ିଆ ବୋଲି ଗର୍ଵ କରନ୍ତି, ଓ ଓଡ଼ିଆଙ୍କ କଥା ଚିନ୍ତା କରନ୍ତି ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କ ପ୍ରିୟ “ବିଜୟ ବାବୁ” । ତାଙ୍କ ସହିତ ପରିଚୟ ହେଲାପରେ ସେ ସବୁବେଳେ ମୋତେ କୁହନ୍ତି ଯେ ଓଡ଼ିଆ ପିଲା ମାନେ ଦାଦାନ ଖଟିବାକୁ କାହିଁକି ଯିବେ, ଚାକିରିର ସୁଯୋଗ ଏଇଠି ମିଳିପାରିବ । କୃଷକ ମାନଙ୍କ ପାଇଁ ଶୀତଳ ଭଣ୍ଡାର ଓ ଅନ୍ୟାନ୍ୟ ସମସ୍ତ ପ୍ରକାରର ସୁବିଧା ସରକାଙ୍କ ଦ୍ୱାରା ଉପଲବ୍ଧ କରିହେବ । ପ୍ରତି ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସୁଧାର ଆଣିବା ଦରକାର ଯେମିତିକି ଯେକୌଣସି ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିଜ ବ୍ଲକରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଇ ପାରିବ । ଶିକ୍ଷା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନର ଆବଶ୍ୟକତା ରହିଛି ଏବଂ ତାହା ମଧ୍ୟ ଅତି ସହଜରେ ହେଇ ପାରିବ । ପର୍ୟ୍ୟଟନ କ୍ଷେତ୍ରରେ ମଧ୍ୟ ସୁଧାର ଆଣିବା ଦରକାର ଯେମିତିକି ବାହାର ପର୍ୟ୍ୟଟକ ମାନେ ଆମ ରାଜ୍ୟକୁ ଆସିଲେ ସେମାନଙ୍କୁ ମୁଖ୍ୟତଃ ଭଲ ଖାଇବା, ଗମନାଗମନ ଓ ସୁରକ୍ଷା ବ୍ୟବସ୍ଥା ସରକାର କରିବା ଦରକାର । ବେଆଇନ ଖଣି ଖନନ ବନ୍ଦ କରିବା ଦରକାର । ବିଜୁଳି ଦରରେ ଏକ ବଡ଼ ଧରଣର ସୁଧାର ଆଣିବା ଦରକାର ଆଉ ଏହା ସମ୍ଭବ ମଧ୍ୟ କାରଣ ଆମ ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଉତ୍ପାଦନ ହେଉଛି । କେବଳ ସଚ୍ଚୋଟ ମଣିଷଟି ଯଦି କ୍ଷମତାକୁ ଆସିବ ତାହାଲେ ଏଇ ସବୁ ସମ୍ଭବ ହେଇ ପାରିବ । ଆମର ଯେଉଁ ମୌଳିକ ଅଧିକାର ଅଛି ଯଥା ଆମ ପିଲା ଭଲ ପଢ଼ିବା ପାଇଁ ବ୍ୟବସ୍ଥା, ରହିବା ପାଇଁ ଵ୍ୟଵସ୍ଥା, ନିଯୁକ୍ତିର ଵ୍ୟଵସ୍ଥା, ଓ ସାମାଜିକ ସୁରକ୍ଷାର ବ୍ୟବସ୍ଥା ଏଇ ସରକାର କରିବା ଦରକାର । କିନ୍ତୁ ବିଡ଼ମ୍ବନା ଯେ ଅନେକ ଅବ୍ୟବସ୍ଥା ଭିତରେ ସରକାର ଆମର ଚାଲିଛି । ଏଠି ନୈତିକତା ଦୃଷ୍ଟିରୁ ବିଜେପି, ବିଜେଡ଼ି ଓ କଂଗ୍ରେସ ସମସ୍ତେ ସମାନ । ବର୍ଷ ବର୍ଷ ଧରି କେବଳ କିଛିଟା ମୁଷ୍ଟିମେୟ ବ୍ୟକ୍ତି ଲଙ୍କ ପରିବାର କିମ୍ବା ସେଇ ସମାନ ବ୍ୟକ୍ତି ବିଭିନ୍ନ ଦଳ ପରିବର୍ତ୍ତନ କରି ରାଜ୍ୟ ରାଜନୀତିକୁ ହାତ ମୁଠାରେ ରଖି ଦୁର୍ନୀତି କରୁଛନ୍ତି । ସଵୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠି ନେତା ଚରିତ୍ର ଯେମିତି ଭୋଟର ଚରିତ୍ର ମଧ୍ୟ ସେମିତି, କେହି କାହାକୁ କମ ନୁହଁନ୍ତି ।
ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଏମିତି ଅନେକ ଗୁଡ଼ିଏ ସ୍ୱପ୍ନ ନେଇ ବିଜୟ ବାବୁ ଏଇ ଜନ ଜାଗରଣ ଅଭିଯାନ ଆରମ୍ଭ କରୁଛନ୍ତି । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଭଲ ମଣିଷ ଖୋଜିବା ଏବଂ ଏକ ଭିନ୍ନ ପରିଚୟ ସୃଷ୍ଟି କରିବା । କେବଳ ଯଦି ନେତାଟି ଠିକ୍ ବାଛିବା ତାହେଲେ ନୁଆ ଓଡ଼ିଶା ଗଢିବା ପାଇଁ କେହି ଅଟକାଇ ପାରିବେ ନାହିଁ । ଭଲ ମଣିଷ ରାଜନୀତିକୁ ନଆସିବା ଏକ ବିରାଟ ଭୁଲ । କେବଳ ଏହି ଭୁଲ ପାଇଁ ଖରାପ ମଣିଷ ରାଜନୀତିକୁ ନିଜର ବାପ ସମ୍ପତି ଭାବି ମାଡି ବସିଛନ୍ତି ଦୀର୍ଘ ଦିନରୁ, ତେଣୁ ଦୁର୍ନୀତି ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଦପ୍ତର ପର୍ୟ୍ୟନ୍ତ ବ୍ୟାପିଛି ଓ କ୍ୟାନସର ଭଳି ସବୁ ଅଫିସରଙ୍କ ଶରୀର ଭିତରେ ପଶିକି ରହିଛି । ଏହି ଦୁର୍ନୀତିରୁ ଆମ ରାଜ୍ୟକୁ ବଞ୍ଚେଇବାକୁ ହେଲେ ଭଲ ବ୍ୟକ୍ତି ବିଶେଷଙ୍କୁ ଆଗକୁ ଆସିବାକୁ ପଡିବ ଓ ଆମର କର୍ତ୍ତବ୍ୟ ହେଲା ସେମାନଙ୍କ ହାତରେ ଶାସନ ଭାର ଦେବାକୁ ହେବ ତାହେଲେ ସେମାନେ ଦୁର୍ନୀତି ଠାରୁ ଦୂରେଇ ରହିବେ ଓ କେମୋ ଦେଇ କ୍ୟାନ୍ସର ରୂପୀ ଅଫିସର ମାନଙ୍କୁ ଦୁର୍ନୀତି ମୁକ୍ତ ମଧ୍ୟ କରିବେ । ଆପଣ ମାନେ ଚିନ୍ତା କରନ୍ତୁ ଯଦି ସରପଞ୍ଚଟି ଲାଞ୍ଚ ନେବନି ବା ଦୁର୍ନୀତି କରିବନି ତାହେଲେ ପୁରା ପଞ୍ଚାୟତଟା ଦୁର୍ନୀତିମୁକ୍ତ ହୋଇଯିବ, ଯଦି ବ୍ଲକ ଅଧ୍ୟକ୍ଷଟା ଦୁର୍ନୀତି କରିବନି ତାହେଲେ ପୁରା ବ୍ଲକଟା ଦୁର୍ନୀତି ମୁକ୍ତ ହୋଇଯିବ, ଯଦି ଜିଲ୍ଲା ପରିଷଦ ଅଧ୍ୟକ୍ଷଟା ଦୁର୍ନୀତି କରିବନି ତାହେଲେ ପୁରା ଜିଲ୍ଲାଟା ଦୁର୍ନୀତି ମୁକ୍ତ ହୋଇଯିବ, ଯଦି ବିଧାୟକଟା ଦୁର୍ନୀତି କରିବନି ତାହେଲେ ପୁରା ନିର୍ବାଚନ ମଣ୍ଡଳୀଟା ଦୁର୍ନୀତି ମୁକ୍ତ ହୋଇଯିବ, ଯଦି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଦୁର୍ନୀତି କରିବେନି ତାହେଲେ କୌଣସି ଅଫିସରବି ସାହାସ କରିବେନି ଦୁର୍ନୀତି କରିବାକୁ । ଦେଖିବେ ନିଶ୍ଚିତ ଭାବେ ପୁରା ରାଜ୍ୟଟା ଦୁର୍ନୀତି ମୁକ୍ତ ହୋଇଯିବ ।
ଶାସନ ମାନେ ସେବା ଓ କ୍ଷମତା ମାନେ ଦାୟିତ୍ୱ ହେବା ଦରକାର ।
“ଆସନ୍ତୁ ଏକାଠି ହେବା ନୁଆ ଓଡ଼ିଶା ଗଢିବା” ।
ତେଣୁ ବିଜୟଙ୍କ ସଂକଳ୍ପ
ଭଲ ଲୋକ ହିଁ ବିକଳ୍ପ ।
ଯୁବ ସମାଜର ଆଶାର କିରଣ…. ବିଜୟ ବାବୁଙ୍କ ନେତୃତ୍ୱରେ ଏକ ନୂତନ ଯୁଗର ଅପେକ୍ଷାରେ.. ମିଶନ ଓ ଭିଜନ ସହିତ ଜଣେ ଜନନେତା ଓ ସମସ୍ତ ସମସ୍ୟାର ସମାଧାନ ପାଇଁ ସର୍ଵଦା ପ୍ରସ୍ତୁତ । ତେଣୁ ଯେଉଁମାନେ ଭଲ ମଣିଷ ସେମାନେ ଆସନ୍ତୁ ବିଜୟ ପଟ୍ଟନାୟକଙ୍କ ସହ ହାତ ମିଳାନ୍ତୁ, ଆମ ଓଡ଼ିଆଙ୍କ ଭବିଷ୍ୟତ ଗଢନ୍ତୁ ।
