କଟକ, ୧୨/୦୯(ଜେଏନ୍ଏସ୍): ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ‘କଳିଙ୍ଗ ରତ୍ନ’ ପୁରସ୍କାର ୨୦୨୬ ପ୍ରଦାନ କରାଯାଇଛି। କଟକର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜଷ୍ଟିସ ମିଶ୍ରଙ୍କୁ ଏହି ସମ୍ମାନଜନକ ରାଜ୍ୟସ୍ତରୀୟ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ମା’ ସରସ୍ୱତୀଙ୍କ ଏକ ରୌପ୍ୟ ପ୍ରତିମା ଏବଂ ମାନପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୁରସ୍କାର ଗ୍ରହଣ କରି ଜଷ୍ଟିସ ଦୀପକ ମିଶ୍ର ନିଜ ମାଟି ସହ ଜଡ଼ିତ ସ୍ମୃତି ଚାରଣ କରି କହିଥିଲେ ଯେ, ଜଣେ ମଣିଷ ଜୀବନରେ ଯେତେ ଦୂରକୁ ଗଲେ ମଧ୍ୟ ତାର ଜନ୍ମମାଟି ସର୍ବଦା ତା’ର ପରିଚୟ ଓ ସାଂସ୍କୃତିକ ଉତ୍ତରାଧିକାରକୁ ଗଢ଼ିଥାଏ। ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖ ଥିବା ‘ଭ୍ରାତୃଭାବ’ ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ, ଏହା ଜାତି, ଧର୍ମ, ଭାଷା ଏବଂ ସାମାଜିକ ସ୍ଥିତିର ଊର୍ଦ୍ଧ୍ୱରେ ଏକ ଜୀବନ୍ତ ନୈତିକ ବନ୍ଧନ। ଅନ୍ୟ ଜଣକର ସମ୍ମାନକୁ କ୍ଷୁର୍ଣ୍ଣ କରି କେବେ ହେଲେ ନିଜର ଗୌରବ ରକ୍ଷା କରାଯାଇପାରିବ ନାହିଁ। ଯୁଦ୍ଧ କେବଳ ବିଜୟ ଆଣିଥାଏ କିନ୍ତୁ ଶାନ୍ତି ନୁହେଁ, ଏହା କେବଳ ଭବିଷ୍ୟତ ପିଢ଼ି ପାଇଁ ଘୃଣା ଓ କୋହ ଛାଡ଼ିଯାଏ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ଓଡ଼ିଆ ସାହିତ୍ୟ ଜଗତକୁ ଦୀର୍ଘ ୬ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ କଥାକାର ଡ. ରାମଚନ୍ଦ୍ର ବେହେରାଙ୍କୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷର ‘ସାରଳା ସମ୍ମାନ’ ରେ ସମ୍ମାନିତ କରାଯାଇଛି। ସଂସଦର ପ୍ରତିଷ୍ଠାତା ସଭାପତି ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
