ଆମ ସ୍ବାଧୀନତାର ୭୯ବର୍ଷ ପୂର୍ଣ୍ଣ ହୋଇଛି । ପାରମ୍ପରିକ ଆନନ୍ଦ ଉଲ୍ଲାସ ମଧ୍ୟରେ ଏହା ଏକ ପର୍ବରେ ପରିଣତ ହୋଇଯାଇଛି । ଏହି ପର୍ବର ପଛରେ ଯେ, ଏକ ଦୀର୍ଘ ସଂଘର୍ଷର ଇତିହାସ ରହିଛି ତାହା ଆଜିକା ପିଢ଼ି ଭୁଲିଯାଇଛନ୍ତି । ଭାରତକୁ ସ୍ବାଧୀନ କରିବା ପାଇଁ ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡା, ସୁରେନ୍ଦ୍ର ସାଏ, ଭଗତ ସିଂ, ଖୁଦୀରାମ – କେତେ ଯେ ବ୍ୟକ୍ତି ହସି ହସି ପ୍ରାଣ ବଳି ଦେଇଛନ୍ତି ତାହାର ସୀମା ନାହିଁ । ସେମାନେ ଜାଣିଥିଲେ ଯେ, ତାଙ୍କର ପ୍ରାଣବଳି ହୁଏତ ଦେଶକୁ ସ୍ବାଧୀନ କରିପାରିବ ନାହିଁ । କିନ୍ତୁ ସେମାନେ ସେମାନଙ୍କର କାର୍ଯ୍ୟକୁ ସଫଳତା ବା ବିଫଳତାର ମାପକାଠିରେ ତଉଲି ନାହାନ୍ତି । ପ୍ରାଣବଳି ଦେଲେ କେତେ ଲାଭ ବା କେତେ କ୍ଷତି ହେବ, ତାହା ହିସାବ କରିନାହାନ୍ତି । ସେମାନଙ୍କ ପାଇଁ ସ୍ବାଧୀନତାର ଡାକ ଥିଲା ଏକ ବହ୍ନି ଓ ସେହି ବହ୍ନିରେ ସେମାନେ ଝାସ ଦେଇଥିଲେ ଏକ ମତୁଆଲା ପତଙ୍ଗ ଭଳି । ଆଜି ସେମାନେ ପାଲଟି ଯାଇଛନ୍ତି ଗୋଟିଏ ଗୋଟିଏ ପ୍ରାଣହୀନ ମୂର୍ତ୍ତିରେ । ଆଜି ଯେଉଁମାନେ ସ୍ବାଧୀନତାର ଅମୃତ ପିଇ ମସ୍ଗୁଲ, ସେମାନେ କ’ଣ ଜାଣିଛନ୍ତି କେତେ ବ୍ୟକ୍ତି ସେଥିପାଇଁ ବିଷପାନ କରିଛନ୍ତି? ଆସନ୍ତୁ ଆଜି ଆମେ ସେହି ବିସ୍ମୃତ ସୈନିକମାନଙ୍କ ପାଇଁ ଅନ୍ତତଃ ଏକ ଭକ୍ତିପୂର୍ଣ୍ଣ ପ୍ରଣାମ ନିବେଦନ କରିବା ।
ଆଜି ନେତାଜୀ ସୁଭାଷଙ୍କ କଥା ମନେ ପଡ଼େ। ସ୍ବାଧୀନତା ପାଇବା ପାଇଁ ତାଙ୍କର ଉତ୍କଣ୍ଠା ତାଙ୍କୁ ଯୁଦ୍ଧାସ୍ତ୍ର ପ୍ରତି ଆକର୍ଷିତ କରିଥିଲା। ସେ ମନେ କରିଥିଲେ ଯେ, ଯେହେତୁ ବ୍ରିଟିଶ ସାମ୍ରାଜ୍ୟ ତାହାର ସାମରିକ ଶକ୍ତି ବଳରେ ବିଶ୍ୱକୁ ଅଧିକାର କରିଥିଲା, ତେଣୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ତାହାର ସାମରିକ ଦୁର୍ବଳତାର ସୁଯୋଗ ନେଇ ଜର୍ମାନୀ ଓ ଜାପାନ ସହ ହାତ ମିଳାଇ ତାକୁ ହଟାଇ ଦିଆଯାଇ ପାରିବ । ବିଧିର ବିଧାନ ଅନ୍ୟ ପ୍ରକାରର ଥିଲା । ସେ ସଫଳ ହୋଇ ପାରି ନ ଥିଲେ । କିନ୍ତୁ ତାଙ୍କର ଦେଶପ୍ରେମ ଓ ତ୍ୟାଗ ଥିଲା ପ୍ରଶ୍ନ।ତୀତ । ତାଙ୍କର ସାହସ ଓ ବୀରତ୍ବ ପ୍ରତି ଆମର ସଲାମ ।
କିନ୍ତୁ ଏ ସମସ୍ତ କାହାଣୀର ଉର୍ଦ୍ଧ୍ବରେ ଥିଲେ ଜଣେ ମହାନାୟକ – ଜାତିର ପିତା ମହାତ୍ମା ଗାନ୍ଧୀ । ଭାରତ ଭଳି ଏକ ବିଶାଳ ଦେଶ, ଯାହାର ବିବିଧତାକୁ ବ୍ରିଟିଶ ସରକାର ବ୍ୟବହାର କରିଥିଲେ ତାକୁ ବିଖଣ୍ଡିତ କରି ରଖିବାରେ, ଯେଉଁଠି ନ ଥିଲା ସାମାନ୍ୟତମ ମୌଳିକ ବ୍ୟବସ୍ଥା ଗମନାଗମନ ବା ସଂଚାରର, ଯାହାର ଲୋକଙ୍କର ଅର୍ଥନୈତିକ ତଥା ମାନସିକ ଦୁର୍ବଳତା ବ୍ରିଟିଶ ସାମ୍ରାଜ୍ୟର ବିଭବ ସମ୍ମୁଖରେ ଥିଲା ତୁଚ୍ଛ, ନଗଣ୍ୟ, ତାକୁ ଶ୍ମଶାନରୁ ଉଠାଇ ବିଜୟର ଟୀକା ପିନ୍ଧାଇବାର ଅଲୌକିକ କ୍ଷମତା ଥିଲା ସେହି ଅର୍ଦ୍ଧ ଉଲଗ୍ନ ଫକିରଙ୍କର ଯାହାଙ୍କର ରଣକୌଶଳ ବୁଝିବାରେ ବ୍ରିଟିଶ ଶକ୍ତି ଥିଲା ଅକ୍ଷମ । ଆଜି କେତେକ ଅଳ୍ପଶିକ୍ଷିତ ବ୍ୟକ୍ତି ନାଥୁରାମ ଗଡ୍ସେଙ୍କୁ ଏକ ଶହୀଦର ରୂପ ଦେବା ପାଇଁ କୁଣ୍ଠିତ ପ୍ରୟାସ କରୁଛନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ, ମହାତ୍ମା ଯେଉଁ ଆନ୍ଦୋଳନ କରିଥିଲେ ତାହା ଥିଲା ଏକ ଆତ୍ମବିଶ୍ବାସର ଯୁଦ୍ଧ, ଯାହାକୁକି ବୁଲେଟ ବା ଲାଠିରେ ଦମନ କରାଯାଇପାରିବ ନାହିଁ । ହିଂସାଠାରୁ ଅହିଂସା ଯେ କେତେ ସହସ୍ର ଗୁଣରେ ପରାକ୍ରମୀ ତାହା ଭାରତବାସୀ ସମଗ୍ର ବିଶ୍ୱକୁ କରି ଦେଖାଇଦେଲେ ତାଙ୍କରି ଡାକରାରେ । ଅନେକ ଦେଶରେ ଯେଉଁ ନେତାମାନେ ସ୍ବାଧୀନତା ଆଣି ଦେଇଥିଲେ ସେମାନେ କେଉଁଠି ନା କେଉଁଠି ନିଜକୁ କ୍ଷମତାସୀନ କରିବାକୁ ଇଚ୍ଛୁକ ଥିଲେ। ଆଉ କେଉଁଠି ସେମାନେ ନିଜ ପରିବାରର ବ୍ୟକ୍ତିଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷିତ କରିଥିଲେ । ମୋହନ ଦାସ କେବେ ନିଜକୁ ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ କରିବା ପାଇଁ ଇଚ୍ଛା ପ୍ରକଟ କରିନାହାନ୍ତି, କସ୍ତୁରବା ବା ତାଙ୍କର ଅନେକ ସନ୍ତାନଙ୍କ ମଧ୍ୟରୁ କାହାରିକୁ କୌଣସି ବି ପଦବୀରେ ଅଧିଷ୍ଠିତ କରି ନାହାନ୍ତି । ନିଜ ପାଇଁ ଇଞ୍ଚେ ଜମି ରଖି ନାହାନ୍ତି । ସେଥିପାଇଁ ସେ ଥିଲେ ମହାତ୍ମା । ତାଙ୍କରି ଉଦାହରଣରେ ବଶୀଭୂତ ଅନେକ ବ୍ୟକ୍ତି ତାଙ୍କ ଭଳି ତ୍ୟାଗକୁ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଇଥିଲେ । ତାଙ୍କରି ଶୈଳୀ ତାଙ୍କର ଜୀବନ କାଳରେ ଓ ପରବର୍ତ୍ତୀ ସମୟରେ ଅନେକ ବର୍ଷ ଧରି ରାଜନୀତିକୁ ଏକ ନିଜସ୍ବ ସଂଜ୍ଞା ଦେଇଥିଲା, “ସରଳ ଜୀବନ ଓ ଉଚ୍ଚ ଚିନ୍ତାଧାରା”ର ରାଜନୀତି । ଜନପ୍ରତିନିଧି ଜନତାଙ୍କ ସେବକ, ଏହା ଥିଲା ମହାତ୍ମାଙ୍କ ରାଜନୀତିକୁ ଅବଦାନ । ଦୁଃଖର କଥା ଆଜି ମହାତ୍ମାଙ୍କ ପରିକଳ୍ପନାର ରାଜନୀତି କେବଳ କୁର୍ତ୍ତା ପାଇଜାମାରେ ସୀମିତ ହୋଇ ଯାଇଛି, କର୍ପୁର ଉଡ଼ିଯାଇଛି ।
ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ସମଗ୍ର ବିଶ୍ବର ସମୁଦାୟ ଉତ୍ପାଦନର ଏକ ଚତୁର୍ଥାଂଶ ଭାରତରେ ହିଁ ହେଉଥିଲା । ଯେତେବେଳେ ଭାରତ ସ୍ବାଧୀନ ହେଲା ତାହା ଖସି ଆସି ୪%ରେ ପହଞ୍ଚିଲା । ଆଜି କିଛି ସମାଲୋଚକ କୁହନ୍ତି ଯେ, ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ନେହରୁ ଭାରତକୁ ଭୁଲ ବାଟରେ ନେଇଗଲେ । ପ୍ରଥମରୁ ମୁକ୍ତ ଅର୍ଥନୀତିକୁ ଗ୍ରହଣ କରିଥିଲେ ଆମେ ବର୍ତ୍ତମାନ ଏକ ବିକଶିତ ଦେଶରେ ପରିଣତ ହୋଇ ସାରନ୍ତେଣି । ସେମାନେ ଭୁଲି ଯାଉଛନ୍ତି ୧୯୪୭ ମସିହାରେ ଭାରତର ଅବସ୍ଥା କ’ଣ ଥିଲା ? ଭାରତ ସ୍ବାଧୀନ ହେଲା ବେଳକୁ ୮୨% ବ୍ୟକ୍ତି ନିରକ୍ଷର ଥିଲେ । ମୃତ୍ୟୁ ସମୟରେ ଭାରତୀୟ ମାନଙ୍କର ହାରାହାରି ବୟସ ଥିଲା ୩୨ ବର୍ଷ । ଗରିବ ଲୋକମାନେ ଦିନକୁ ଦୁଇ ଥର ଖାଇବାକୁ ପାଉ ନ ଥିଲେ । ଏଭଳି ଏକ ଦୟନୀୟ ପୃଷ୍ଠଭୂମିରେ ସ୍ବାଧୀନ ଭାରତର ଏକ ବିଶାଳ ସମସ୍ୟା ଉଭା ହେଲା, ତାହା ହେଲା ସାମ୍ପ୍ରଦାୟିକ ସମସ୍ୟା। ହଜାର ହଜାର ହିନ୍ଦୁ ପାକିସ୍ତାନରୁ ନିର୍ଯାତିତ ହୋଇ ଭାରତକୁ ଫେରି ଆସିଲେ । ହଜାର ହଜାର ମୁସଲମାନ ନିର୍ୟାତିତ ହୋଇ ପାକିସ୍ତାନକୁ ଚାଲିଗଲେ। ଶରଣାର୍ଥୀମାନଙ୍କର ଥଇଥାନ ଥିଲା ସରକାରଙ୍କର ପ୍ରାଥମିକ ଦାୟିତ୍ବ । ପ୍ରତିରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତାଘାଟ, ପାନୀଯ ଜଳ, ବିଦ୍ୟୁତ – ସବୁଥିରେ ଭାରତ ଥିଲା ଏକ ପଛୁଆ ଦେଶ। ସେ ସମୟରେ ଭାରତ ସମ୍ମୁଖରେ କ’ଣ ପନ୍ଥା ଥିଲା ?
ସେ ସମୟର ଇତିହାସ କୁ ଅନୁଧ୍ୟାନ କଲେ ଆମେ ଦେଖୁ ଯେ ଭାରତ ସ୍ବାଧୀନ ହେବାର ମାତ୍ର ଦୁଇ ଦଶନ୍ଧି ପୂର୍ବରୁ ସମଗ୍ର ୟୁରୋପର ଅର୍ଥନୀତି ବିଧ୍ବସ୍ତ ହୋଇଯାଇଥିଲା । ବଜାର ଅର୍ଥନୀତିର ଅତ୍ୟଧିକ ଲୋଭପ୍ରବଣତା ଯୋଗୁଁ ଲକ୍ଷ ଲକ୍ଷ ବ୍ୟକ୍ତି ତାଙ୍କର ସମସ୍ତ ପୁଞ୍ଜି ହରାଇଥିଲେ । ଦରଦାମ ଆଶାତୀତ ଭାବରେ ବୃଦ୍ଧି ପାଇଲା । ଚାକିରି ଉଭାନ ହୋଇଗଲା । ସେ ସମୟରେ ବିଶ୍ବରେ କେବଳ ଗୋଟିଏ ଦେଶ ଏଇ ଅର୍ଥନୈତିକ ବିପର୍ଯ୍ୟୟକୁ ଏଡ଼ାଇ ପାରିଥିଲା । ତାହା ହେଉଛି ସୋଭିଏତ ଋଷିଆ । ତାହା ସମ୍ଭବ ହୋଇଥିଲା କେବଳ ତାହାର ପଞ୍ଚ ବାର୍ଷିକ ଯୋଜନା ଦ୍ବାରା । ନେହରୁ ସୋଭିଏତ ଋଷିଆର ଅର୍ଥନୀତିକୁ ଅବଲମ୍ବନ କରି ଭାରତରେ ମଧ୍ୟ ପଞ୍ଚ ବାର୍ଷିକ ଯୋଜନା ଆରମ୍ଭ କଲେ । ଏହାର ଫଳସ୍ବରୂପ ଭାରତର ଭିତ୍ତିଭୂମି ଗଠନ ଆରମ୍ଭ ହେଲା । ହୀରାକୁଦ, ଭାକରା-ନଙ୍ଗଲ ଭଳି ବୃହତ ନଦୀବନ୍ଧ ଯୋଜନା ଦ୍ବାରା ଲକ୍ଷ ଲକ୍ଷ ହେକ୍ଟର ଜମି ଜଳସେଚିତ ହେବାର ବ୍ୟବସ୍ଥା କରାଗଲା। ରାସ୍ତା, ରେଳପଥ ନିର୍ମାଣ କରାଗଲା । ପାନୀୟ ଜଳ ବ୍ୟବସ୍ଥା କରାଗଲା, ବିଦ୍ୟୁତ ଉତ୍ପାଦନ ପାଇଁ କାରଖାନାମାନ ଗଢ଼ି ଉଠିଲା । ସ୍କୁଲ, କଲେଜ, ଗବେଷଣା ଅନୁଷ୍ଠାନ ଗଢ଼ି ଉଠିଲା । ଏଗୁଡ଼ିକରେ ସଫଳତା ଆଶାନୁରୂପ ନ ହୋଇପାରେ । କିନ୍ତୁ ପ୍ରୟାସର ଅଭାବ ନ ଥିଲା । ସମୟକ୍ରମେ ଯୋଜନା ପ୍ରଣଯନ ଓ ତାହାର କାର୍ଯ୍ୟକ୍ଷମ କରିବା ପାଇଁ ଏକ ବିଶାଳ ଅମଲାତନ୍ତ୍ର ଗଢ଼ି ଉଠିଲା ଯାହାକି ସ୍ଥାଣୁ ଓ ଦୁର୍ନୀତିଗ୍ରସ୍ତ ହୋଇଗଲା । ସୋଭିଏତ ଋଷିଆରେ ମଧ୍ୟ ଅନୁରୂପ ଅଭିଯୋଗ ଆସେ ।
କିନ୍ତୁ ଗୋଟିଏ ଦିଗକୁ ଅଣଦେଖା କରିହେବ ନାହିଁ। ଭାରତର ସମସାମୟିକ ସ୍ବାଧୀନ ରାଷ୍ଟ୍ରମାନେ ଅତି ଅଳ୍ପ ଦିନରେ ଗଣତନ୍ତ୍ରକୁ ପରିତ୍ୟାଗ କରି ଏକଛାତ୍ରବାଦକୁ ଆପଣେଇ ନେଇଥିଲେ । ଭାରତ ଥିଲା ତାହାର ବ୍ୟତିକ୍ରମ । ସେଥିପାଇଁ ଆଜି ଭାରତ ଅର୍ଥନୀତିରେ ଚୀନ ଭଳି ବିକଶିତ ହୋଇ ନପାରେ, କିନ୍ତୁ ଆମେ ଗର୍ବରେ କହୁଛେ ଯେ, ଆମେ ପୃଥିବୀର ବୃହତ୍ତମ ଗଣତାନ୍ତ୍ରିକ ଦେଶ । ମହାତ୍ମାଙ୍କ ମୂଲ୍ୟବୋଧ ରାଜନୀତିକୁ ଆମେ ପ୍ରାୟତଃ ପରିହାର କରି ଦେଇଛୁ । ଅର୍ଥବଳ, ବାହୁବଳ ଓ ଶାସନକଳ ର ଅପପ୍ରୟୋଗ କରି ଆମେ ଗଣତନ୍ତ୍ରକୁ ଅନ୍ତଃସାରଶୂନ୍ୟ କରି ଦେଇଥାଇପାରୁ । କିନ୍ତୁ ଆଜି ବି ଯଦି ଜଣେ ନେତା ଏକଛତ୍ରବାଦ ଆଡ଼କୁ ଦେଶକୁ ଟାଣି ନିଏ, ଜନସାଧାରଣଙ୍କ ସେତିକି ଶକ୍ତି ଅଛି ଯେ, ସେମାନେ ତାକୁ ରାଜରାସ୍ତାରେ ଫୋପାଡ଼ି ଦେଇ ପାରିବେ । ବାରମ୍ବାର ଜନସାଧାରଣ ତାହା କରି ଦେଖାଇଛନ୍ତି ଓ ତାହା ହିଁ ଆମ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଭାରତର ପ୍ରସିଦ୍ଧି । ସେଥିପାଇଁ ଆଜି ଆମେ ଗର୍ବର ସହ କହୁ, ଭାରତର ପ୍ରକୃତ ଶାସକ ହେଉଛନ୍ତି, ‘We the People of India‘.
ସାମାଜିକ ଗଣମାଧ୍ୟମକୁ ଦେଖିଲେ ଜଣାଯାଏ ଯେ,କେତେକ ତଥାକଥିତ ଶିକ୍ଷିତ ବ୍ୟକ୍ତି ଯୁକ୍ତି ରଖନ୍ତି ଯେ ଭାରତ ସ୍ବାଧୀନ ହେବାର ପ୍ରଥମ ୫୦ରୁ ୬୦ ବର୍ଷ ପର୍ଯ୍ୟନ୍ତ କିଛି ଘଟି ନ ଥିଲା । ଯାହା କିଛି ବିକାଶ ଘଟିଛି ତାହା ଗତ ୧୫ ବର୍ଷ ରେ ହିଁ ଘଟିଛି । ଏହା ସମ୍ପୂର୍ଣ୍ଣ ଭାବରେ ଭ୍ରମାତ୍ମକ । ନେହରୁଙ୍କ ସମୟର ଭିତ୍ତିଭୂମି ବିକାଶ, ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ୱଳ୍ପ କାଳ ମଧ୍ୟରେ ସବୁଜ ବିପ୍ଲବର ବୀଜବପନ, ଇନ୍ଦିରା ଗାନ୍ଧୀଙ୍କ ଗରିବୀ ହଟାଓ କାର୍ଯ୍ୟକ୍ରମ, ରାଜୀବ ଗାନ୍ଧୀଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଅବଦାନ, ନରସିମହା ରାଓଙ୍କର ଯୁଗାନ୍ତକାରୀ ଉଦାରୀକରଣ, ମନମୋହନ ସିଂହଙ୍କର ଶିକ୍ଷା ଓ ଶ୍ରମ ଅଧିକାର ପ୍ରତି ପ୍ରତିବଦ୍ଧତା, ବାଜପେୟୀ ଙ୍କର ଗ୍ରାମସଡକ ଯୋଜନା ଓ ପରମାଣୁବିଦ୍ୟାର ପ୍ରଗତି – ଏ ସମସ୍ତ ଆମ ଦେଶକୁ ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ କରିଛି । ଆଜିର ଦିନରେ ଆମେ ସେ ସମସ୍ତ ରାଷ୍ଟ୍ରନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ।
ଆମ ସଭ୍ୟତା ଦଶ ହଜାର ବର୍ଷର ସଭ୍ୟତା । ଏଠାରେ ହୀନମନ୍ୟତାର ସ୍ଥାନ ନାହିଁ, ସଂକୀର୍ଣ୍ଣତାର ସ୍ଥାନ ନାହିଁ, ବିଦ୍ବେଷର ସ୍ଥାନ ନାହିଁ । ଆସନ୍ତୁ ଆମେ ସମସ୍ତେ ଗର୍ବରେ କହିବା, “ଆମେ ଭାରତୀୟ”।
ବନ୍ଦେ ମାତରମ୍
