ବିଏମସିର କୋରଡ଼ ପ୍ରହାର ବିରୁଦ୍ଧରେ ଆମେ ଭୁବନେଶ୍ୱରିଆ
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପଢ଼ୀଙ୍କୁ ଭେଟିଲେ ପ୍ରତିନିଧିମଣ୍ଡଳ, ନୋଟିସ୍ ଓ ସିଲିଂ ରୋକିବାକୁ ଦାବି
ନୋଟିସ୍ ଦ୍ୱାରା ନାଗରିକଙ୍କୁ ଆତଙ୍କିତ କରାଯିବ ନାହିଁ, ସହୃଦୟତାର ସହ ବିଚାର କରାଯିବ: ଏସିଏସ୍
ଭୁବନେଶ୍ୱର, ୨୯/୦୮ (ଜେଏନ୍ଏସ୍): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଜାରି କରାଯାଇଥିବା ପ୍ରାୟ ୪,୬୨୩ଟି ଶୋ-କଜ୍ ନୋଟିସ୍ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍ କରାଯିବା ବିରୁଦ୍ଧରେ ‘ଆମେ ଭୁବନେଶ୍ୱରିଆ’ ସଂଗଠନ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି। ଆଜି ‘ଆମେ ଭୁବନେଶ୍ୱରିଆ’, ଭୁବନେଶ୍ୱର ଉନ୍ନୟନ ପରିଷଦ, ଜନ ଜାଗରଣ ତଥା ସହଯୋଗୀ ଆବାସିକ କଲ୍ୟାଣ ସମିତି, ହାଉସିଂ ସୋସାଇଟି ଓ ଛୋଟ ବ୍ୟବସାୟୀଙ୍କ ଏକ ମିଳିତ ପ୍ରତିନିଧିମଣ୍ଡଳ ଗୃହ ଓ ନଗର ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ) ଶ୍ରୀମତୀ ଉଷା ପଢ଼ୀଙ୍କୁ ସାକ୍ଷାତ କରି ଏକ ଜରୁରୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ‘ଆମେ ଭୁବନେଶ୍ୱରିଆ’ର ସଭାପତି ଶ୍ରୀ ବିଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନାରେ ଆବାହକ ବାସୁଦେବ ଭଟ୍ଟ, ସମ୍ପାଦକ ପ୍ରଣବ ସ୍ୱାଇଁ, ମୁଖ୍ୟ ସଂଯୋଜକ ସଞ୍ଜୟ ଦାସ, ବରିଷ୍ଠ ସଦସ୍ୟ କୈଳାସ ମହାପାତ୍ର, ପ୍ରଦ୍ୟୁମ୍ନ ଦାସ, ନାରାୟଣ ମହାପାତ୍ର ଓ ନିଶିଥ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
୨୦୨୫ ଗେଜେଟ୍ ବିଜ୍ଞପ୍ତିକୁ ବିଏମସିର ଅଣଦେଖା
ପ୍ରତିନିଧିମଣ୍ଡଳ ଦର୍ଶାଇଛନ୍ତି ଯେ, ବିଏମସିର ଉତ୍ତର ଜୋନ୍ର ୧,୭୧୨, ଦକ୍ଷିଣ-ପୂର୍ବ ଜୋନ୍ର ୧,୩୮୧ଟି ଏବଂ ଅନ୍ୟାନ୍ୟ ଜୋନ୍କୁ ମିଶାଇ ସମୋଟ ୪,୬୨୩ଟି ପ୍ରାଙ୍ଗଣକୁ ବାଣିଜ୍ୟିକ ନକ୍ସା ଓ ଅଧିଭୋଗ ପ୍ରମାଣପତ୍ର (ଙମମଙ୍କକ୍ଟ୍ରବଦ୍ଭମଚ୍ଚ ଉରକ୍ସଗ୍ଧସଲସମବଗ୍ଧର) ନଦେଲେ ସିଲିଂ କିମ୍ବା ଭାଙ୍ଗିଦେବାର ଧମକପୂର୍ଣ୍ଣ ନୋଟିସ୍ ଦିଆଯାଇଛି। ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇବା ସତ୍ତ୍ୱେ ବିଏମସିର ଏହି ଯାନ୍ତ୍ରିକ କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାରଙ୍କ ୧୫ ନଭେମ୍ବର ୨୦୨୫ ଗେଜେଟ୍ ବିଜ୍ଞପ୍ତି ବିରୁଦ୍ଧ ଅଟେ।
ସଂଶୋଧିତ ଗେଜେଟ୍ ନିୟମ ଅନୁସାରେ “ଆବାସିକ ଭବନ” ସଂଜ୍ଞା ମଧ୍ୟରେ ବୃତ୍ତିଜୀବୀ ବାସଗୃହ, ଭଡ଼ା ଆବାସ, ପି.ଜି., ହୋମ୍ଷ୍ଟେ, ହଷ୍ଟେଲ ଓ ଅତିଥି ଗୃହ ଅନ୍ତର୍ଭୁକ୍ତ। ଏପରିକି ଆବାସିକ ଜୋନ୍ରେ ୨୩ଟି ବ୍ୟବହାର ପୂର୍ବରୁ ଅନୁମୋଦିତ ହୋଇସାରିଛି। ଯାହା ନିୟମାନୁସାରେ ଆବାସିକ ଜୋନ୍ରେ ବୈଧ, ତାହା ପାଇଁ ବାଣିଜ୍ୟିକ ନକ୍ସା ମାଗିବା ଓ ଶୁଣାଣି ବିନା ଦୋକାନ ସିଲ୍ କରିବା ସମ୍ପୂର୍ଣ୍ଣ ଅନୁଚିତ।
ଆମେ ଭୁବନେଶ୍ୱରିଆ’ର ୬ ଦଫା ଦାବି
୧. ସିଲିଂ, ଭାଙ୍ଗିବା, ବିଦ୍ୟୁତ୍ ଓ ଜଳ ସଂଯୋଗ ବିଚ୍ଛିନ୍ନ କରିବା ଭଳି କଠୋର କାର୍ଯ୍ୟାନୁଷ୍ଠାନ ତୁରନ୍ତ ସ୍ଥଗିତ ରଖାଯାଉ।
୨. ୨୦୨୫ ଗେଜେଟ୍ ବିଜ୍ଞପ୍ତି ଏବଂ ୨୩ଟି ଅନୁମୋଦିତ ବ୍ୟବହାର ନିୟମର ପ୍ରଥମେ ପରୀକ୍ଷା କରାଯାଉ।
୩. ଆବଶ୍ୟକୀୟ ନଥିପତ୍ର ଯୋଗାଡ଼ କରିବା ପାଇଁ ନାଗରିକଙ୍କୁ ଅତିକମରେ ୬ ମାସ ସମୟ ଦିଆଯାଉ।
୪. ନାଗରିକ ପରାମର୍ଶ, ଆଲୋଚନା ଓ ସଚେତନତା ପାଇଁ ବିଏମସି ପଦକ୍ଷେପ ନେଉ।
୫. ଏକ “ସର୍ବକ୍ଷମା ଯୋଜନା” (ଇଜ୍ଞଦ୍ଭରଗ୍ଦଗ୍ଧଚ୍ଚ ଝମଷରଜ୍ଞର) ମାଧ୍ୟମରେ ଅନିୟମିତତା ନିୟମିତକରଣ ପାଇଁ ସରକାର ନୀତି ପ୍ରଣୟନ କରନ୍ତୁ।
୬. କେବଳ ଜନସୁରକ୍ଷା ବିପନ୍ନ କରୁଥିବା ବଡ଼ ଧରଣର ଅବୈଧ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ ହେଉ।
ଏସିଏସ୍ଙ୍କ ଆଶ୍ୱାସନା
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପଢ଼ୀ ପ୍ରତିନିଧିମଣ୍ଡଳର ସମସ୍ତ ଦାବିକୁ ସହୃଦୟତାର ସହ ଶୁଣିବା ସହ ସେଗୁଡ଼ିକର ବିଚାର କରିବାକୁ ଆଶ୍ୱାସନା ଦେଇଛନ୍ତି। ନୋଟିସ୍ ଦ୍ୱାରା ଭୁବନେଶ୍ୱରବାସୀଙ୍କୁ ଆତଙ୍କିତ କରାଯିବ ନାହିଁ ଏବଂ ‘ଆମେ ଭୁବନେଶ୍ୱରିଆ’ ସହ ସ୍ୱତନ୍ତ୍ର ପରାମର୍ଶ ବୈଠକ ଡକାଯାଇ ୨୦୨୫ ଗେଜେଟ୍ ଅଧୀନରେ ନିୟମିତକରଣ ପାଇଁ ସୁବ୍ୟବସ୍ଥିତ ପ୍ରକ୍ରିୟା ଆପଣାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ୟୁଜର ଫି ବାବଦକୁ ଅଫିଡ଼ାବିଟ୍ ଦେବା ପାଇଁ ବିଏମସିକୁ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ଅନୁରୋଧକୁ ସେ ଯଥାଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି କହିଛନ୍ତି।
ନେତୃବୃନ୍ଦଙ୍କ ପ୍ରତିକ୍ରିୟା
“କୋର୍ଟଙ୍କ ନାମରେ ଜବରଦସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ, କାରଣ କୋର୍ଟ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। ୨୦୨୫ ଗେଜେଟ୍ରେ ଆବାସିକ ଅନୁମତି ଅଧୀନରେ ବିଭିନ୍ନ କାର୍ୟ୍ୟ ଅନୁମୋଦିତ ଅଛି, ଯାହାକୁ ବିଏମସି ଅଣଦେଖା କରିପାରିବ ନାହିଁ। ସରକାର ଏକ ସନ୍ତୁଳିତ ଓ ଜନହିତକାରୀ ନୀତି ଗ୍ରହଣ କରିବେ ବୋଲି ଏସିଏସ୍ ଆଶ୍ୱାସନା ଦେଇଛନ୍ତି।”
ବିଜୟ କୁମାର ପଟ୍ଟନାୟକ, ସଭାପତି, ଆମେ ଭୁବନେଶ୍ୱରିଆ
“ବିଏମସି କୌଣସି ପଦକ୍ଷେପ ନେବା ପୂର୍ବରୁ ନାଗରିକଙ୍କ ସହ ଆଲୋଚନା କରୁ। ଟ୍ରେଡ୍ ଲାଇସେନ୍ସ ପ୍ରକ୍ରିୟା ବନ୍ଦ ହେଲେ ଛୋଟ ଓ ସୀମାନ୍ତ ବ୍ୟବସାୟୀଙ୍କ ରୋଜଗାର ବନ୍ଦ ହୋଇଯିବ। ନୋଟିସ୍ ଦେବାରେ ପକ୍ଷପାତିତା କିମ୍ବା ରାଜନୈତିକ ଚାପ ରହିବା ଉଚିତ ନୁହେଁ। ନୋଟିସ୍ ଦିଆଯିବା ମାତ୍ରେ ବିଦ୍ୟୁତ୍ ଓ ଜଳ ସଂଯୋଗ କଟାଯିବା ଅନ୍ୟାୟ। ଯଦି ଗେଜେଟ୍ ନିୟମ ବିନା ହଇରାଣ ହରକତ ଜାରି ରହେ, ତେବେ ୫,୦୦୦ ନାଗରିକଙ୍କୁ ନେଇ ଆମେ ଜନଆନ୍ଦୋଳନ କରିବାକୁ ବାଧ୍ୟ ହେବୁ।”ବାସୁଦେବ ଭଟ୍ଟ, ଆବାହକ, ଆମେ ଭୁବନେଶ୍ୱରିଆ
