ଭାରତରେ ବର୍ତ୍ତମାନ ବ୍ୟାପୁଥିବା H1N1 (ଇନଫ୍ଲୁଏଞ୍ଜା ଏ ବା ସ୍ଵାଇନ୍ ଫ୍ଲୁ) କୌଣସି ନୂଆ ଭୂତାଣୁ କିମ୍ବା ନୂଆ ଷ୍ଟ୍ରେନ୍ ନୁହେଁ ବୋଲି ଭାରତୀୟ ଚିକିତ୍ସା ବିଜ୍ଞାନ ଗବେଷଣା ପରିଷଦ ICMR ସ୍ପଷ୍ଟ କରିଛି. ଏହା ଏକ ନିୟମିତ ଋତୁକାଳୀନ ଜ୍ଵର (Seasonal Flu) ଏବଂ ବର୍ତ୍ତମାନ ଉପଲବ୍ଧ ଥିବା ଟିକା ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ା ଦେଶର ରାଜଧାନୀ ଦିଲ୍ଲୀରେ H1N1 ମାମଲା ଦ୍ରୁତ ଗତିରେ ବଢ଼ି ୧,୭୭୭ ରେ ପହଞ୍ଚିଛି. ବିଗତ ବର୍ଷ ତୁଳନାରେ ଏହା ପ୍ରାୟ ୬ ଗୁଣ ଅଧିକ ା କର୍ଣ୍ଣାଟକ (ବେଙ୍ଗାଲୁରୁରେ ସବୁଠାରୁ ଅଧିକ), ମହାରାଷ୍ଟ୍ର (ମୁମ୍ବାଇ ଓ ପୁଣେ), ଚେନ୍ନାଇ ଏବଂ କେରଳର କେତେକ ଅଞ୍ଚଳରେ ମଧ୍ୟ ସ୍ଵାଇନ୍ ଫ୍ଲୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ା ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଦିଲ୍ଲୀ ଏବଂ ପ୍ରଭାବିତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରି ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ICMR ବିଜ୍ଞାନୀଙ୍କ ଅନୁଯାୟୀ, ବର୍ତ୍ତମାନ ସକ୍ରିୟ ଥିବା ଭୂତାଣୁଟି ହେଉଛି A/Missouri/11/2025 (H1N1) pdm09-like virus. ଏହି ଷ୍ଟ୍ରେନ୍ଟି ୨୦୨୫ ମସିହାରୁ ଭାରତରେ ରହିଛି, ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ା
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରି ଅନୁସାରେ ନିମ୍ନଲିଖିତ ଲକ୍ଷଣ ପ୍ରତି ସତର୍କ ରହିବାକୁ କୁହାଯାଇଛି ା
- ପ୍ରବଳ ଜ୍ଵର ଓ କାଶ
- ତଣ୍ଟି କାଟିବା କିମ୍ବା ଗଳାରେ ଯନ୍ତ୍ରଣା
- ମୁଣ୍ଡବିନ୍ଧା ଓ ପ୍ରବଳ ଦେହ ହାତ ବିନ୍ଧା (Muscle pain)
- ରନି ନୋଜ୍ (ନାକରୁ ପାଣି ବୋହିବା) ଏବଂ କ୍ଳାନ୍ତି ଅନୁଭବ ହେବା
- ବାନ୍ତି, ଝାଡ଼ା ଏବଂ ଭୋକ ନଲାଗିବା
H1N1 ସାଧାରଣତଃ ନିଜେ ନିଜେ ଭଲ ହୋଇଯାଉଥିବା ଏକ ଜ୍ଵର. କିନ୍ତୁ ଛୋଟ ପିଲା, ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଏବଂ ପୂର୍ବରୁ ମଧୁମେହ (Diabetes), ହୃଦରୋଗ କିମ୍ବା କିଡନୀ ଜନିତ ସମସ୍ୟା ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ବିପଦଜନକ ହୋଇପାରେ ା
- ମାସ୍କ ବ୍ୟବହାର: ଜନଗହଳିପୂର୍ଣ୍ଣ ସ୍ଥାନ ଓ ବନ୍ଦ କୋଠରୀରେ ମାସ୍କ ପିନ୍ଧନ୍ତୁ.
- ହାତ ଧୋଇବା: ସାବୁନ୍ କିମ୍ବା ସାନିଟାଇଜରରେ ନିୟମିତ ହାତ ସଫା କରନ୍ତୁ.
- ନିଜେ ଔଷଧ ଖାଆନ୍ତୁ ନାହିଁ: କାଶ କିମ୍ବା ଜ୍ଵର ହେଲେ ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ ଖାଆନ୍ତୁ ନାହିଁ. ବିଶେଷ କରି ଶ୍ୱାସକ୍ରିୟାରେ କଷ୍ଟ (Breathing difficulty) ହେଲେ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ ା
