ଭୁବନେଶ୍ବର,୧୧/୦୭: ବିଶ୍ବକପ ୨୦୨୬ ମହାସମର ଚାଲିଛି। ପୃଥିବୀର କୋଣ ଅନୁକୋଣରେ ଫୁଟବଲ ଜ୍ବର । ଫାଇନାଲ ପାଖେଇ ଆସିବା ସଙ୍ଗେ ସଙ୍ଗେ ଉତ୍କଣ୍ଠା ବଢ଼ି ଚାଲିଛି । ବ୍ରାଜିଲ, ପର୍ତ୍ତୁଗାଲ ପରି ଟାଣୁଆ ଦଳ ଫେରିଯାଇଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ବିଶ୍ୱକପରେ ଖେଳୁଥିବା କାବୋ ଭେରଡେ ତାହାର ଚମତ୍କାର ଖେଳ ପ୍ରଦର୍ଶନ କରି ଆର୍ଜେଣ୍ଟିନାଠାରୁ ପରାସ୍ତ ହେବା ସତ୍ତ୍ବେ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇ ପାରିଛି। ସମସ୍ତଙ୍କ ମନରେ ପ୍ରଶ୍ନ, ଏହି କାବୋ ଭେରଡେ କେଉଁଠି ଅଛି ? ଆଫ୍ରିକାର ପଶ୍ଚିମରେ ଥିବା କେତୋଟି ମୃତ ଆଗ୍ନେୟଗିରିର ଦ୍ବୀପପୁଞ୍ଜ ଯେଉଁଥିରେ କି ପଞ୍ଚଦଶ ଶତାବ୍ଦୀ ପୂର୍ବରୁ କେହି ବସବାସ କରୁ ନ ଥିଲେ ତାକୁ ନେଇ କାବୋ ଭେରଡେ ଦେଶ ଗଠିତ । ଏହାର ଜନସଂଖ୍ୟା ପ୍ରାୟ ପାଞ୍ଚ ଲକ୍ଷ, ଭୁବନେଶ୍ବର ସହରର ଅଧା । ତଥାପି ସେମାନେ ଆଜି ବିଶ୍ବର ଏକ ସମ୍ମାନିତ ଦଳ । କିନ୍ତୁ ଭାରତ ବର୍ଷରେ ୧୪୫ କୋଟି ଜନତାର ବିଶାଳ ଜନସମୁଦ୍ର ମଧ୍ୟରୁ ଏଗାର ଜଣ ଖେଳାଳି ବାହାରି ନାହାନ୍ତି ଯେ କି, ବିଶ୍ବକପରେ ଆମ ଦେଶକୁ ଖେଳିବାର ଯୋଗ୍ୟତା ଦେଇପାରିବେ। ଟାଇଚୁଙ୍ଗ ଭୁତିଆ କେବେ ବି ରୋନାଲ୍ଡୋ ବା ମେସିଙ୍କ ସମକକ୍ଷ ହୋଇ ପାରିନାହାନ୍ତି। ଗର୍ବ କରିବାକୁ ହେବ ଯେ, ଆମେ କ୍ରିକେଟରେ ଗାଭାସ୍କର, କପିଳ ଦେବ, ତେନ୍ଦୁଲକର ବା ଧୋନୀଙ୍କ ଭଳି ବିଶ୍ବ ପ୍ରସିଦ୍ଧ ଖେଳାଳି ସୃଷ୍ଟି କରିଛୁ। କିନ୍ତୁ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଭାରତରେ କ୍ରିକେଟର ସମସ୍ତ ଲୋକପ୍ରିୟତା ସତ୍ତ୍ବେ ଏହା ଫୁଟବଲ ଭଳି ସମଗ୍ର ବିଶ୍ବ ଦ୍ବାରା ଆଦୃତ ନୁହେଁ । ଫୁଟବଲ ତୁଳନାରେ କ୍ରିକେଟ ଅଧିକ ବ୍ୟୟ ବହୁଳ । ସବୁ ଗାଁରେ ଏହା ଉପଲବ୍ଧ ହେବା ସମ୍ଭବ ନୁହେଁ ।
ବର୍ତ୍ତମାନ ଆସିବା ଓଡ଼ିଶାର ଖେଳ ନକ୍ସାକୁ । ଓଡ଼ିଶାର ହକି ଏକମାତ୍ର ଖେଳ ଯାହାକି ବିଶ୍ବ ମାନ୍ୟତା ପାଇଛି, କିନ୍ତୁ ତାହା ମୁଖ୍ୟତଃ ଗୋଟିଏ ଜିଲ୍ଲାରେ ଖେଳାଯାଏ, ତାହା ହେଉଛି ସୁନ୍ଦରଗଡ଼ । ଫୁଟବଲରେ ଆଜି ମଧ୍ୟ ଆମର ଉପସ୍ଥିତି ନାହିଁ । କହିବାକୁ ଗଲେ ଓଡ଼ିଶାର ସାମଗ୍ରିକ ଭାବରେ ଖେଳ କ୍ଷେତ୍ରରେ ପ୍ରସିଦ୍ଧି ନାହିଁ। ହରିୟାଣା ବା ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ଯେଉଁଭଳି ଖେଳ କୁଦରେ ଧୀରେ ଧୀରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ତାହାର ଉଦୟ ରାଗ ଆଜି ସୁଦ୍ଧା ଓଡ଼ିଶାରେ ଦେଖାଯାଏ ନାହିଁ । ଏହାର କାରଣ କ’ଣ ?
ଓଡ଼ିଶାକୁ ଖେଳରେ ଅଗ୍ରଣୀ କରିବାକୁ ହେଲେ ପ୍ରଥମେ ଭିତ୍ତିଭୂମି ସଜାଡ଼ିବାକୁ ହେବ। କିଛି ବର୍ଷ ପୂର୍ବେ ଓଡ଼ିଶା ସରକାର ପ୍ରାୟ ଏକ ହଜାର କୋଟି ଟଙ୍କା ହକି ପାଇଁ ଖର୍ଚ୍ଚ କଲେ । ଏଥିପାଇଁ ମୁଖ୍ୟ ଖର୍ଚ୍ଚ ହେଲା ରାଉରକେଲାରେ ଏକ ଅତ୍ୟାଧୁନିକ ଷ୍ଟାଡିୟମ ତିଆରି କରିବାରେ । ସରକାର ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କଲେ ଏଭଳି ବିଶ୍ବର ବୃହତ୍ତମ ଷ୍ଟାଡିୟମ ନିର୍ମାଣ କରିବାରେ । ତାର ବହୁଳ ପ୍ରଚାର ମଧ୍ୟ ହେଲା । କିନ୍ତୁ ଏଭଳି ଏକ ସୌଧ ଦେଖଣାହାରୀଙ୍କ ପାଇଁ ଲାଭପ୍ରଦ ହୋଇପାରେ। ସେଥିରେ ସୁନ୍ଦରଗଡ଼ର ଖେଳାଳି ମାନଙ୍କର କଅଣ ଲାଭ ହେଲା ? କୌଣସି ଖେଳର ଉନ୍ନତି କରିବାକୁ ହେଲେ ଖେଳାଳିମାନଙ୍କର ଉନ୍ନତି କରିବାକୁ ହେବ, ଦେଖଣାହାରୀଙ୍କର ନୁହେଁ । ଏଭଳି ଭିତ୍ତିଭୂମି ତିଆରି କରିବାକୁ ହେବ ଯାହା ଫଳରେ କି ଖେଳାଳିମାନେ ଉତ୍ତମ ଖେଳପଡ଼ିଆ ପାଇପାରିବେ। ଏ ପରିପ୍ରେକ୍ଷୀରେ ପୁଣି ଥରେ କାବୋ ଭେରଡେର ଉଦାହରଣ ନିଆଯାଇ ପାରେ । ଉକ୍ତ ଦେଶର ରାଜା କାବୋ ଭଳି କ୍ଷୁଦ୍ର ରାଜ୍ୟରେ ହଜାର ହଜାର ଫୁଟବଲ ଖେଳପଡ଼ିଆ ତିଆରି କରିଛନ୍ତି, ବିଶ୍ବପ୍ରସିଦ୍ଧ ଷ୍ଟାଡିୟମ ନୁହେଁ । ଆଜି ମଧ୍ୟ ଓଡ଼ିଶାରେ ଯେତେ ଗ୍ରାମାଞ୍ଚଳ ଷ୍ଟାଡିୟମ ତିଆରି ହେଉଛି ସେଥିରେ ଗ୍ୟାଲେରୀ ଉପରେ ଯେତିକି ଗୁରୁତ୍ବ ଦିଆଯାଉଛି ଖେଳପଡ଼ିଆରେ ତାହା ଦିଆ ଯାଉ ନାହିଁ । ଖେଳପଡ଼ିଆ ଗୁଡିକ ଅସମତଳ, ସ୍ଥାନେ ସ୍ଥାନେ ପଥୁରିଆ ବା ଖାଲୁଆ ଜମି, ତା ଚାରିପଟେ ପାଚେରି ନାହିଁ, ଘାସରେ ପାଣି ଦେବା ବା ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ନାହିଁ । ସେଭଳି ଭିତ୍ତିଭୂମିକୁ ନେଇ ବିଶ୍ବସ୍ତରୀୟ ଖେଳାଳି ପ୍ରସ୍ତୁତ ହେବେ କିପରି ?
ଭିତ୍ତିଭୂମି ଗଢ଼ିବା ସଙ୍ଗେ ସଙ୍ଗେ ଖେଳାଳିମାନଙ୍କୁ ମଧ୍ୟ ଗଢ଼ିବାକୁ ହେବ। ଅଭିଜ୍ଞ ଚୟନକର୍ତ୍ତାମାନଙ୍କ ଦ୍ବାରା ଅଳ୍ପ ବୟସରୁ ପ୍ରତିଭାବାନ ଖେଳାଳିମାନଙ୍କୁ ଚୟନ କରିବାକୁ ହେବ । ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ଏକ ପରମ୍ପରା ବିଷୟରେ ଅବତାରଣା କରାଯାଇପାରେ। ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତି ରବିବାର ଦିନ ଗାଁ ଗାଁରେ ଏକ ପ୍ରତିଯୋଗିତା ହୁଏ ଯାହାର ନାମ ହେଉଛି, ‘ଖସି ଟୁର୍ଣ୍ଣାମେଣ୍ଟ’ । ରବିବାର ଦିନ ସକାଳେ ଗୀର୍ଜାରେ ପ୍ରାର୍ଥନା ସରିବା ପରେ ପାର୍ଶ୍ବବର୍ତ୍ତୀ ଆରମ୍ଭ ହୁଏ ହକି ଖେଳ । ଖାଲି ପାଦରେ, ଗାଁରେ ପଡ଼ିଥିବା ଷ୍ଟିକ ଧରି ଯୁବକମାନେ ହକି ଖେଳ ଆରମ୍ଭ କରନ୍ତି । ଖରା, ବର୍ଷା ପ୍ରତି ଭ୍ରୂକ୍ଷେପ ନ ଥାଏ । ସମୟ ର ସୀମା ନ ଥାଏ । ସନ୍ଧ୍ୟା ପର୍ଯ୍ୟନ୍ତ ଖେଳ ଚାଲେ । ପାଖରେ ବନ୍ଧା ହୋଇଥାଏ ଗୋଟିଏ ଛେଳି ବା ଖାସି । ବିଜୟୀ ଦଳ ସେହି ଖାସିକୁ ମାରି ବିଜୟ ଉତ୍ସବ ପାଳନ କରନ୍ତି । ତାହା ହିଁ ତାଙ୍କର ଟ୍ରଫି । ଏଇ ପ୍ରକ୍ରିୟାରେ ଶହଶହ ଉଦୀୟମାନ ଖେଳାଳି ବାହାରି ଆସନ୍ତି । ଅନ୍ୟ ଜିଲ୍ଲାମାନଙ୍କରେ ଏଭଳି ପରମ୍ପରା ଥିବା ପରି ମନେ ହୁଏ ନାହିଁ । କିନ୍ତୁ ସେଠାରେ ମଧ୍ୟ ଅନୁରୂପ ଭାବରେ ପ୍ରତିଭା ଚୟନ ପାଇଁ ନିରନ୍ତର ଟୁର୍ଣ୍ଣାମେଣ୍ଟ୍ କରାଯାଇ ଶିଶୁ ପ୍ରତିଭାକୁ ଅନ୍ବେଷଣ କରାଯାଇ ପାରିବ ।
ତା ପରେ ସେମାନଙ୍କୁ ଜୋତା, ଖେଳ ଉପକରଣ ଓ ପୁଷ୍ଟିକର ଖାଦ୍ୟ ଦିଆଯିବା ଉଚିତ । ଏଠାରେ ପୁଣି ଥରେ ସୁନ୍ଦରଗଡ଼ର ଉଦାହରଣ ଉଦ୍ଧାର କରାଯାଇପାରେ। ପ୍ରତିଭାବାନ ହକି ଖେଳାଳିମାନଙ୍କର ବିକାଶ ସକାଶେ ପ୍ରଥମେ ସୁନ୍ଦରଗଡ଼ର ପାନପୋଷଠାରେ ଏକ ହକି ହଷ୍ଟେଲ୍। କ୍ରମେ ସୁନ୍ଦରଗଡ଼ରେ ମଧ୍ୟ ହକି ହଷ୍ଟେଲ୍ ସ୍ଥାପିତ ହେଲା । ସେଠାରେ ଖେଳାଳିମାନଙ୍କୁ ୧୨ ବର୍ଷ ବଯସରୁ ରଖାଯାଏ, ସେମାନଙ୍କୁ ଉପଯୁକ୍ତ ଖାଦ୍ୟ ଦିଆଯାଏ, ଖେଳ ଉପକରଣ ଦିଆଯାଏ, ହଷ୍ଟେଲ୍ରେ ନିୟମିତ କୋଚ ଥାଆନ୍ତି । କ୍ରମେ କ୍ରମେ ସେମାନଙ୍କର ଦକ୍ଷତା ବୃଦ୍ଧି ପାଏ । ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳିବା ଫଳରେ ସେମାନଙ୍କର ଅଭିଜ୍ଞତା। ସେମାନେ ରାଜ୍ୟ ଓ ଦେଶକୁ ପ୍ରତିନିଧିତ୍ବ କରନ୍ତି। ଏକ ସମୟରେ ଭାରତର ଜାତୀୟ ହକି ଦଳରେ ଚାରି ଜଣ ଖେଳାଳି କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ହିଁ ଥିଲେ। ଦେଶର କ୍ୟାପଟେନ ଭାବରେ ଦିଲ୍ଲୀପ ତିର୍କୀଙ୍କ କୀର୍ତ୍ତିମାନ ଆଜି ମଧ୍ୟ ବଳବତ୍ତର ରହିଛି।
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ସରକାର ଫୁଟବଲ ଓ ଖେଳକୁଦ ପାଇଁ ଦୁଇଟି ଏକାଡେମୀ ସୃଷ୍ଟି କରିଛନ୍ତି । କିନ୍ତୁ ସେଗୁଡ଼ିକ ଆବଶ୍ୟକ ମୁତାବକ ସଫଳତା ପାଇ ପାରି ନାହିଁ। ଓଡ଼ିଶାରେ ଜଣେ ଟାଇଚୁଙ୍ଗ ଭୁତିଆ ମଧ୍ୟ ସୃଷ୍ଟି ହୋଇନାହାନ୍ତି, ରୋନାଲ୍ଡୋ ବା ପେଲେଙ୍କର ତ ଦୂରର କଥା । ସେଥିପାଇଁ କ’ଣ ସରକାରଙ୍କର ଅର୍ଥର ଅଭାବ ଅଛି ? ନା ଯେଉଁ ଅର୍ଥ ବିଭିନ୍ନ ଚିତ୍ତାକର୍ଷକ ଟୁର୍ଣ୍ଣାମେଣ୍ଟ ଆୟୋଜନରେ ଖର୍ଚ୍ଚ ହେଉଛି, ଚିତ୍ର ତାରକା ଆଣିବାରେ, ବିଜ୍ଞାପନରେ ଖର୍ଚ୍ଚ ହେଉଛି ତାହା ଯଦି ଖେଳାଳିମାନଙ୍କୁ ସୃଷ୍ଟି କରିବାରେ ଓ ସେମାନଙ୍କର ପ୍ରଶିକ୍ଷଣରେ ଖର୍ଚ୍ଚ ହୁଅନ୍ତା ତେବେ ଫଳ ନିଶ୍ଚିତ ଭାବରେ ସୁଦୂରପ୍ରସାରୀ ହୁଅନ୍ତା। ଉଦାହରଣ ସ୍ବରୂପ ଓଡ଼ିଶା ସରକାର ସର୍ବଭାରତୀୟ ହକି ଦଳର ପାଞ୍ଚ ବର୍ଷ ଲାଗି ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି । ଏହାର ଯଥାର୍ଥତା କେତେ ? ଯେଉଁ ରାଜ୍ୟର ସଂଖ୍ୟାଧିକ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ସେମାନେ ସେଇ ଖର୍ଚ୍ଚ କାହିଁକି ବହନ କରୁ ନାହାନ୍ତି ? ଯେତେବେଳେ ଆମେ ଆମର ଗ୍ରାମାଞ୍ଚଳର ଉଦୀୟମାନ ଖେଳାଳିମାନଙ୍କୁ ଉପଯୁକ୍ତ ଯୋତା ଓ ଖେଳ ଉପକରଣ ଯୋଗାଇ ପାରୁନାହୁଁ ସେତେବେଳେ ଅନ୍ୟ ରାଜ୍ୟର ଖେଳାଳିମାନଙ୍କ ପାଇଁ ଅର୍ଥ ବ୍ୟୟ କାହିଁକି କରାଯିବ ?
ଏହି ପରିପ୍ରେକ୍ଷୀରେ ଶିକ୍ଷାବିତ ଓ ଶିକ୍ଷକମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ ଅଛି। ଖେଳ କଅଣ କେବଳ ପାଠରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ? ଆଜି ଗୋଟିଏ ସ୍କୁଲର ପାରଦର୍ଶିତା ତାହାର ଛାତ୍ରଛାତ୍ରୀମାନଙ୍କର ମାର୍କକୁ ନେଇ ମପାଯାଉଛି – କେତେଜଣ ୯୯% ମାର୍କ ରଖିଲେ, କେତେଜଣ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ? ଦଶମ ବା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆସିଲେ ପିଲାଙ୍କୁ କହିଦିଆଯାଏ, ‘ଏ ବର୍ଷ ପରୀକ୍ଷା ଅଛି। ତେଣୁ ଉକ୍ତ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟୁର୍ଣ୍ଣାମେଣ୍ଟ ମନା ।’ ସାପ୍ତାହିକ କ୍ୟାଲେଣ୍ଡରରେ ଖେଳ ପିରିୟଡ ପ୍ରତି ଗୁରୁତ୍ବ ଦିଆଯାଏ ନାହିଁ । ବିଭିନ୍ନ ବିଷୟରେ ଯେଭଳି ମାର୍କ ଦିଆଯାଇ ପିଲାଟିର ରାଙ୍କ ନିରୂପଣ କରାଯାଏ ସେଭଳି ଖେଳ ପିରିୟଡର ମାର୍କ ନ ଥାଏ । ବିଦ୍ୟାଳୟରେ ଜଣେ ଗଣିତ ଶିକ୍ଷକଙ୍କର ଯେତିକି ମର୍ଯ୍ୟଦା ଥାଏ ତାହା ଖେଳ ଶିକ୍ଷକଙ୍କର ନ ଥାଏ । ତେଣୁ ଯେଉଁ ପିଲା ପାଠ୍ୟ ବିଷୟରେ ଭଲ ନ କରେ ସେ ହିଁ ଖେଳ ପାଇଁ ମନୋନୀତ ହୁଏ । କିନ୍ତୁ ଆଜିକାର ତୀକ୍ଷ୍ଣ ପ୍ରତିଯୋଗିତା ମଧ୍ୟରେ ଜଣେ ପ୍ରତିଯୋଗୀର କେବଳ ଶାରୀରିକ ପରାକ୍ରମ ଥିବା ଯଥେଷ୍ଟ ନୁହେଁ, ତାର ବିଚକ୍ଷଣ ବୁଦ୍ଧି ଥିବା ମଧ୍ୟ ଏକାନ୍ତ ଜରୁରୀ ।
ତେବେ ‘ଭଲ’ ଛାତ୍ରଛାତ୍ରୀମାନେ ଖେଳ ପ୍ରତି ଆକୃଷ୍ଟ ହେଉ ନାହାନ୍ତି କାହିଁକି ? ସେମାନଙ୍କର ପିତାମାତା ଖେଳରେ ପାରଦର୍ଶିତା ଲାଭ କରିବା ପାଇଁ ପ୍ରୋତ୍ସାହନ ଦେଉ ନାହାନ୍ତି କାହିଁକି ? ତାହାର କାରଣ ହେଲା ଜଣେ ଭଲ ମାର୍କ ରଖୁଥିବା ପିଲା ଭଲ ଦରମାର ଚାକିରି ପାଇପାରିବ, ଜଣେ ଭଲ ଖେଳାଳୀର ଭବିଷ୍ୟତ କ’ଣ ? ଅନେକ ସ୍ବର୍ଣ୍ଣ ପଦକ ବିଜେତା ପରବର୍ତ୍ତୀ ସମୟରେ ପଥର ଭାଙ୍ଗି ବା ଚା’ ବିକ୍ରୀ କରି ଜୀବିକା ନିର୍ବାହ କରିବାର କରୁଣ ଚିତ୍ର ପ୍ରକାଶିତ ହୋଇଛି । ଅବଶ୍ୟ କେତେକ ମୁଷ୍ଟିମେୟ ଖେଳାଳି କୋଟିପତି ହୋଇଛନ୍ତି । କିନ୍ତୁ ସେମାନଙ୍କ ସଂଖ୍ୟା କେତେ ? କେତେ ଜଣ ଖେଳାଳି ଉକ୍ତ ସୌଭାଗ୍ୟ ପାଆନ୍ତି ? ସେମାନଙ୍କ ପାଇଁ ସରକାର ବା ବଡ଼ ବଡ଼ ଶିଳ୍ପ ସଂସ୍ଥାମାନେ କଅଣ କରିଛନ୍ତି ? ସେ ସମ୍ପର୍କରେ ଆସନ୍ତା ସପ୍ତାହରେ ଆଲୋଚନା କରିବା ।