ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି । ଯନ୍ତର ମନ୍ତରରେ ସିଯେପି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସୋନାମ ୱାଙ୍ଗଚୁକ୍ ଡାକ୍ତରଖାନାରୁ ବିଦାୟ ନେଇଛନ୍ତି । ସବୁ ସମୀକ୍ଷକ ଗୋଟିଏ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି, ‘ଏହା ପରେ କ’ଣ ?’ ସିଜେପି ଦଳର ପ୍ରବକ୍ତା କହୁଛନ୍ତି ଯେ, ପ୍ରତିଶୃତି ପାଳନ ନ ହେଲେ ପୁଣି ଥରେ ଆନ୍ଦୋଳନ ହେବ। ବିରୋଧୀ କଂଗ୍ରେସ ଦଳ କହୁଛି, ଛାତ୍ରମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢ଼େଇ କରିବ । ‘ନ୍ୟାୟ’ କ’ଣ ? ଯଦି ନ୍ୟାୟର ଏକ ସଂକୀର୍ଣ୍ଣ ବ୍ୟାଖ୍ୟା କରାଯାଏ ତେବେ ତାହା ହେବ ‘ପ୍ରାପ୍ୟ’। ଏହି ଅର୍ଥରେ ଦେଖିବାକୁ ଗଲେ ଜଣେ ଛାତ୍ରର ମୌଳିକ ଆବଶ୍ୟକତା ହେଉଛି ଶିକ୍ଷା ଓ ନିଯୁକ୍ତି । ଉଭୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସବୁ ରାଜନୈତିକ ଦଳ ବିଗତ ବର୍ଷମାନଙ୍କରେ ବିଫଳ ହୋଇଛନ୍ତି । ସାମଗ୍ରିକ ଭାବରେ ଦେଖିଲେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ନିମ୍ନଗାମୀ ହୋଇଛନ୍ତି ଓ ବେସରକାରୀ ସ୍କୁଲ, କଲେଜ, କୋଚିଂ ଅନୁଷ୍ଠାନ, ବିଶ୍ବବିଦ୍ୟାଳୟ ଫୁଟି ଉଠିଛନ୍ତି । ନିଯୁକ୍ତି ଦେବା ପାଇଁ ସରକାରଙ୍କ ନିକଟରେ ଅର୍ଥ ନାହିଁ। ସେଥିପାଇଁ ଯେଉଁ କେତେକ ସୀମିତ କାର୍ଯ୍ୟ ରହିଛି ସେଗୁଡ଼ିକ ଠିକା କର୍ମଚାରୀମାନଙ୍କ ମାଧ୍ୟମରେ କରାଇ ନେବାକୁ ସରକାର ତତ୍ପର । ଶିକ୍ଷା ହେଉ ବା ଗୃହ ବିଭାଗ, ସବୁଠି କର୍ମଚାରୀ ଅଭାବ । ସରକାରୀ ଉଦ୍ୟୋଗଗୁଡ଼ିକ ଧୀରେ ଧୀରେ ବନ୍ଦ ହୋଇ ଯାଉଛି । ଯାହା ଚାଲୁଛି ସେଗୁଡିକ ମଧ୍ୟ ଘରୋଇକରଣ କରିବାକୁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି । ତାହା ହେଲେ ଛାତ୍ରମାନେ ନ୍ୟାୟ ପାଇବେ କିପରି ? ଆନ୍ଦୋଳନରତ ପିଲାମାନେ ବୁଝିଗଲେ ଯେ, ଜଣେ ମନ୍ତ୍ରୀ ଇସ୍ତଫା ଦେଇ ଦେଲେ ଆଉ ଭବିଷ୍ୟତରେ ପ୍ରଶ୍ନ ପତ୍ର ଲିକ ହେବ ନାହିଁ । ତାହା ହେଲେ କିଏ ଇସ୍ତଫା ଦେଲେ ସେମାନଙ୍କର ନିଯୁକ୍ତି ସମ୍ଭାବନା ବିସ୍ତାରିତ ହୋଇଯିବ?
ଇତିହାସକୁ ଅନୁଧ୍ୟାନ କରାଯାଉ । ଯୁବକମାନଙ୍କ ପାଇଁ କ”ଣ ସବୁ ଯୋଜନା କରା ଯାଇଥିଲା ଓ ତାହାର ଫଳ କ’ଣ ? ବିଜୁ ଜନତା ଦଳ ସରକାର ସମୟରେ ଯୁବକମାନଙ୍କୁ ଦିଗ୍ଦର୍ଶନ ଦେବା ପାଇଁ, ସେମାନଙ୍କର ଶକ୍ତିକୁ ଗଠନମୂଳକ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିଲା । କିନ୍ତୁ ସରକାରକୁ ଆସିବା ପରେ ଉକ୍ତ ଦଳ ବିଜୁ ଯୁବ ବାହିନୀ କଥା ଭୁଲିଗଲେ। ଯୁବକ ମାନଙ୍କୁ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ବ୍ୟବହାର କରାଗଲା। ନେତା ମାନଙ୍କର ସଭାରେ ଜିନ୍ଦାବାଦ କରିବାକୁ ନିୟୋଜିତ କରାଗଲା । କିନ୍ତୁ ଯୁବକ ଯୁବତୀଙ୍କ ପାଇଁ କୌଣସି ପ୍ରକାରର ବୈପ୍ଲବିକ ପରିବର୍ତ୍ତନ ଦେଖାଗଲା ନାହିଁ । ସରକାରୀ ଚାକିରି ପାଇଁ ବା ଆତ୍ମନିଯୁକ୍ତି ପାଇଁ ଦ୍ବାର ଖୋଲିଲା ନାହିଁ ।
ବର୍ତ୍ତମାନ ମହିଳା ମାନଙ୍କ କଥା ବିଚାର କରାଯାଉ। ବିଜୁ ଜନତା ଦଳ ସରକାର ସମୟରେ ମିଶନ ଶକ୍ତିକୁ ମହିଳା ସଶକ୍ତିକରଣର ଏକ ପ୍ରମୁଖ ଆୟୁଧ ଭାବରେ ଉପସ୍ଥାପନ କରାଗଲା । ସେଥିପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ଖୋଲାଗଲା । ବିଭିନ୍ନ ସରକାରୀ ଯୋଜନାରେ ମହିଳା ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ କାମ ବ୍ୟବସ୍ଥା କରାଗଲା । ତା’ପରେ ବିଜେପି ସରକାର ସମୟରେ ସୁଭଦ୍ରା ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମହିଳାଙ୍କ ଖାତାକୁ ଦୁଇଟି କିସ୍ତିରେ ବାର୍ଷିକ ଦଶ ହଜାର ଟଙ୍କା ଜମା କରିବାର ବ୍ୟବସ୍ଥା କରାଗଲା । କିନ୍ତୁ ମହିଳା ମାନଙ୍କର ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଦେଖାଗଲା ନାହିଁ । ଯଦି ଓଡ଼ିଶାର ଗ୍ରାମାଞ୍ଚଳର ମହିଳାଙ୍କ ଅବସ୍ଥାକୁ ତାମିଲନାଡୁ ବା କେରଳ ସହ ତୁଳନା କରାଯାଏ ା ତେବେ ସ୍ପଷ୍ଟ ଜଣାଯିବ ଯେ, ଆମର ମା’ ଓ ଭଉଣୀମାନେ ପ୍ରଗତି ଦୌଡ଼ରେ ବହୁତ ପଛରେ ଅଛନ୍ତି । ଗୋଟିଏ ଅଫିସ ବା ବ୍ୟବସାୟ ପ୍ରତିଷ୍ଠାନରେ ପଶିଗଲେ ଓଡ଼ିଶାରେ କେତେ ମହିଳା କର୍ମଚାରୀଙ୍କୁ ପାଇବେ ? ତାମିଲନାଡୁ ବା ଆନ୍ଧ୍ର ତୁଳନାରେ ଆମେ କେଉଁଠି?
ସେହିଭଳି ଭାବରେ ଆଦିବାସୀ, ଦଳିତ, ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସ୍ବତନ୍ତ୍ର ଯୋଜନା, ସ୍ବତନ୍ତ୍ର ଅର୍ଥ ନିଗମର ବ୍ୟବସ୍ଥା କରିବା ସତ୍ତ୍ବେ ସେମାନେ ସାଧାରଣ ବର୍ଗର ଲୋକଙ୍କଠାରୁ ଆଜି ମଧ୍ୟ ପଛରେ ଅଛନ୍ତି । ଏହାର କାରଣ କ’ଣ ? ଯେ ପର୍ଯ୍ୟନ୍ତ ଆମେ ସମାଜକୁ କେତେକ ବର୍ଗର ସମଷ୍ଟି – ଯଥା ଯୁବକ, ମହିଳା, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ପଛୁଆ ବର୍ଗ – ବୋଲି ଭାବୁଥିବା ସେ ପର୍ଯ୍ୟନ୍ତ ଆମର ଉନ୍ନତି ଖଣ୍ଡିତ, ବିଭାଜିତ ହୋଇ ରହିଥିବ । ସମାଜରେ ସମସ୍ତେ ସମସ୍ତଙ୍କ ସହ ବନ୍ଧା । ସମସ୍ତଙ୍କର ସାମୁହିକ ଉନ୍ନତି ନ ହେବା ପର୍ଯ୍ୟନ୍ତ କୌଣସି ଗୋଟିଏ ବର୍ଗର ଉନ୍ନତି ହେବା ସମ୍ଭବ ନୁହେଁ । ତାହା ହେଲେ ସମଗ୍ର ସମାଜକୁ ବିକଶିତ କରିବାକୁ ହେଲେ କ’ଣ କରିବାକୁ ହେବ ? ସର୍ବ ପ୍ରଥମେ ରାଜ୍ୟର ଭିତ୍ତିଭୂମିକୁ ସଜାଡ଼ିବାକୁ ହେବ। ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ହେବାର ୯୦ ବର୍ଷ ପରେ ମଧ୍ୟ ଯଦି ସବୁ ଗାଁକୁ ସବୁଦିନିଆ ରାସ୍ତା ହୋଇନ ପାରିଲା, ସବୁ ଘର ବିଜୁଳି ପାଇ ପାରିଲେ ନାହିଁ, ବର୍ଷ ସାରା ସବୁ ପରିବାର ବିଶୁଦ୍ଧ ପାନୀୟଜଳ ପାଇ ପାରିଲେ ନାହିଁ ା ତେବେ ଓଡ଼ିଶାର ଉନ୍ନତି କିଭଳି ସମ୍ଭବ ? ସେହିଭଳି ଭାବରେ କୃଷକମାନେ ଯଦି ତାଙ୍କ ଜମିରେ ଜଳସେଚନର ସୁବିଧା ପାଇଲେ ନାହିଁ, ଉତ୍ପାଦିତ ଦ୍ରବ୍ୟକୁ ସାଇତି ରଖିବାର ସୁବିଧା ପାଇ ପାରିଲେ ନାହିଁ, ତାହାର ଉପଯୁକ୍ତ ମୂଲ୍ୟ ପାଇଲେ ନାହିଁ ତାହା ହେଲେ ରାଜ୍ୟର ଉନ୍ନତି କିଭଳି ସମ୍ଭବ ହେବ ? କୃଷକ ପରିବାରରେ ଥିବା ଯୁବକ ଯୁବତୀମାନେ କିଭଳି ଜୀବନର ଜଞ୍ଜାଳ ପାଇଁ ପ୍ରସ୍ତୁତ ହେବେ ?
ଭିତ୍ତିଭୂମି ଯୋଗାଇ ଦେବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। ଦଳ ନିର୍ବିଶେଷରେ ସରକାରମାନେ ଏହି ଦାୟିତ୍ବ ତୁଳାଇବାରେ ବିଫଳ ହୋଇଛନ୍ତି । ନିର୍ବାଚନ ସମୟରେ କିଛି ଅଞ୍ଚଳରେ ଲୋକେ ନିର୍ବାଚନ ବର୍ଜନ କରନ୍ତି, ରାସ୍ତାରୋକୋ କରନ୍ତି । ନେତା ବା ପ୍ରଶାସନିକ ଅଧିକାରୀମାନେ ଆସି ବିଭିନ୍ନ ପ୍ରତିଶ୍ରୁତି ଦିଅନ୍ତି । ବିକ୍ଷୋଭ ପ୍ରତ୍ୟାହୃତ ହୋଇଯାଏ । କେତେ ଦୂର ପ୍ରତିଶ୍ରୁତି ପୂରଣ ହୁଏ ତାହା ବିକ୍ଷୋଭକାରୀମାନେ ହିଁ ଜାଣନ୍ତି ।
ଭିତ୍ତିଭୂମି ସହିତ ଜଡ଼ିତ ଆଉ ଦୁଇଟି ମୂଳ ଆବଶ୍ୟକତା ରହିଛି । ତାହା ହେଲା ଶିକ୍ଷା ଓ ସ୍ବାସ୍ଥ୍ୟ । ଜଣେ ସାଧାରଣ ନାଗରିକକୁ ସରକାରୀ ଖର୍ଚ୍ଚରେ ଶିକ୍ଷିତ କରିବା ଓ ତାହାର ସ୍ବାସ୍ଥ୍ୟ ରକ୍ଷା କରିବା ସରକାରଙ୍କର କର୍ତ୍ତବ୍ୟ ବୋଲି ସମ୍ବିଧାନରେ ବର୍ଣ୍ଣିତ ହୋଇଛି। କିନ୍ତୁ ସେଗୁଡ଼ିକ କିଭଳି ଭାବରେ ସୂଚାରୁ ରୂପରେ କାର୍ଯ୍ୟ କରିବେ ତାହାର କୌଣସି ବ୍ୟବସ୍ଥା ଦୈନନ୍ଦିନ ଜୀବନରେ ଦେଖାଯାଏ ନାହିଁ। ଯଦି ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ରହନ୍ତି, ଯଦି ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମୀ ଉପଲବ୍ଧ ନ ହୁଅନ୍ତି, ଯଦି ଚିକିତ୍ସା ପାଇଁ ବିଭିନ୍ନ ଯନ୍ତ୍ର ଅଚଳ ହୋଇପଡ଼େ ତେବେ ଜଣ ସାଧାରଣ ଯିବେ କୁଆଡ଼େ ?
ସାଧାରଣ ନାଗରିକର ଜୀବନରେ ଆଉ ଗୋଟିଏ ଅନୁଷ୍ଠାନର ଗୁରୁତ୍ବ ରହିଛି । ତାହା ହେଲା ଥାନା । ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ବ୍ୟକ୍ତିର ନିଜର ଧନ ଓ ଜୀବନ ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଛି। ଯଦି ଦିନ ଦ୍ବିପ୍ରହରରେ କିଛି ଲୋକ ଖଣ୍ଡା ଭୁଜାଲି ଧରି ଆକ୍ରମଣ କରନ୍ତି, ଯଦି ଛୋଟିଆ ବ୍ୟବସାୟୀଟିଏ ପ୍ରତି ମାସରେ ବଟି ଦେବାକୁ ବାଧ୍ୟ ହୁଏ, ଯଦି ମହିଳାମାନେ ରାସ୍ତାରେ ଯାତାୟାତ କରିବାରେ ସୁରକ୍ଷିତ ମନେ କରନ୍ତି ନାହିଁ ତାହା ହେଲେ ଜନସାଧାରଣ ବ୍ୟବସାୟ କରିବେ କିପରି ? ନିଯୁକ୍ତି ସୁଯୋଗ ସୃଷ୍ଟି ହେବ କିପରି ? ଜନସାଧାରଣଙ୍କର ଧନ ଓ ଜୀବନ ରକ୍ଷା କରିବା ପାଇଁ ଥାନା ଉଦ୍ଦିଷ୍ଟ । ବିକଶିତ ରାଷ୍ଟ୍ରମାନଙ୍କରେ କୌଣସି ବ୍ୟକ୍ତି ଅସୁରକ୍ଷିତ ମନେ କଲେ ସେ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ କରନ୍ତି । କିନ୍ତୁ ରାଜ୍ୟରେ ବିପଦ ସମୟରେ ଥାନାକୁ ଗଲେ ଯଦି ସେଠାରେ ପୁଲିସ ନ ଥାଆନ୍ତି ବା ପ୍ରକୃତ ଦୋଷୀକୁ ନ ଧରି ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ କେସ୍ରେ ଛନ୍ଦି ଦିଅନ୍ତି, କିମ୍ବା ରାଜନୈତିକ ବ୍ୟକ୍ତିମାନଙ୍କର ଇଙ୍ଗିତରେ ନିଷ୍ପତ୍ତି ନିଆଯାଏ ଓ ସାଧାରଣ ବ୍ୟକ୍ତି ନ୍ୟାୟ ନ ପାଏ, ତେବେ ସେ ରାଜ୍ୟର ପ୍ରଗତି ହେବ କିପରି ?
ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣଙ୍କର ଅଧିକାର ସମ୍ବନ୍ଧିତ ଅନେକ ଆଇନଗତ ବ୍ୟବସ୍ଥା ରହିଛି, ଯୋଜନା ମଧ୍ୟ ରହିଛି । ମହିଳାମାନଙ୍କ ପାଇଁ, ଶିଶୁମାନଙ୍କ ପାଇଁ, ବୃଦ୍ଧଙ୍କ ପାଇଁ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ନିୟମ ରହିଛି ଓ ଆର୍ଥିକ ବ୍ୟବସ୍ଥା ରହିଛି । ସରକାରଙ୍କର କେଉଁ ସେବା କେତେ ଦିନ ମଧ୍ୟରେ ମିଳିବ ସେଥିପାଇଁ ବିଧିବଦ୍ଧ ଆଇନ ଅଛି, ତାହା ନ ମିଳିଲେ ସମ୍ପୃକ୍ତ ଅଧିକାରୀ କେତେ ଜରିମାନା ଦେବେ ତାହା ମଧ୍ୟ ଉକ୍ତ ଆଇନରେ ଉଲ୍ଲେଖ ଅଛି । ଯୁବକମାନେ କୌଣସି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହିଁଲେ ସେଥିପାଇଁ ଆର୍ଥିକ ସାହାଯ୍ୟର ବ୍ୟବସ୍ଥା ରହିଛି । ବ୍ୟାଙ୍କମାନେ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଋଣ ଦେବା ପାଇଁ ବ୍ୟବସ୍ଥା ରହିଛି । ଗୋଟିଏ ରାଜ୍ୟରେ ଯେତେ ଟଙ୍କା ବ୍ୟାଙ୍କମାନେ ଡିପୋଜିଟ ଆକାରରେ ପାଉଛନ୍ତି ତନ୍ମଧ୍ୟରୁ କେତେ ଟଙ୍କା ସେହି ରାଜ୍ୟରେ କୃଷକ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଦେବେ ସେଥିପାଇଁ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ରହିଛି । ଅଗ୍ରଣୀ ରାଜ୍ୟମାନେ ଏହାର ସୁବିଧା ନେଉଛନ୍ତି । କିନ୍ତୁ ଓଡ଼ିଶାରେ ଜନସାଧାରଣ ତାହାର ସୁବିଧା ପାଉ ନାହାନ୍ତି । ଏହାର କାରଣ ହେଲା ଏ ସମସ୍ତ ଅଧିକାର ବା ଯୋଜନା ବିଷୟରେ ସାଧାରଣ ବ୍ୟକ୍ତିମାନେ ଅଜ୍ଞ । ଏପରିକି ଅନେକ ଶିକ୍ଷିତ ବ୍ୟକ୍ତି ମଧ୍ୟ ଏ ସବୁ ବିଷୟରେ ଅଜ୍ଞ ।
ଉପରେ ବର୍ଣ୍ଣିତ ସମସ୍ତ ବିଷୟ – ଆଇନ ଶୃଙ୍ଖଳା ବ୍ୟବସ୍ଥା ହେଉ, ଶିକ୍ଷା ବ୍ୟବସ୍ଥା ହେଉ ବା ସ୍ବାସ୍ଥ୍ୟ, ଭିତ୍ତିଭୂମି ହେଉ ବା ଜନ ଅଧିକାର ହେଉ – ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ବ୍ୟବସ୍ଥା ନାହିଁ । ବିଭିନ୍ନ ଦଳର ସରକାର ଲୋକଙ୍କୁ ସଚେତନ କରିବା ପାଇଁ କୋଟି କୋଟି ଟଙ୍କାର ବିଜ୍ଞାପନ ପ୍ରକାଶ କରୁଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ ତଥା ପ୍ରଧାନ ମନ୍ତ୍ରୀଙ୍କର ଫଟୋ ଶୋଭା ପାଉଛି । ରାସ୍ତାଘାଟରେ ଅନୁରୂପ ହୋର୍ଡିଂ ଲାଗୁଛି । ମନ୍ତ୍ରୀମାନେ ଆସି ବ୍ୟୟ ବହୁଳ ସଭା କରି ଆପ୍ୟାୟିତ କରୁଛନ୍ତି ଓ ହେଉଛନ୍ତି । କିନ୍ତୁ ତଥାପି ଫଳ କାହାରିକୁ ଅଜଣା ନାହିଁ । ଏହାର କାରଣ ହେଲା ସରକାରୀ ବିଜ୍ଞାପନ ଦେଖିଲେ ଲୋକେ ମୂହଁ ମୋଡ଼ିି ଚାଲି ଯାଉଛନ୍ତି, ଭାବୁଛନ୍ତି ଯେ ସେଗୁଡ଼ିକ କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ । ତାହା ହେଲେ ଏ ସମସ୍ୟାର ସମାଧାନ କ’ଣ ?
ସେ ବିଷୟରେ ଆସନ୍ତା ସପ୍ତାହରେ ଆଲୋଚନା କରିବା ।
