ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ତରଫରୁ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବଜ୍ରପାତର ରେଡ୍ ଆଲର୍ଟକୁ ଆଖି ଆଗରେ ରଖି ନବରଙ୍ଗପୁର ଜିଲ୍ଲାପାଳ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିଛନ୍ତି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆଜି ସମ୍ପୂର୍ଣ୍ଣ ବନ୍ଦ ରହିବ। ଲଗାଣ ବର୍ଷା ଏବଂ ଜଳବନ୍ଦୀ ସମସ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଛୁଟି ନିର୍ଦ୍ଦେଶ ଜାରି କରିଛନ୍ତି। ଭଦ୍ରକ ଜିଲ୍ଲାର ପ୍ରଭାବିତ ୩ଟି ନିର୍ଦ୍ଦେଶିତ ବ୍ଲକର ୮୯ଟି ସ୍କୁଲକୁ ଆଜି ବନ୍ଦ ରଖାଯାଇଛି। କଳାହାଣ୍ଡି ଜିଲ୍ଲାର ହାତୀ ନଦୀରେ ଆକସ୍ମିକ ବନ୍ୟା ପରିସ୍ଥିତି ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ସ୍ଥାନୀୟ ସ୍ଥିତିକୁ ଦେଖି ବ୍ଲକ୍ ଶିକ୍ଷା ଅଧିକାରୀ (BEO) ମାନଙ୍କୁ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ କୁହାଯାଇଛି।
