ଓଡ଼ିଶାର ଯୁବପିଢ଼ି ଚାହେଁ ନିଯୁକ୍ତି । ଆମ ରାଜ୍ୟରେ ଏତେ ସବୁ ଖଣିଜ ସମ୍ପଦ, ଜଳ ସମ୍ପଦ, ବନ ସମ୍ପଦ ଥିବା ସତ୍ତ୍ବେ ଓଡ଼ିଶାର ଲକ୍ଷ ଲକ୍ଷ ପିଲା ଓଡ଼ିଶା ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି କାହିଁକି ? ସରକାର ପରେ ସରକାର ବିଭିନ୍ନ ଯୋଜନା ପ୍ରଣଯନ କରିବା ସତ୍ତ୍ବେ ବେକାରି ସମସ୍ୟା କାହିଁକି ଦୂର ହେଉ ନାହିଁ ? ଗତ ସପ୍ତାହରେ ଆମେ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ପ୍ରଣୀତ ‘ଦାରିଦ୍ର୍ଯ୍ୟ ଦୂରୀକରଣ ଯୋଜନା’ ବିଷୟରେ ଆଲୋଚନା କରିଥିଲେ । ସରକାରୀ ସବସିଡି ସତ୍ତ୍ବେ, ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ବେ, ସମସ୍ତ ସରକାରୀ ଚାପ ସତ୍ତ୍ବେ କାହିଁକି ଯୋଜନାଟି ବିଶେଷ ସଫଳତା ଲାଭ କଲା ନାହିଁ ?
ଏହାର ଏକ ପ୍ରମୁଖ କାରଣ ହେଲା ଉକ୍ତ ଯୋଜନାର ହିତାଧିକାରୀମାନଙ୍କୁ ସଠିକ ଭାବରେ ପ୍ରସ୍ତୁତ କରାଯାଇ ନ ଥିଲା। ଯେଉଁମାନଙ୍କ ପାଇଁ ଯୋଜନାଟି ପ୍ରସ୍ତୁତ ହୋଇଥିଲା ସେମାନେ ସମାଜର ସବୁଠାରୁ ଦୁର୍ବଳ ବ୍ୟକ୍ତି ଥିଲେ । ସେମାନଙ୍କର ଦୈନନ୍ଦିନର ଆବଶ୍ୟକତା ଏତେ ଅଧିକ ଥିଲା ଯେ, ସେମାନେ ଯାହା କିଛି ସାହାଯ୍ୟ ପାଇଲେ ତାହା ଉକ୍ତ ଆବଶ୍ୟକତା ପାଇଁ ଖର୍ଚ୍ଚ କରି ଦେଲେ । ବ୍ୟାଙ୍କରୁ ଋଣ ନେଲେ ତାହାକୁ କିଭଳି ସତର୍କତାର ସହ କାମରେ ଲଗାଇବାକୁ ହେବ, ତାହା ମାଧ୍ୟମରେ କିଭଳି ଦାରିଦ୍ର୍ଯ୍ୟର ବଳୟ ମଧ୍ୟରୁ ଉପରକୁ ଉଠିବାକୁ ହେବ ତାହା ସେମାନଙ୍କୁ ପ୍ରାୟ ଜଣା ନ ଥିଲା । ସାହୁକାରଠାରୁ ଋଣ ନେଇ ବଞ୍ଚିବା, କଷ୍ଟ କରି ସେହି ଋଣ ଶୁଝିବା ଓ ପୁଣି ଥରେ ଋଣ ନେବା – ଏହା ଥିଲା ସେମାନଙ୍କର ଘରୋଇ ଅର୍ଥନୀତି, ଏକ ବିଷ ବଳୟ । ସେମାନଙ୍କୁ ‘ସାମାନ୍ୟ ବଞ୍ଚିବା’ ରୁ ‘ବ୍ୟବସାୟ କରିବା’ ଆଡ଼କୁ ଆକୃଷ୍ଟ କରିବା ଯେ, ମନସ୍ତାତ୍ତ୍ବିକସ୍ତରରେଏକ ବୈପ୍ଲବିକ ପରିବର୍ତ୍ତନ ତାହା ବୁଝିବା ବେଳକୁ ସମୟ ଅନେକ ଅତିକ୍ରାନ୍ତ ହୋଇ ଯାଇଥିଲା ।
ଆଜି ଯେଉଁ ଯୋଜନା ପ୍ରଣୟନକାରୀମାନେ ଯୁବକମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟିକାରୀ ଯୋଜନା କରୁଛନ୍ତି ସେମାନେ ମନେ ରଖିବା ଉଚିତ ଯେ ଇନ୍ଦିରା ଗାନ୍ଧୀଙ୍କର ଦାରିଦ୍ର୍ଯ୍ୟ ଦୂରୀକରଣ ଯୋଜନା ଯେଉଁ ସବୁ ତ୍ରୁଟିର ସମ୍ମୁଖୀନ ହୋଇଥିଲା ତାହାର ପୁନରାବୃତ୍ତି ନ ହେଉ । ଉଦାହରଣ ସ୍ବରୂପ,ମୁଦ୍ରା ଋଣ ପାଇଁ ଶହ ଶହ ପ୍ରୋଜେକ୍ଟ ରହିଛି । ଉକ୍ତ ଋଣ ପାଇଁ ବନ୍ଧକର ଆବଶ୍ୟକତା ନାହିଁ । ସବସିଡିର ମଧ୍ୟ ବ୍ୟବସ୍ଥା ଅଛି । କିନ୍ତୁ ଯଦି ସେଥିପାଇଁ ଯୁବକ ଯୁବତୀମାନଙ୍କୁ ପ୍ରସ୍ତୁତ କରା ନ ଯାଏ, ତେବେ ଦାରିଦ୍ର୍ଯ୍ୟ ଦୂରୀକରଣ ଯୋଜନାର ପୁନରାବୃତ୍ତି ହେବ ।
କୃଷି କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ । କୃଷିକୁ ଉଦ୍ୟୋଗର ରୂପ ଦେବା ପାଇଁ ‘ଆପିକଲ’ ନାମକ ଏକ ସଂସ୍ଥା ତିଆରି କରାଯାଇଛି । ବ୍ୟାବସାୟିକ ଫଳଚାଷ, ଛତୁଚାଷ, ଫୁଲଚାଷ, ମତ୍ସ୍ୟଚାଷ, ପଶୁପାଳନ ପ୍ରକଳ୍ପ ଆଦି ପାଇଁ ଏଇ ସଂସ୍ଥାର ସୃଷ୍ଟି । ଯେଉଁ କୃଷି ଉଦ୍ୟୋଗୀମାନେ ଏଭଳି ପ୍ରକଳ୍ପ ସ୍ଥାପନ କରିବାକୁ ଚାହାନ୍ତି ସେମାନେ ବ୍ୟାଙ୍କରୁ ଋଣ ପାଇବେ ଓ ଆପିକଲ ମାଧ୍ୟମରେ ସବସିଡି ପାଇ ପାରିବେ । କିନ୍ତୁ ଜଣେ ଯୁବକ ବା ଯୁବତୀକୁ ଏ ବିଷୟରେ ପରାମର୍ଶ ଦେବ କିଏ ? କେଉଁ ପ୍ରକଳ୍ପ କେତେ ବଡ଼ ହେବା ଉଚିତ, କେଉଁଥିରେ କେତେ ଲାଭ କେଉଁଥ ପାଇଁ ବଜାର ସୁବିଧା ଅଛି, ପ୍ରକଳ୍ପ ପାଇଁ ମେସିନ ମିଳିବ କେଉଁଠୁ, ତା ପାଇଁ ବୈଷୟିକ ଜ୍ଞାନ କେଉଁଠୁ ମିଳିବ – ଇତ୍ୟାଦି ଅନେକ ପ୍ରଶ୍ନ ମନରେ ଉଠେ । ଯେ ପର୍ଯ୍ୟନ୍ତ ଏ ପ୍ରଶ୍ନଗୁଡ଼ିକର ସନ୍ତୋଷଜନକ ଉତ୍ତର ନ ମିଳିଛି ସେ ପର୍ଯ୍ୟନ୍ତ ଯୁବକ ବା ଯୁବତୀଟି ଋଣ ନେବା ଉଚିତ ନୁହେଁ । କାରଣ ଅସମ୍ପୂର୍ଣ୍ଣ ଜ୍ଞାନ ନେଇ କୌଣସି କାର୍ଯ୍ୟ ଆରମ୍ଭ କରିବା ବିପଜ୍ଜନକ। ଅର୍ଥାତ ସେ ବ୍ୟକ୍ତିଟି ପ୍ରକଳ୍ପ ସ୍ଥାପନ ପାଇଁ ପ୍ରସ୍ତୁତ ନୁହଁ ।
କୃଷି କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସୁଛି। ପରିବାର ବଢ଼ିବା ସଙ୍ଗେ ସଙ୍ଗେ ମୁଣ୍ଡ ପିଛା ଜମି ପରିମାଣ କମିବାରେ ଲାଗିଛି । ତାହା ଫଳରେ ବ୍ୟକ୍ତିଗତ ଚାଷରେ ଲାଭ ପରିମାଣ କମି ଯାଉଛି । କୃଷିକୁ ପୁଣି ଥରେ ଲାଭଜନକ କରିବା ପାଇଁ ଏକ ପ୍ରକୃଷ୍ଟ ଉପାୟ ହେଉଛି ସମଷ୍ଟିଗତ ଚାଷ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ‘କୃଷକ ଉତ୍ପାଦକ ସଂଘ’ର ସୃଷ୍ଟି । ୩୦୦ରୁ ୫୦୦ ଜଣ ଚାଷୀଙ୍କୁ ନେଇ ଏଇ ସଂଘ ଗଢ଼ାଯାଏ । ଚାଷୀମାନେ ନିଜ ନିଜ ଜମିର ସତ୍ତ୍ବ ହରାନ୍ତି ନାହିଁ । କିନ୍ତୁ ସମସ୍ତେ ଏକାଠି ବସି କେଉଁ ଜମିରେ କି ପ୍ରକାରର ଚାଷ ହୋଇପାରିବ, କେଉଁଠାରୁ ବିହନ, ସାର, ଔଷଧ ଆଦି କିଣାଯିବ କିଭଳି ଭାବରେ କୃଷିଜାତ ଦ୍ରବ୍ୟର ବିକ୍ରି କରାଯିବ, ଉତ୍ପାଦିତ ଦ୍ରବ୍ୟର ସଂରକ୍ଷଣ ପାଇଁ କ’ଣ ବ୍ୟବସ୍ଥା କରାଯିବ ଇତ୍ୟାଦିର ନିଷ୍ପତ୍ତି ନିଅନ୍ତି । ସମଷ୍ଟିଗତ ଚାଷ ହେଲେ ଏକାଠି ବିହନ, ସାର ଆଦି କିଣିବା ଫଳରେ ତହିଁରେ ରିହାତି ମିଳେ। ବିଶେଷଜ୍ଞ ମାନେ ଗୋଟିଏ ଗାଁ ବା ନିକଟବର୍ତ୍ତୀ ଗାଁକୁ ଯାଇ ବୈଷୟିକ ପରାମର୍ଶ ଦେବା ସହଜ ହୁଏ । ବଡ଼ ବଡ଼ ବଜାର ସହ ସହବନ୍ଧିତ ହେବା ପାଇଁ ରାସ୍ତା ଖୋଲିଯାଏ । କିନ୍ତୁ ଗୋଟିଏ ‘କୃଷକ ଉତ୍ପାଦକ ସଂଘ’ ଗଢ଼ିବା, ତାକୁ ଚଳାଇବା, ତାହାର ବିଭିନ୍ନ ସାମଗ୍ରୀ ନେବା ଆଣିବା– ଏ ସମସ୍ତ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ କଅଣ ବ୍ୟବସ୍ଥା ଅଛି ?
ଅଣୁ ଓ କ୍ଷୁଦ୍ରଶିଳ୍ପ କ୍ଷେତ୍ରରେ ମଧ୍ୟ ସେହି ଅବସ୍ଥା। ଦେଖା ଯାଇଛି ଯେ, କିଛି ଯୁବକ ଚାକିରି ନ ପାଇ ବାପା-ମା’ଙ୍କ ଠାରୁ ସାହାଯ୍ୟ ନେଇ ଗୋଟିଏ ବ୍ୟବସାୟ ଆରମ୍ଭ କରି ଦିଅନ୍ତି। କିଏ ଜଳଖିଆ ବିକେ, କିଏ ଫାବ୍ରିକେଶନ ଦୋକାନ କରେ, କିଏ ଦୋକାନ ଟିଏ ଖୋଲେ । ଅନେକ ସମୟରେ ଦେଖାଯାଇଛି ଯେ, ଅନ୍ୟକୁ ଦେଖି ସେ ତାହାର ବ୍ୟବସାୟ ବାଛେ। ଯଦି ଗୋଟିଏ ଫାବ୍ରିକେଶନ ଦୋକାନ ଅଛି ତେବେ ତାକୁ ଦେଖି ଆଉ ଦୁଇ ଜଣ ସେହି ଫାବ୍ରିକେଶନ ଦୋକାନ ଖୋଲନ୍ତି । କିଛି ଦିନ ପରେ ସମସ୍ତେ କ୍ଷତି ସହନ୍ତି । ଏହାର କାରଣ ହେଲା ଓଡ଼ିଆମାନଙ୍କର ବ୍ୟବସାୟ ଅନୁଭୂତି ନାହିଁ। କେଉଁ ପ୍ରକଳ୍ପର କ’ଣ ବ୍ୟବସାୟ ସମ୍ଭାବନା ରହିଛି ସେ ସମ୍ପର୍କରେ ସଠିକ ଜ୍ଞାନ ପ୍ରାୟ ମିଳେ ନାହିଁ ।
ଅପର ପକ୍ଷରେ ଓଡ଼ିଶାରେ ଅଣୁ ଓ କ୍ଷୁଦ୍ରଶିଳ୍ପ ପାଇଁ ଅପର୍ଯ୍ୟାପ୍ତ ସମ୍ଭାବନା ରହିଛି। ଓଡ଼ିଶାର ଖଣିଜ ସମ୍ପଦକୁ ବ୍ୟବହାର କରି ଇସ୍ପାତ, ଆଲୁମିନିୟମ, ପ୍ଲାଷ୍ଟିକ ଆଦି ଅନେକ ବୃହତ ଶିଳ୍ପ ଗଢ଼ି ଉଠିଛି । ସେଗୁଡ଼ିକରେ ଉତ୍ପାଦିତ ହେଉଥିବା ଇସ୍ପାତ ବା ଆଲୁମିନିୟମ ଖଣ୍ଡ ବା ପ୍ଲାଷ୍ଟିକ ଦାନାକୁ ବ୍ୟବହାର କରି ଅନେକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଯାଇ ପାରିବ । ଘର ତିଆରିରେ ବ୍ୟବହୃତ ହେଉଥିବା ସାମଗ୍ରୀ ହେଉ ବା ଘର କରଣା ସାମଗ୍ରୀ ହେଉ, ଶହ ଶହ ପ୍ରକଳ୍ପ ପ୍ରତିଷ୍ଠା ହୋଇପାରିବ । କିନ୍ତୁ ସେ ବିଷୟରେ ଧାରଣା ମିଳିବ କେଉଁଠୁ ? ସରକାରଙ୍କ ପକ୍ଷରୁ ସେଥିପାଇଁ ଡିଆଇସି ବା ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । କିନ୍ତୁ ସେଠାରେ ସବୁ ପ୍ରକଳ୍ପ ବିଷୟରେ ସଠିକ ଧାରଣା ପ୍ରାୟତଃ ମିଳେ ନାହିଁ । ଏହା ଛଡ଼ା ବୃହତ ଶିଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅନେକ ଗୁଡ଼ିଏ ସଂସ୍ଥାର ଆବଶ୍ୟକତା ଅଛି । କିନ୍ତୁ ତାହାକୁ କିଭଳି ଭାବରେ ବ୍ୟବସ୍ଥିତ କରାଯିବ ସେ ସମ୍ପର୍କରେ କିଏ ଜ୍ଞାନ ଦେବ ?
ଉପରେ ବର୍ଣ୍ଣିତ ସୁଦୀର୍ଘ ଆଲୋଚନାରୁ ଏହା ଜଣାଗଲା ଯେ, କୃଷି ହେଉ ବା କ୍ଷୁଦ୍ରଶିଳ୍ପ, ପଶୁପାଳନ ହେଉ ବା ପର୍ଯ୍ୟଟନ – ଏ ସବୁ ପ୍ରକଳ୍ପଗୁଡ଼ିକ ସଫଳ କରିବା ପାଇଁ ଜ୍ଞାନର ଅଭାବ ରହିଛି । ଯୋଜନା ହେଉଛି କିନ୍ତୁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଉପଯୁକ୍ତ ମାନବ ସମ୍ବଳ ନାହିଁ । ଅପ୍ରସ୍ତୁତ ହିତାଧିକାରୀଙ୍କ ଯୋଗୁଁ ଅପରିପକ୍ବ ପ୍ରକଳ୍ପମାନ ଜନ୍ମ ନେଉଛନ୍ତି । ଓଡ଼ିଶାର ଜନସଂଖ୍ୟା ଓ ଶିକ୍ଷିତ ବ୍ୟକ୍ତିଙ୍କ ସଂଖ୍ୟାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜଣାଯିବ ଯେ, ପ୍ରତିବର୍ଷ ଅନ୍ତତଃ ଦଶ ହଜାର ନୂଆ ପ୍ରକଳ୍ପ ପ୍ରତିଷ୍ଠା ନ ହେଲେ ଓଡ଼ିଶା ଏକ ଉନ୍ନତ ରାଜ୍ୟରେ ପରିଣତ ହୋଇ ପାରିବ ନାହିଁ । ଦଶ ହଜାର ପ୍ରକଳ୍ପ ପାଇଁ ଏକ ହଜାର ବିଶେଷଜ୍ଞ ଆବଶ୍ୟକ । ଦଶ ହଜାର ପ୍ରକଳ୍ପ ପାଇଁ ଏକ ଲକ୍ଷ କୁଶଳୀ ଓ ଶିକ୍ଷିତ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି । ଏହା ହିଁ ହେଉଛି ପ୍ରଗତିର ବ୍ଲୁ ପ୍ରିଣ୍ଟ ।
ଆଜିକା ଦିନରେ ଏତେ ସଂଖ୍ୟକ ବିଶେଷଜ୍ଞ ଓ କୁଶଳୀ ତଥା ଶିକ୍ଷିତ ଯୁବକ ଯୁବତୀ ଓଡ଼ିଶାରେ ଅଛନ୍ତି ତ ? ଏ ପରିପ୍ରେକ୍ଷୀରେ ଗୋଟିଏ ନିଚ୍ଛକ ସତ୍ୟ ଉପସ୍ଥାପନ କରିବାକୁ ଚାହେଁ । ସରକାର ପରେ ସରକାର କେତେକ ବିଶ୍ବପ୍ରସିଦ୍ଧ ବିଶେଷଜ୍ଞ କମ୍ପାନୀ, ଯଥା ଡେଲଏଟ୍, ପିଡବଲ୍ୟୁସି ଇତ୍ୟାଦିଙ୍କୁ ସବୁ ପ୍ରକାରର ଜ୍ଞାନ ପାଇଁ ବ୍ୟବହାର କରି ଆସୁଛନ୍ତି । କୃଷି, ଶିଳ୍ପ, ଜଳ ପରିଚାଳନା, ପରିମଳ ବ୍ୟବସ୍ଥା – ସବୁଠାରେ ସେମାନେ ହିଁ ଅଛନ୍ତି। ସେମାନଙ୍କ ଦ୍ବାରା ନିଯୁକ୍ତ ଅଧିକାଂଶ ବ୍ୟକ୍ତି ଓଡ଼ିଶା ବାହାରର । ସେମାନଙ୍କର ଜ୍ଞାନ ଉପରେ ଟିପ୍ପଣୀ ଦେବା ମୋର ଉଦ୍ଦେଶ୍ୟ ନୁହେଁ । ତେବେ ଯେଉଁ ପ୍ରକାରର କାର୍ଯ୍ୟ ଓଡ଼ିଶାରେ ଅଛି ସେଥିପାଇଁ ଓଡ଼ିଆ ଭାଷାର ଜ୍ଞାନ ଅତ୍ୟନ୍ତ ଜରୁରୀ । କାରଣ ଓଡ଼ିଶାର ପ୍ରଗତି ଇଂରାଜୀ ଭାଷାର ଚାତୁର୍ଯ୍ୟ ଦ୍ବାରା ସମ୍ଭବ ନୁହେଁ । ଓଡ଼ିଶାର ବିକାଶ ପାଇଁ ତୃଣମୂଳ ସ୍ତରରେ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଆବଶ୍ୟକ । ସେମାନେ ଓଡ଼ିଶାର ପୂରପଲ୍ଲୀରେ କାମ କରିବା ଆବଶ୍ୟକ। ସେଥିପାଇଁ ଆବଶ୍ୟକ ଏକ ଯୁବ ବାହିନୀ। ଆମକୁ ସେଇ ବାହିନୀକୁ ପ୍ରସ୍ତୁତ କରିବାକୁ ହେବ ।
ସ୍ବାଧୀନତା ଆନ୍ଦୋଳନ ସମୟରେ ପୂରପଲ୍ଲୀରେ ଏକ ମାଦକତା ଥିଲା । ଲୋକେ ହସି ହସି ଜୀବନ ଦେଇ ଦେଉଥିଲେ। ସ୍ବାଧୀନତା କ’ଣ ତାହା ନ ଜାଣି ମଧ୍ୟ ସେ ବହ୍ନିରେ ଝାସ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଉ ନ ଥିଲେ। ଆଜି ଆମେ ସ୍ବାଧୀନ। ଆମେ ଏକ ସ୍ବତନ୍ତ୍ର ପ୍ରଦେଶ । ଭାଷା ଆମର ସବୁଠାରୁ ବଡ଼ ପୁଞ୍ଜି । କିନ୍ତୁ ଆମେ ଗଣ ଦୌଡ଼ରେ ପଛରେ ପଡ଼ି ଯାଇଛୁ। ଆମକୁ ଦୌଡ଼ିବାକୁ ହେବ। ଅନ୍ୟମାନଙ୍କଠାରୁ ଆହୁରି ଅଧିକ ବେଗରେ ଦୌଡ଼ିବାକୁ ହେବ । ସେଥିପାଇଁ ଆବଶ୍ୟକ ଭିନ୍ନ ଏକ ମାଦକତା । ଓଡ଼ିଶାର ଶିକ୍ଷିତ ଯୁବପିଢ଼ି ମଧ୍ୟରେ ସେହି ମାଦକତା ଅଛି କି ?
ଆସନ୍ତା ସପ୍ତାହରେ ସେ ବିଷୟରେ ଆଲୋଚନା କରିବା ।
