ଚଳିତ ଅଗଷ୍ଟ ମାସ ୦୮ ତାରିଖ ଦିନ ‘ଜନ ଜାଗରଣ ଅଭିଯାନ’ ଆରମ୍ଭ ହେଲା । ଏହାର ଆଭିମୁଖ୍ୟ ବିଷୟରେ ଆଲୋଚନା କରିବା ।
ଆଜି ସବୁଠି ଚର୍ଚ୍ଚା – ସବୁ ସ୍ତରରେ, ସବୁ ସ୍ଥାନରେ ନୈତିକ ସ୍ଖଳନ ଘଟିଛି। ୫୦ ବର୍ଷ ପୂର୍ବେ ଯେଉଁଭଳି ଶିକ୍ଷାଦାନ ହେଉଥିଲା, ଯେଉଁଭଳି ଶିକ୍ଷକ ଥିଲେ ଆଜି ସେମାନେ ନାହାନ୍ତି। ୫୦ ବର୍ଷ ପୂର୍ବେ ଯେଉଁଭଳି ପ୍ରଶାସନିକ ଅଧିକାରୀ ବା ସରକାରୀ କର୍ମଚାରୀ ଥିଲେ ଆଜି ସେମାନେ ନାହାନ୍ତି । ୫୦ ବର୍ଷ ପୂର୍ବେ ଯେଉଁଭଳି ଇଞ୍ଜିନିୟରମାନେ ସରକାରରେ ଥିଲେ ଆଜି ସେମାନେ ନାହାନ୍ତି । ସମସ୍ତେ ସ୍ବାର୍ଥପର ହୋଇଯାଇଛନ୍ତି । ‘କର୍ତ୍ତବ୍ୟ’ର ସ୍ଥାନ ନେଇ ଯାଇଛି ‘ବ୍ୟକ୍ତି ସ୍ବାର୍ଥ’। ସବୁଠାରେ ଦୁର୍ନୀତି ବ୍ୟାପି ଯାଇଛି । ବିନା ଟଙ୍କାରେ ଚାକିରି ମିଳୁ ନାହିଁ। ବିନା ଟଙ୍କାରେ ରାଜନୀତି କରି ହେଉନାହିଁ । ବିନା ଟଙ୍କାରେ ନିର୍ବାଚନ ଲଢ଼ି ହେଉ ନାହିଁ । ଆମେ ସମସ୍ତେ ଗୋଟିଏ ବିଷ ବଳୟ ମଧ୍ୟରେ ଛନ୍ଦି ହୋଇ ଯାଇଛେ । ଏଥିରୁ ମୁକୁଳିବାର କୌଣସି ସମ୍ଭାବନା ଅଛି କି ନାହିଁ ? ଏ ଗୌହର ଶେଷରେ ଆଲୋକ ଅଛି କି ନାହିଁ ?
ଏହାର ଉତ୍ତର ଖୋଜିବାକୁ ଯାଇ କିଛି ଲୋକ ଧର୍ମଶାସ୍ତ୍ର ଆଡ଼କୁ ଚାଲିଯାଆନ୍ତି । ଜଗତ ଯେତେବେଳେ ଅଧର୍ମରେ ଭାରାକ୍ରାନ୍ତ ହୋଇଯାଏ ସେତେବେଳ ସ୍ବୟଂ ଭଗବାନ ଆବିର୍ଭୂତ ହୁଅନ୍ତି, ସତ୍ୟର ସଂସ୍ଥାପନା ପାଇଁ । କିଛିଲୋକ ମାଳିକା ବଚନର ଆଶ୍ରୟ ନିଅନ୍ତି, ପ୍ରଳୟ ଯେ, ଅବଶ୍ୟମ୍ଭାବୀ ତାହାର ଆଶଙ୍କାରେ ମ୍ରିୟମାଣ ହୋଇପଡ଼ନ୍ତି ।
କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ, ଏହି ସମାଜକୁ ଆମେ ତିଆରି କରିଛୁ । ଏହାର ରୀତି, ନୀତି, ପରମ୍ପରା ସବୁ ଆମେ ହିଁ ତିଆରି କରିଛୁ । ଯଦି ସମାଜ କୌଣସି କାରଣରୁ କକ୍ଷଚ୍ୟୁତ ହୋଇଯାଏ ତେବେ ତାକୁ ପୁଣି କକ୍ଷକୁ ଫେରାଇ ଆଣିବାର ଦାୟିତ୍ବ ମଧ୍ୟ ଆମର ଏବଂ ଏହା ସମ୍ଭବ, କାରଣ ମଣିଷ ଗୋଟିଏ ହିଂସ୍ର ପଶୁ ନୁହେଁ । ତାହାର ଜନ୍ମଗତ ପ୍ରବୃତ୍ତି ହେଉଛି ସତ୍ୟପଥରେ ଯିବା । ଜଣେ ହତ୍ୟାକାରୀ କେବେ ହେଲେ ଚାହେଁ ନାହିଁ ଯେ ତାହାର ସନ୍ତାନ ଗୋଟିଏ ହତ୍ୟାକାରୀ ହେଉ । ଜଣେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ମଧ୍ୟ ପ୍ରମାଣ କରିବାକୁ ଚାହେଁ ଯେ, ସେ ନିଷ୍କଳଙ୍କ । ଜଣେ ଯୁବକ ବା ଯୁବତୀ ଚାହେଁ ନାହିଁ ଯେ, ତାହାର ଜୀବନସଙ୍ଗୀ ଜଣେ ଦୁଶ୍ଚରିତ୍ର ବ୍ୟକ୍ତି ହେଉ । ବିବର୍ତ୍ତନରେ ମଣିଷଠାରୁ ଅନେକ ପରାକ୍ରମୀ ଜୀବ ନିଶ୍ଚିହ୍ନ ହୋଇ ଯାଇଛନ୍ତି । ମଣିଷ ହଜାର ହଜାର ବର୍ଷର ସଂଘର୍ଷ ପରେ ମଧ୍ୟ ବଞ୍ଚି ରହିଛି ା କାରଣ ସେ ସତ୍ୟରେ ବିଶ୍ବାସ କରେ, ସେ ସମାଜକୁ ସମ୍ମାନ ଦିଏ, ସେ ପରସ୍ପରକୁ ସାହାଯ୍ୟ କରିବାରେ ବିଶ୍ବାସ କରେ। ଏହି ଚିରନ୍ତନ ଭାବଗୁଡ଼ିକୁ ପୁନରୁଉତ୍ଥାପନ କରିବା ହେଉଛି ‘ଜନ ଜାଗରଣ ଅଭିଯାନ’ର ଉଦ୍ଦେଶ୍ୟ। ଏଗୁଡ଼ିକ କାଳ୍ପନିକ ଚିନ୍ତା ନୁହେଁ । ଏହା ଏକ କାେର୍ଯ୍ୟାପଯୋଗୀ ଏଜେଣ୍ଡା । ସବୁ ସତ୍କାର୍ଯ୍ୟର ମୂଳରେ ଥାଆନ୍ତି ଭଲ ଲୋକ। ସବୁ ପରିବାର ଚାହାନ୍ତି ଯେ, ତାଙ୍କର ବୋହୁ ବା ଜ୍ବାଇଁ ଜଣେ ଭଲ ଲୋକ ହେଉ । ସବୁ ପୁରୁଷ ଚାହେଁ ଯେ,ତାହାର ସ୍ତ୍ରୀ ଜଣେ ଭଲ ମହିଳା ହେଉ । ସବୁ ଯୁବତୀ ଚାହେଁ ଯେ, ତାହାର ସ୍ବାମୀ ଜଣେ ଭଲ ବ୍ୟକ୍ତି ହେଉ । ସମସ୍ତେ ଚାହାନ୍ତି ଯେ, ସ୍କୁଲର ଶିକ୍ଷକ ଜଣେ ଭଲ ଶିକ୍ଷକ ହୁଅନ୍ତୁ, ଡାକ୍ତର ଭଲ ଡାକ୍ତର ହୁଅନ୍ତୁ, ଅଫିସର ଭଲ ଅଫିସର ହୁଅନ୍ତୁ । ଯଦି ଆମେ ଆଜି ସମାଜରେ ଭ୍ରଷ୍ଟତାର ପ୍ରାବଲ୍ୟ ଦେଖୁଛେ, ତାହାର କାରଣ ହେଲା ଆମେ ଭଲ ଲୋକଙ୍କୁ ଖୋଜିବାରେ ଅବହେଳା କରି ଦେଇଛୁ, ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଉ ନାହୁଁ । ଖଳ ପ୍ରକୃତିର ଲୋକଙ୍କୁ ଯେଭଳି କଠୋର ଭାବରେ ଦମନ କରିବା କଥା ତାହା କରୁ ନାହୁଁ। ଦୋଷୀକୁ ଦଣ୍ଡ ଦେବାରେ କୁଣ୍ଠାବୋଧ କରୁଛୁ ।
‘ଜନ ଜାଗରଣ ଅଭିଯାନ’ର ଉଦ୍ଦେଶ୍ୟ ହେଲା ଭଲ ଲୋକଙ୍କୁ ଖୋଜିବା, ତାଙ୍କୁ ପ୍ରାଧାନ୍ୟ ଦେବା, ତାଙ୍କୁ ଭଲ କାମ କରିବାରେ ପ୍ରୋତ୍ସାହନ ଦେବା । ଭଲ କାମ କରିବାକୁ ହେଲେ ପ୍ରଥମେ ଭଲ ଲୋକ ଆଗକୁ ଆସିବା ଦରକାର କାରଣ ଖଳ ପ୍ରକୃତିର ଲୋକଙ୍କଠାରୁ ଭଲ କାମ ଆଶା କରିବା ବୃଥା । ଶୋଚନାର ବିଷୟ ହେଉଛି ଆଜି ଭଲ ଲୋକେ ବାହାରକୁ ଆସୁ ନାହାନ୍ତି । କିନ୍ତୁ ସେମାନଙ୍କର ଆବଶ୍ୟକତା ବଢ଼ି ଯାଇଛି । ପରିବାରଗୁଡ଼ିକ ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଅସହାୟତା ବଢ଼ି ଯାଇଛି । ଦୁଃସମୟରେ, ଥାନାରେ, ଡାକ୍ତରଖାନାରେ ଛିଡ଼ା ହେବା ପାଇଁ କେହି ନାହିଁ। ଯେଉଁମାନେ ଅତି ଗରିବ ସେମାନଙ୍କୁ ଖଣ୍ଡେ ଘରବାରି ଜମି ଯୋଗାଇ ଦେବା ବା ଆବାସ ଯୋଗାଇ ଦେବା, ବା କାର୍ଡ ବା ପେନସନ ମିଳିବାରେ କେହି ସାହାଯ୍ୟ କରିବାକୁ ନାହିଁ । ଅଧିକାଂଶ ଯୋଜନାର ପ୍ରୟୋଗ ରାଜନୈତିକ ଦୃଷ୍ଟିକୋଣରୁ ନିର୍ଣ୍ଣିତ ହେଉଛି । ତେଲିଆ ମୁଣ୍ଡରେ ତେଲ ବୋଳି ଦିଆଯାଉଛି ା କିନ୍ତୁ ନୁଖୁରା ମୁଣ୍ଡ ନୁଖୁରା ହିଁ ରହିଯାଉଛି । ନିଃସ୍ବାର୍ଥପର ସେବା କରିବା ପାଇଁ ଆଜି ମଧ୍ୟ ଅନେକ ଯୁବକ ଯୁବତୀ ଇଚ୍ଛୁକ । କିନ୍ତୁ ସେମାନଙ୍କୁ ସ୍ୱୀକୃତି ମିଳୁ ନାହିଁ । ସେମାନଙ୍କ ପାଇଁ କୌଣସି ସଂଗଠନ ନାହିଁ । “ଜନ ଜାଗରଣ ଅଭିଯାନ” ସେହିମାନଙ୍କୁ ଖୋଜୁଛି ।
ଆଜି ଶିକ୍ଷାକୁ ମୌଳିକ ଅଧିକାର ଭାବରେ ସମ୍ବିଧାନ ସ୍ୱୀକୃତି ଦେଇଛି । କିନ୍ତୁ ତାହାର ଅନେକ ପୂର୍ବରୁ ଓଡ଼ିଶା ତାହାର ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରସିଦ୍ଧ ଥିଲା । ଗରିବ କିନ୍ତୁ ମେଧାବୀ ଛାତ୍ରମାନେ ସରକାରୀ ସ୍କୁଲ, କଲେଜରେ ପଢ଼ି ବିଶ୍ବବିଖ୍ୟାତ ହୋଇପାରିଥିଲେ । ଆଜି ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିରେ ଅଗ୍ରଗତି ହୋଇଛି, କିନ୍ତୁ ଗୁଣାତ୍ମକ ମାନ କମି ଯାଉଛି । ଏହାର କାରଣ ହେଲା ପୂର୍ବ କାଳରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ଓ ତାହାକୁ ବଢ଼ାଇବାରେ ସମାଜ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଥିଲା। ସବୁ ଅଞ୍ଚଳରେ ସଚେତନ ନାଗରିକମାନେ ଏକାଠି ହୋଇ ନୂଆ ହାଇସ୍କୁଲ, କଲେଜମାନ ପ୍ରତିଷ୍ଠା କରୁଥିଲେ। ଆଜି ସେ ଦାୟିତ୍ବ ଆଉ ସମାଜ ବହନ କରୁ ନାହିଁ । ସ୍କୁଲରେ ପାଠ ପଢ଼ା କିପରି ହେଉଛି ତାହା ଅଭିଭାବକମାନେ ମଧ୍ୟ ପ୍ରଶ୍ନ କରୁ ନାହାନ୍ତି । ଏପରିକି ସ୍କୁଲ ପରିଚାଳନା କମିଟିର ସଭ୍ୟମାନେ ମଧ୍ୟ ଏଥିପ୍ରତି ଉଦାସୀନ ରହୁଛନ୍ତି । ଶିକ୍ଷା ଅବକ୍ଷୟମୁଖୀ ହେବାର ଏକ ପ୍ରମୁଖ କାରଣ ହେଲା ଶିକ୍ଷା ପ୍ରତି ସାଧାରଣ ଉଦାସୀନତା । ଭଲ ଲୋକେ ପୁଣି ଥରେ ନିଜର ବିସ୍ମୃତ ଅଧିକାର ମାଗିବା ଉଚିତ ।
ଶିକ୍ଷା ଭଳି ସ୍ବାସ୍ଥ୍ୟ ମଧ୍ୟ ଆମର ଅମୂଲ୍ୟ ସମ୍ପଦ। ଯେଉଁ ସମାଜ ଯେତେ ସୁସ୍ଥ ତାହା ସେତେ ବିକଶିତ । କିନ୍ତୁ ଆଜି ସ୍ବାସ୍ଥ୍ୟ ସମସ୍ୟା ଏକ ଭିନ୍ନ ରୂପ ନେଇଛି । ଭାରତ ଯେତେବେଳେ ସ୍ବାଧୀନ ହେଲା ସେତେବେଳେ ଲୋକଙ୍କର ଜୀବନକାଳ ଥିଲା ୩୨ ବର୍ଷ । ଆଜି ତାହା ଦ୍ବିଗୁଣିତ ହୋଇଛି। ଲୋକେ ଅଧିକ ସମୟ ବଞ୍ଚିପାରୁଛନ୍ତି । କିନ୍ତୁ ରୋଗର ମାତ୍ରା ମଧ୍ୟ ବଢିଚାଲିଛି । ଏକ ସମୟରେ ହଇଜା, ବସନ୍ତ, ମ୍ୟାଲେରିଆ ଆଦି ସଂକ୍ରାମକ ରୋଗ ଯୋଗୁଁ ଲୋକେ ମୃତ୍ୟୁ ବରଣ କରୁଥିଲେ । ଆଜି ସେଭଳି ରୋଗର ପ୍ରାଦୁର୍ଭାବ ନାହିଁ । କିନ୍ତୁ ଡାଏବେଟିସ, ହୃଦରୋଗ, କର୍କଟ ଆଦି ଅନେକ ଭୟଙ୍କର ରୋଗ ସମାଜକୁ ଗ୍ରାସ କରିବାରେ ଲାଗିଛି । ଏଗୁଡ଼ିକର ଚିକିତ୍ସା ପାଇଁ ଅନେକ ଉପାୟ ଉଦ୍ଭାବିତ ହୋଇଛି, ନିଦାନ ପାଇଁ ଆଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ହୋଇଛି । କିନ୍ତୁ ସରକାରୀ ହସ୍ପିଟାଲରେ ଅନେକ ସମୟରେ ଯନ୍ତ୍ରଗୁଡ଼ିକ କାମ କରୁ ନାହିଁ । ଏପରିକି ନୂଆ ଯନ୍ତ୍ରପାତିଗୁଡ଼ିକର ପାକେଜ ଖୋଲା ନ ଯାଇ ପଡ଼ି ରହୁଛି । ଏ ସବୁ ବିଷୟରେ କେହି ପ୍ରଶ୍ନ କରୁ ନାହିଁ । ବେଳେବେଳେ ଗଣମାଧ୍ୟମରେ ଏ ବିଷୟରେ ସମ୍ବାଦ ପ୍ରକାଶିତ ହେଉଛିା କିନ୍ତୁ ବ୍ୟବସ୍ଥାରେ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରାଯାଉ ନାହିଁ । ଅନେକ ସମୟରେ ଡାକ୍ତରମାନେ ନିଜ ଉପରୁ ଦାୟିତ୍ବ ହଟାଇ ପ୍ରାଇଭେଟ ହସ୍ପିଟଲକୁ ରୋଗୀମାନଙ୍କୁ ପଠାଇ ଦେଉଛନ୍ତି । ଏ ବିଷୟରେ କେହି ପ୍ରଶ୍ନ କରୁ ନାହାନ୍ତି । ଶିକ୍ଷା ଭଳି ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ଏକ ବ୍ୟବସାୟରେ ପରିଣତ ହୋଇ ଯାଇଛି । ଏହାର ପରିବର୍ତ୍ତନ ଆବଶ୍ୟକ ଏବଂ ଭଲ ଲୋକେ ଏଥିପାଇଁ ଆଗେଇ ଆସିବା ଉଚିତ । ସ୍ବାସ୍ଥ୍ୟରକ୍ଷା କେବଳ ଔଷଧ ଦ୍ବାରା ସମ୍ଭବ ନୁହେଁ। ପ୍ରଦୂଷଣ ଯୋଗୁଁ ଓ ବଦଭ୍ୟାସ ଯୋଗୁଁ ଆଜି ଅନେକ ବ୍ୟକ୍ତି ରୋଗଗ୍ରସ୍ତ ହେଉଛନ୍ତି । ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ଜ୍ଞାନର ଘୋର ଅଭାବ ରହିଛି । ଗୋଟିଏ ପଟେ ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀଗୁଡ଼ିକର ଚକ୍ରାନ୍ତ ଯୋଗୁଁ ଲୋକେ ଔଷଧ ସେବନ ଉପରେ ମାତ୍ରାଧିକ ନିର୍ଭର କରୁଛନ୍ତି । ଅନ୍ୟ ପଟେ ତଥାକଥିତ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ସାମାଜିକ ଗଣମାଧ୍ୟମରେ ଯେଉଁ ଭଳି ଏକ ଭିନ୍ନ ଧରଣର ମାର୍କେଟିଂ ଯୁଦ୍ଧ ଚାଲିଛି ତାହା ଜଣେ ସାଧାରଣ ବ୍ୟକ୍ତିକୁ ସଂଶୟ ଆଡ଼କୁ ଠେଲି ଦେଉଛି । ସୁସ୍ଥ ଜୀବନ ଯାପନ ପାଇଁ ସୁଷମ ଖାଦ୍ୟ, ଉତ୍ତମ ପରିମଳ ବ୍ୟବସ୍ଥା ତଥା ବଦଭ୍ୟାସର ପରିହାର ବିଷୟରେ ଆବଶ୍ୟକ ସଚେତନତାର ଅଭାବ ପରିଲକ୍ଷିତ ହେଉଛି । ଏ ସବୁର ପ୍ରସାର ପାଇଁ ବିବେକବାନ ଡାକ୍ତର ଓ ସଚେତନ ନାଗରିକଙ୍କର ଆବଶ୍ୟକତା ରହିଛି । “ଜନ ଜାଗରଣ ଅଭିଯାନ” ସେଭଳି ଡାକ୍ତରଙ୍କୁ ଖୋଜୁଛି, ସେଭଳି ସ୍ବେଚ୍ଛାସେବୀଙ୍କୁ ଖୋଜୁଛି ଯେଉଁମାନେ କି ସୁସ୍ଥ ଜୀବନ ବିଷୟରେ ଲୋକଙ୍କୁ ସଚେତନ କରିପାରିବେ ।
ପରିବେଶ ସୁରକ୍ଷା ଆଜି ଏକ ମୌଳିକ ଆବଶ୍ୟକତା। ସୁସ୍ଥ ପରିବେଶ କେବଳ ବ୍ୟକ୍ତିଗତ ସ୍ତରରେ ଦୀର୍ଘ ଜୀବନ ପାଇଁ ଆବଶ୍ୟକ ତାହା ନୁହେଁ, ଏହା ସମଗ୍ର ପୃଥିବୀର ସ୍ଥାୟିତ୍ବ ପାଇଁ ଅପରିହାର୍ଯ୍ୟ । ପରିବେଶ ସୁରକ୍ଷା କେବଳ ବୃକ୍ଷ ରୋପଣରେ ସୀମିତ ହେବା ଉଚିତ ନୁହେଁ । ପ୍ରଦୂଷଣକୁ ରୋକିବା ପାଇଁ ଯେଉଁ ସବୁ ପଦକ୍ଷେପ ଆବଶ୍ୟକ ତାହା ପାଇଁ ମଧ୍ୟ ପ୍ରଚେଷ୍ଟା ହେବା ଉଚିତ। ପ୍ରଦୂଷଣ ହ୍ରାସ ପାଇଁ ଅନେକ ବୈଜ୍ଞାନିକ ଉପାୟ ରହିଛି । କିନ୍ତୁ ସେ ଉପାୟଗୁଡ଼ିକ ଏଡ଼ାଇ ଯିବା ପାଇଁ ସବୁ ପ୍ରଦୂଷଣକାରୀ ଯତ୍ପରୋନାସ୍ତି ଚେଷ୍ଟା କରନ୍ତି । ଏହାକୁ ରୋକିବାକୁ ହେଲେ ସଭ୍ୟ ସମାଜ ସଜାଗ ହେବା ଉଚିତ। କିନ୍ତୁ ପରିବେଶ ପ୍ରଦୂଷଣ ପାଇଁ କେବଳ ଶିଳ୍ପ ସଂସ୍ଥାମାନଙ୍କୁ ଦୋଷ ଦେବା ଯଥେଷ୍ଟ ନୁହେଁ। ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ବ୍ୟକ୍ତିର କିଛି ଦାୟିତ୍ବ ରହିଛି। ପ୍ଲାଷ୍ଟିକ ବ୍ୟବହାର ଠାରୁ ଆରମ୍ଭ କରି ଚାଷ ପଦ୍ଧତି ପର୍ଯ୍ୟନ୍ତ, ଗୋବର ବ୍ୟବହାର ଠାରୁ ଆରମ୍ଭ କରି ଶକ୍ତିବ୍ୟୟ ପର୍ଯ୍ୟନ୍ତ, ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଖାଦ୍ୟ ଅପଚୟ ପର୍ଯ୍ୟନ୍ତ – ସବୁ କ୍ଷେତ୍ରରେ ପରିବେଶକୁ ଅସନ୍ତୁଳିତ କରିବାର ଉପାଦାନ ରହିଛି । ପରିବେଶ ସୁରକ୍ଷା ପାଇଁ ଏକ ସନ୍ତୁଳିତ ବ୍ୟବସ୍ଥା ଗ୍ରହଣ କରିବାରେ ସଭ୍ୟ ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ‘ଜନ ଜାଗରଣ ଅଭିଯାନ’ ଜାଗ୍ରତ ପ୍ରହରୀଙ୍କୁ ଖୋଜୁଛି ।
ଆସନ୍ତା ସପ୍ତାହରେ ଏହି ଆଲୋଚନା ଜାରି ରଖିବା ।
