ଯେତେବେଳେ ମୁଖ୍ୟ ନ୍ୟାୟାଧୀଶ କେତେକ ବେରୋଜଗାର ଯୁବକଙ୍କୁ ‘ଅସରପା’ ବୋଲି ସମ୍ବୋଧନ କଲେ, ଅଭିଜିତ ଦୀପକେ ଏକ କାଳ୍ପନିକ ଦଳ ଗଠନ କଲେ ଯାହାକି ଆଜି ସମସ୍ତେ ଜାଣନ୍ତି । ଏହା ଏକ ବ୍ୟଙ୍ଗ ଥିଲା । କିନ୍ତୁ ଦୁଇ ଦିନ ମଧ୍ୟରେ ଦୁଇ କୋଟି ଲୋକ ଏହାର ସଭ୍ୟ ହୋଇଗଲେ । ଯେତେବେଳେ ସୋନାମ ୱାଙ୍ଗଚୁକ୍ ଯନ୍ତର ମନ୍ତରରେ ଅନଶନ ଆରମ୍ଭ କଲେ ଓ ପୋଲିସ ବଳ ପ୍ରୟୋଗ କରିବା ଆରମ୍ଭ କଲେ, ସେତେବେଳେ ‘ଅସରପା’ମାନେ ହଜାର ହଜାର ସଂଖ୍ୟାରେ ବାହାରି ଆସିଲେ । ସମସ୍ତେ ଜାଣନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କେବଳ ଏକ ନାରା ଥିଲା । ଜେନଜିର ଏଭଳି ଉଚ୍ଛ୍ବସିତ ଆବେଗ ପଛରେ ଏକ କ୍ଷୋଭ ଥିଲା – ଏକେ ତ ସେମାନଙ୍କ ସମସ୍ୟା କେହି ସମାଧାନ କଲେ ନାହିଁ, ତା ଉପରେ ସେମାନଙ୍କୁ ‘ଅସରପା’ ବୋଲି ଡାକିଲେ ।
ଭବିଷ୍ୟତରେ ସେମାନଙ୍କର କ୍ଷୋଭ କେଉଁ ରୂପ ନେବ ତାହା କଳନା କରିବା କଷ୍ଟ । କିନ୍ତୁ ସବୁ କ୍ଷୋଭ ପଛରେ ଥାଏ ଅଫୁରନ୍ତ ଶକ୍ତି । ଏବଂ ସେହି ଶକ୍ତିକୁ ସଠିକ ଭାବରେ ବ୍ୟବହାର କଲେ ରାଷ୍ଟ୍ର ପାଇଁ ଅନେକ ଅସାଧ୍ୟ କାମ ସହଜ ହୋଇଯିବ, ଯେଭଳି ବନ୍ୟାର ଉଦ୍ଦାମତାକୁ ସଠିକ ଭାବରେ ବ୍ୟବହାର କଲେ ହଜାର ହଜାର ଏକର ଜମିକୁ ଜଳସେଚିତ କରାଯାଇପାରେ। ଏକ ‘ନକାରାତ୍ମକ’ ଶକ୍ତିକୁ ଦେଶ ଗଠନରେ ବ୍ୟବହାର କରାଯାଇପାରିବ । ଆମ ଦେଶର ଦୁଇ ତୃତୀୟାଂଶ ବ୍ୟକ୍ତିଙ୍କ ବୟସ ୩୫ ବର୍ଷରୁ କମ୍ । ଯଦି ଆମେ ଏହି ଯୁବଶକ୍ତିକୁ ସଠିକ ସମୟରେ ବ୍ୟବହାର କରି ନ ପାରିବା ତେବେ ସେମାନେ ଦିନେ ସମାଜ ଉପରେ ବୋଝ ହୋଇଯିବେ । ଆମକୁ ଆଜି ହିଁ କାମରେ ଲାଗିବାକୁ ହେବ । ଯୁବଶକ୍ତି ପାଇଁ ନିମ୍ନଲିଖିତ ଏକ କାର୍ଯ୍ୟ ଖସଡ଼ାର ଅବତାରଣା କରାଗଲା ।
ସମାଜରେ ଅନେକ ପରିବାର ଅଛନ୍ତି ଯେଉଁମାନଙ୍କର କେହି ନିଜ ଲୋକ ନାହାନ୍ତି । କିଏ ବୃଦ୍ଧ, କିଏ ବିଧବା, କାହାର ପାରିଲା ପୁଅ ବିଦେଶରେ ଦାଦନ ଖଟିବାକୁ ଯାଇଛି। କିଏ ଝୁପୁଡ଼ିରେ ରହୁଛି, କାହାର ପଟ୍ଟା ନାହିଁ, କାର୍ଡ ନାହିଁ । କିଏ ଗୁରୁତର ରୋଗରେ ପଡ଼ିଛି । ପାଖରେ ଥିବା ଡାକ୍ତରଖାନା ତାହାର ଚିକିତ୍ସା କରିବାକୁ ମନା କରିଦେଇଛି। ଦୂର ଡାକ୍ତରଖାନା ଯିବାକୁ ସମ୍ବଳ ନାହିଁ । କାହାର ଝିଅ ଅସଦାଚରଣର ଶିକାର ହୋଇଛି । ଥାନାକୁ ଗଲେ ସେ ଆହୁରି ନିର୍ଯାତିତ ହେଉଛି । ଏଗୁଡ଼ିକ ସବୁ ଦିନର କାହାଣୀ । ସେ କାହାଣୀରେ ଦେବଦୂତ ହେବା ପାଇଁ ଅନେକ ଯୁବକଙ୍କ ମନରେ ଇଚ୍ଛା ରହିଛି । ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ସେମାନେ ସଦାବେଳେ ଆଗ୍ରହୀ । କିନ୍ତୁ ସେମାନଙ୍କ ପଛରେ କୌଣସି ଅନୁଷ୍ଠାନ ନାହିଁ । ଥାନା ବା ଡାକ୍ତରଖାନାକୁ ଧାଇଁ ଯିବାକୁ ତାହାର ତିଳେ ମାତ୍ର ଦ୍ବିଧା ନାହିଁ । କିନ୍ତୁ ଯଦି ଥାନାରେ ସେ ଦୁର୍ବ୍ୟବହାରର ଶିକାର ହୁଏ, ଯଦି ସେ ଡାକ୍ତରଖାନାରେ ଡାକ୍ତରଙ୍କର ସାହାଜ୍ୟ ନ ପାଏ ତେବେ ତାହାର ଅସହାୟତା ପୁଣି ଥରେ କ୍ଷୋଭରେ ରୂପାନ୍ତରିତ ହୋଇଯାଏ । ଏକ ସକାରାତ୍ମକ କାର୍ଯ୍ୟ ହିଂସାରେ ଶେଷ ହୁଏ । ଯୁବପୀଢ଼ିକୁ ଯଦି ସକାରାତ୍ମକ କାର୍ଯ୍ୟରେ ନିୟୋଜିତ କରାଯିବ ତାହା ହେଲେ ସେଥିପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ହେବା ଉଚିତ୍ । ଲୋକଙ୍କୁ ତାଙ୍କର ଅଧିକାର ବିଷୟରେ ସଚେତନ କରିବାକୁ ଓ ସେମାନେ ସେ ଅଧିକାର ପାଇବାକୁ ଯୁବଶକ୍ତିକୁ ବ୍ୟବହାର କରାଯିବା ଉଚିତ୍ । ମନେ ରଖିବାକୁ ହେବ ଯେ, ଜଣେ ଯୁବକ ବା ଯୁବତୀ ହଜାରେ ପ୍ରାଚୀରପତ୍ର ବା ବିଜ୍ଞାପନ ଠାରୁ ଅଧିକ ଶକ୍ତିଶାଳୀ ।
ଓଡ଼ିଶା ଏକ ସମ୍ଭାବନାର ସଂଭାର । ଆମର ଖଣିଜ ସମ୍ପଦ ପଡ଼ୋଶୀ ଆନ୍ଧ୍ରଠାରୁ ଢେର ଅଧିକ । କେବଳ ସେତିକି ନୁହେଁ, ଏହା ଭାରତ ବର୍ଷରେ ବିରଳ । ବକ୍ସାଇଟ, କୋଇଲା, ଲୁହା ପଥର, କ୍ରୋମାଇଟ, ବିରଳ ମୃତ୍ତିକା– ଏ ସବୁଥିରେ ଓଡ଼ିଶା ଭରପୂର । କିନ୍ତୁ ଏହାର ଲାଭ କେତେକ ମୁଷ୍ଟିମେୟ ଶିଳ୍ପପତିଙ୍କ ନିକଟକୁ ଯାଉଛି । ସେଇ ଅଞ୍ଚଳର ଲୋକେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ତାମିଲନାଡୁରେ ଯେଉଁ କିଶୋରୀମାନେ ଗ୍ୟାସ ଲିକ ଯୋଗୁଁ ପ୍ରାଣ ହରାଇଛନ୍ତି ସେମାନେ ସମସ୍ତେ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର । ଓଡ଼ିଶାରେ ଯେତେ ପରିମାଣର ଇସ୍ପାତ୍ ବା ଆଲୁମିନିଅମ ପ୍ରସ୍ତୁତ ହେଉଛି ସେ ସବୁ ଓଡ଼ିଶା ବାହାରର ରାଜ୍ୟକୁ ଚାଲିଯାଉଛି । ସେଗୁଡ଼ିକୁ ବ୍ୟବହାର କରି କ୍ଷୁଦ୍ରଶିଳ୍ପ ଗଢ଼ି ଉଠି ନାହିଁ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । କିନ୍ତୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଗଢ଼ିଉଠି ନାହିଁ। ଓଡ଼ିଶାରେ ବହୁ ପରିମାଣର କପା ଚାଷ ହୁଏ । କିନ୍ତୁ ଓଡ଼ିଶା ବାହାରେ ଥିବା ଶିଳ୍ପମାନଙ୍କରେ ତହିଁରୁ ସୂତା ପ୍ରସ୍ତୁତ କରାଯାଏ, ଓଡ଼ିଶାରେ ନୁହେଁ । ସେ ସୂତା ପୁଣି ଓଡ଼ିଶାକୁ ଆସେ ଶାଢୀ ଓ ଅନ୍ୟାନ୍ୟ ବସ୍ତ୍ର ପାଇଁ । ଓଡ଼ିଶାର ଶ୍ରମିକମାନେ ଯାଇ ସୂତା କଳ ବା କପଡ଼ା ମିଲ୍ରେ କାମ କରନ୍ତି । କିନ୍ତୁ ଓଡ଼ିଶାରେ କପା ଭିତ୍ତିକ ଶିଳ୍ପ ଗଢ଼ି ଉଠୁ ନାହିଁ । ଓଡ଼ିଶାର ପର୍ଯ୍ୟଟନ କହିଲେ ମହାପ୍ରଭୁଙ୍କର ଶ୍ରୀମନ୍ଦିର, ବିଶ୍ବ ଐତିହ୍ୟ କେନ୍ଦ୍ର କୋଣାର୍କ, ଓ ଭୁବନେଶ୍ବରକୁ ବୁଝାଏ । କିନ୍ତୁ ସ୍ବର୍ଣ୍ଣତ୍ରିଭୁଜ ବ୍ୟତୀତ ଓଡ଼ିଶାରେ ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ଅଛି। ସିମିଳିପାଳ, ଭିତରକନିକା, ଦେବ୍ରିଗଡ, ସାତକୋଶିଆ ଭଳି ଦର୍ଶନୀୟ ସ୍ଥାନ ରହିଛି । ଏ ସମସ୍ତ କ୍ଷେତ୍ରରେ ନିଯୁକ୍ତି ପାଇଁ ବିପୁଳ ସମ୍ଭାବନା ରହିଛି । ସେ ସବୁ ଚାହିଁ ବସିଛନ୍ତି ଓଡ଼ିଶାର ଯୁବ ଉଦ୍ୟୋଗୀମାନଙ୍କ ପାଇଁ । ଏ ସବୁଥିରେ ହଜାର ହଜାର ଯୁବ ଉଦ୍ୟୋଗୀ ନିୟୋଜିତ ହୋଇପାରିବେ । ସେମାନେ ଲକ୍ଷ ଲକ୍ଷ ବ୍ୟକ୍ତିଙ୍କ ପାଇଁ କର୍ମସଂସ୍ଥାନ କରିପାରିବେ । ସେତେବେଳେ ଓଡ଼ିଶାର ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ । ହୁଏତ ଅନ୍ୟ ରାଜ୍ୟର ଲୋକେ ଓଡ଼ିଶାକୁ ଆସିବେ କାମ ଅନ୍ବେଷଣରେ ।
ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଯୁବକ ଯୁବତୀମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଓଡ଼ିଶାର ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯନ୍ତ ସବୁଥିରେ ଅବକ୍ଷୟ ପରିଲକ୍ଷିତ ହେଉଛି । ସରକାରୀ ସ୍କୁଲମାନଙ୍କରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧାରୁ ଅଧିକ ପିଲା ସାଧାରଣ ଗଣିତ ସୂତ୍ର ବୁଝି ପାରୁନାହାନ୍ତି ବା ତୃତୀୟ ଶ୍ରେଣୀର ସାହିତ୍ୟ ବହି ପଢ଼ି ପାରୁନାହାନ୍ତି । ବିଦ୍ୟାଳୟମାନଙ୍କରେ ସବୁ ଶ୍ରେଣୀ ପାଇଁ ଅଲଗା ଅଲଗା କୋଠରି ନାହିଁ, ନିର୍ଦ୍ଦିଷ୍ଟ ଶିକ୍ଷକ ନାହାନ୍ତି । ଜଣେ ଜଣେ ଶିକ୍ଷକ ତିନି ଚାରୋଟି ଶ୍ରେଣୀରେ ପିଲାଙ୍କୁ ଏକାଠି ବସାଇ ପଢ଼ାଉଛନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ମହାବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ କେଉଁଠି ହେଲେ ଆବଶ୍ୟକ ସଂଖ୍ୟକ ପ୍ରଫେସର ବା ଅନ୍ୟାନ୍ୟ ଶିକ୍ଷକ ନାହାନ୍ତି। ଅନେକ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକଙ୍କୁ ନେଇ କ୍ଲାସ କରାଯାଉଛି । ଜେନକେନପ୍ରକାରେଣ କୋର୍ସ ସାରି ପରୀକ୍ଷା କରିଦେବା ସବୁ ଶିକ୍ଷାନୁଷ୍ଠାନର ଏକ ମାତ୍ର ଲକ୍ଷ୍ୟ ହେବା ପରି ଜଣାଯାଏ। ଛାତ୍ରଛାତ୍ରୀମାନଙ୍କର ମଧ୍ୟ କୌଣସି ଉପାୟରେ ଡିଗ୍ରୀ ହାସଲ କରିବା ଏକମାତ୍ର ଲକ୍ଷ୍ୟ ଥିବା ପରି ଜଣାଯାଏ । ଏଭଳି ଏକ ବିଷର୍ଣ୍ଣ ବାତାବରଣ ମଧ୍ୟରେ ଶିକ୍ଷା ବ୍ୟବସ୍ଥା ଗତି କଲେ ଏହା କେତେଦୂର ଫଳପ୍ରଦ ହେବ ତାହା ସହଜେ ଅନୁମେୟ । ଏହା ହେଉଛି କାହିଁକି ? ଏହାର କାରଣ ହେଲା ଶିକ୍ଷା କ୍ଷେତ୍ରରେ କାହାରି ଉତ୍ତରଦାୟିତ୍ବ ଥିବା ପରି ମନେ ହେଉ ନାହିଁ । ଜନସାଧାରଣ ଧରି ନେଇଛନ୍ତି ଯେ, ସରକାରୀ ସ୍କୁଲରେ ଭଲ ପାଠପଢ଼ା ହେବା ସରକାରଙ୍କର ଦାୟିତ୍ବ। ଯଦି ସରକାରୀ ସ୍କୁଲରେ ପାଠ ପଢା ନ ହୁଏ ତେବେ ପିଲାଙ୍କୁ ବେସରକାରୀ ସ୍କୁଲକୁ ନେଇଯିବା ଉଚିତ୍ । ଫଳରେ କ୍ରମେ କ୍ରମେ ସରକାରୀ ସ୍କୁଲରୁ ପିଲା ବେସରକାରୀ ସ୍କୁଲକୁ ଚାଲିଯାଉଛନ୍ତି । ଜନସାଧାରଣ ଭୁଲି ଯାଉଛନ୍ତି ଯେ, ସରକାରୀ ସ୍କୁଲରେ ଥିବା ଶିକ୍ଷକମାନେ ଲୋକଙ୍କ ଟିକସରୁ ଦରମା ପାଉଛନ୍ତି । ଯଦି ସେମାନେ ତାଙ୍କର ଦାୟିତ୍ବରେ ଅବହେଳା କରନ୍ତି ତାହା ହେଲେ ଅଭିଭାବକମାନେ ସେମାନଙ୍କୁ ପ୍ରଶ୍ନ କରିବା ଉଚିତ୍ । ଏହା ଯୁବପିଢ଼ିର ଏକ ମୁଖ୍ୟ ଦାୟିତ୍ବ ହେବା ଉଚିତ୍ । ଯଦି ସରକାର ବା ଶିକ୍ଷକ ତାଙ୍କର ଦାୟିତ୍ବ ସମ୍ପାଦନ ନ କରନ୍ତି ତେବେ ସେମାନଙ୍କୁ ପ୍ରଶ୍ନ କରିବାର ଅଧିକାର ଯୁବକ ମାନଙ୍କର ।
ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା । ଡାକ୍ତରଖାନାମାନଙ୍କରେ ଡାକ୍ତର ନାହାନ୍ତି, ଆବଶ୍ୟକ ସଂଖ୍ୟକ ନର୍ସ ବା ସହାୟକ ନାହାନ୍ତି । ମେସିନ୍ଗୁଡ଼ିକ ଅଚଳ ହୋଇ ପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ଏକ ବିଚିତ୍ର ସମାଧାନ ଉପାୟ ବାହାର କରିଛନ୍ତି। ରୋଗୀମାନଙ୍କୁ ବେସରକାରୀ ଚିକିତ୍ସାଳୟମାନଙ୍କରେ ମାଗଣାରେ ଚିକିତ୍ସିତ ହେବା ପାଇଁ ବ୍ୟବସ୍ଥା କରିଛନ୍ତି । ସେମାନଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଯେହେତୁ ସରକାରଙ୍କର ସମସ୍ତ ଅର୍ଥ ଜନସାଧାରଣ ଦିଅନ୍ତି, ଏହାର ଅର୍ଥ ହେଲା ଜନସାଧାରଣ ସରକାରୀ ଡାକ୍ତରଖାନା ପାଇଁ ଅର୍ଥ ବରାଦ ନ କରି ବେସରକାରୀ ଡାକ୍ତରଖାନାମାନଙ୍କୁ ଲାଭାନ୍ବିତ କରୁଛନ୍ତି । ଜିଲାସ୍ତରରେ ଥିବା ସରକାରୀ ଡାକ୍ତରଖାନାମାନଙ୍କରେ ସାମାନ୍ୟ ଜଟିଳ ରୋଗ ପାଇଁ ରୋଗୀମାନଙ୍କୁ ବେସରକାରୀ ବା ବଡ଼ ଡାକ୍ତରଖାନାକୁ ‘ରେଫର୍’ କରିଦିଆଯାଉଛି । ଶିକ୍ଷା ପରି ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉତ୍ତରଦାୟିତ୍ବର ଘୋର ଅଭାବ ଦେଖାଯାଉଛି । ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକ ସୂଚାରୁ ରୂପେ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଯୁବକ ଯୁବତୀମାନେ ପ୍ରଶ୍ନ ଉଠାଇବା ଉଚିତ ।
ଥାନା ହେଉ ବା ତହସିଲ ଅଫିସ, ବିଜୁଳି ବିଭାଗ ହେଉ ବା ପାନୀୟ ଜଳ ବିଭାଗ, ସାଧାରଣ ବଣ୍ଟନ ବିଭାଗ ହେଉ ବା ମ୍ୟୁନିସିପାଲିଟି, ସବୁଠି ପ୍ରଶ୍ନ କରାଯିବା ଉଚିତ । ସୂଚନା ଅଧିକାର ହେଉ ବା ସେବା ଅଧିକାର, ମାନବାଧିକାର ହେଉ ବା ଆଇନଗତ ଅଧିକାର – ସବୁଠାରେ ଯୁବପିଢ଼ିର ଆବଶ୍ୟକତା ରହିଛି । କିନ୍ତୁ ମନେ ରଖିବାକୁ ହେବ ଯେ, ଯଦି ଏଇ ଅଧିକାର ଗୁଡ଼ିକ ଦାୟିତ୍ବର ସହ ବ୍ୟବହାର କରା ନ ଯାଏ, ତେବେ ତାହାର ଅପବ୍ୟବହାର ହେବାର ଆଶଙ୍କା ରହିଛି । ଯୁବପୀଢ଼ିକୁ ସଠିକ ଭାବରେ ବ୍ୟବହାର କରିବା ପାଇଁ ଉତ୍ତରଦାୟୀ ଅନୁଷ୍ଠାନର ମଧ୍ୟ ଆବଶ୍ୟକତା ରହିଛି। ନ ହେଲେ ଅରାଜକତା ବ୍ୟାପିବାର ସମ୍ଭାବନା ରହିଛି ।
