ନୂଆଦିଲ୍ଲୀ, ୧୨ /୦୯: ବିଶ୍ୱର ବଦଳୁଥିବା ଭୂ-ରାଜନୀତି ଏବଂ ଆର୍ଥିକ ଆହ୍ୱାନ ମଧ୍ୟରେ ଆଜି ଠାରୁ ରାଜଧାନୀ ନୂଆଦିଲ୍ଲୀର ସ୍ପେଶାଲ ଭେନ୍ୟୁ ‘ଭାରତ ମଣ୍ଡପମ’ ଠାରେ ଦୁଇ ଦିନିଆ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ା ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ହେଉଛି- ‘ବିଲ୍ଡିଂ ଫର୍ ରେଜିଲିଏନ୍ସ, ଇନୋଭେସନ, କୋଅପରେସନ ଆଣ୍ଡ ସଷ୍ଟେନବିଲିଟି’ ା ଏହି ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ସମେତ ସମସ୍ତ ସଦସ୍ୟ ଓ ଭାଗିଦାରୀ ଦେଶର ଶୀର୍ଷ ନେତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି ା
ପଶ୍ଚିମ ଏସିଆ ଓ ମଧ୍ୟ-ପ୍ରାଚ୍ୟ ସଙ୍କଟକୁ ନେଇ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ମତଭେଦ ଥିବା ସତ୍ତ୍ୱେ ଭାରତର କୂଟନୈତିକ ପ୍ରୟାସ ଯୋଗୁଁ ଯୁଗ୍ମ ବିବୃତି ବା ‘ଦିଲ୍ଲୀ ଘୋଷଣାନାମା’ ଉପରେ ସମସ୍ତେ ସହମତ ହୋଇଛନ୍ତି, ଯାହା ଭାରତ ପାଇଁ ଏକ ବଡ଼ ସଫଳତା ା ଏହି ଘୋଷଣାନାମାରେ ବିଶ୍ୱ ସଙ୍କଟର ସମାଧାନ ପାଇଁ ଯୁଦ୍ଧ ନୁହେଁ, ବରଂ ‘ଆଲୋଚନା ଓ କୂଟନୀତି’ ଉପରେ ଗୁରୁତ୍ୱ ଦିଆଯାଇଛି ା
ଦୀର୍ଘ ୭ ବର୍ଷ ପରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଭାରତ ମାଟିରେ ପାଦ ଥାପିଛନ୍ତି। ୨୦୨୦ ଗଲୱାନ ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗ୍ଙ୍କ ମଧ୍ୟରେ ହେବାକୁ ଥିବା ହାଇ-ପ୍ରୋଫାଇଲ ଦ୍ୱିପାକ୍ଷିକ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି ା ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମାଇବା ପାଇଁ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ା ସଦସ୍ୟ ଦେଶଗୁଡ଼ିକ ନିଜ ନିଜ ମଧ୍ୟରେ ବାଣିଜ୍ୟ କାରବାର ପାଇଁ ସ୍ଥାନୀୟ ମୁଦ୍ରାର ବ୍ୟବହାର ବଢ଼ାଇବା ସହ ନିଉ ଡେଭେଲପମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଏହାକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଛନ୍ତି ା ଆଜି ପ୍ରଥମ ଦିନରେ ‘ଅନ୍ତର୍ଭୁକ୍ତୀକରଣ ବିଶ୍ୱ ଶାସନ ଏବଂ ବହୁପାକ୍ଷିକତାର ସୁଦୃଢ଼ୀକରଣ’ ଶୀର୍ଷକ ଏକ ବନ୍ଦ କୋଠରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ଏହାପରେ ବିଶ୍ୱ ନେତାମାନେ ‘ଭାରତ ଇନୋଭେଟ୍ସ’ ପ୍ରଦର୍ଶନୀ ବୁଲି ଦେଖିବା ସହ ମିଳିତ ଭାବେ ବୃକ୍ଷରୋପଣ କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ନୈଶଭୋଜିରେ ସମସ୍ତ ଅତିଥି ଯୋଗ ଦେଇଛନ୍ତି ା ସମ୍ମିଳନୀକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀରେ ୩୦, ୦୦୦ ରୁ ଅଧିକ ଅତିରିକ୍ତ ସୁରକ୍ଷାକର୍ମୀଧ ମୁତୟନ କରାଯାଇଛି. ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ଟ୍ରାଫିକ କଟକଣା ଜାରି କରାଯିବା ସହ ସମଗ୍ର ସେଣ୍ଟ୍ରାଲ ଦିଲ୍ଲୀ ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି ା ଆସନ୍ତାକାଲି (୧୩ ସେପ୍ଟେମ୍ବର) ଅଂଶୀଦାର ଦେଶଗୁଡ଼ିକୁ ନେଇ ମୁକ୍ତ ଅଧିବେଶନ ଅନୁଷ୍ଠିତ ହେବ ା
