ଆଜି ଯନ୍ତର ମନ୍ତର ଏକ ରଣକ୍ଷେତ୍ର ପାଲଟିଯାଇଛି। ପୁଲିସର ବର୍ବରତା ଗଣମାଧ୍ୟମରେ ସମସ୍ତେ ଦେଖୁଛନ୍ତି । ସେଠାରେ ଏକତ୍ରିତ ହୋଇଥିବା ଜନତାଙ୍କୁ କେହି ପଇସା ଦେଇ ନେତାଙ୍କର ଜୟଗାନ କରିବା ପାଇଁ ଆଣିନାହିଁ । ଯେତେବେଳେ ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କୁ ସେଠାରେ ଜମା ହୋଇଥିବାର କାରଣ ପଚାରୁଛନ୍ତି, ସେତେବେଳେ ବିଭିନ୍ନ ବ୍ୟକ୍ତିଙ୍କ ମୁହଁରେ ବିଭିନ୍ନ କାରଣ ଶୁଣାଯାଉଛି । କିଏ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ପାଇଁ ସେ ଆସିଛନ୍ତି । କିଏ କହୁଛନ୍ତି ପରୀକ୍ଷା ଦୁର୍ନୀତି ବିରୁଦ୍ଧରେ ସେମାନେ ଆସିଛନ୍ତି। ଆଉ କେହି ମା’ କହୁଛନ୍ତି ସେ ତାଙ୍କ ପିଲାର ଭବିଷ୍ୟତ ପାଇଁ ଆସିଛନ୍ତି । ଏଭଳି ବିଭିନ୍ନ ସ୍ବର ଶୁଣାଯିବାର ଅର୍ଥ ହେଲା ସେମାନେ କାହା ଦ୍ବାରା ପ୍ରବର୍ତ୍ତାଯାଇ ଆସି ନାହାନ୍ତି। ତାଙ୍କୁ କେହି ପଇସା ଦେଇ ସେଠାକୁ ଆଣିନାହିଁ । କ୍ରମେ କ୍ରମେ ପାଉଁଶ ତଳର ନିଆଁ ଭଳି ତାହା ବିଭିନ୍ନ ଅଞ୍ଚଳକୁ ବ୍ୟାପିଲାଣି। ଲୋକଙ୍କ ସମାଗମ ରୋକିବା ପାଇଁ ସରକାର ଟ୍ରେନ ବାତିଲ କରିଦେଉଛନ୍ତି । ଏହା ଫଳରେ ଅଧିକରୁ ଅଧିକ ବ୍ୟକ୍ତି ସେ ବିଷୟରେ ଚର୍ଚ୍ଚା କରୁଛନ୍ତି । ନିଆଁ ବ୍ୟାପୁଛି ।
ରାଜନୈତିକ ଦଳମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରୁଛନ୍ତି । ସେହି ଗୋଟିଏ ଦାବୀ ସେମାନଙ୍କୁ ଏକାଠି କରିଛି । ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବୀ କଲାବେଳେ ଲୋକେ ଲାଲ ବାହାଦୁର ଶାସ୍ତ୍ରୀଙ୍କ କଥା ମନେ ପକାଇ ଦିଅନ୍ତି । ତାଙ୍କ ସମୟରେ ଘଟିଥିବା ଏକ ରେଳ ଦୁର୍ଘଟଣାରେ ନିଜକୁ ଦାୟୀ ମନେକରି ସେ ନିଜ ଆଡୁ ଇସ୍ତଫା ଦେଇଥିଲେ। ଏହା ତାଙ୍କର ରାଜନୈତିକ ନୈତିକତାକୁ ପ୍ରମାଣ କରେ। କିନ୍ତୁ ତାଙ୍କର ଇସ୍ତଫା ‘ଦାବୀ’ କରିବା କେତେ ଦୂର ଫଳପ୍ରଦ ? ଏହା ବିରୋଧୀ ଦଳ ପାଇଁ ଏକ ରାଜନୈତିକ ବିଜୟ ହୋଇପାରେ କିନ୍ତୁ ଜଣେ ମନ୍ତ୍ରୀଙ୍କ ଇସ୍ତଫାରେ କଅଣ ସମସ୍ୟାର ସମାଧାନ ହୋଇଯିବ ? ତାଙ୍କ ପରବର୍ତ୍ତୀ ମନ୍ତ୍ରୀଙ୍କ ସମୟରେ ଘଟଣା ଗୁଡିକର ପୁନରାବୃତ୍ତି ଯେ ନ ହେବ ତାହା କେହି କହି ପାରିବେକି ?ଏଇ ପ୍ରଶ୍ନଗୁଡ଼ିକ ସୋନମ ୱାଙ୍ଗ୍ଚୁକ୍ଙ୍କ ସ୍ବୟଂ ପତ୍ନୀ ଉଠାଇଛନ୍ତି । ଜୁଲାଇ ୧୭ ତାରିଖରେ ପ୍ରକାଶିତ ‘ହିନ୍ଦୁ’ ସମ୍ବାଦପତ୍ରରେ ତାଙ୍କର ଅଭିମତ ସ୍ଥାନ ପାଇଛି । ତାଙ୍କ ମତରେ ଜଣେ ମନ୍ତ୍ରୀଙ୍କ ଇସ୍ତଫା ଦାବୀ ଅପେକ୍ଷା ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦିଆଯିବା ଉଚିତ । ଶିକ୍ଷାମନ୍ତ୍ରୀ ନୁହେଁ, ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଉଚିତ ।
ଶିକ୍ଷା ବ୍ୟବସ୍ଥାର ସମସ୍ୟାଗୁଡ଼ିକ ବଖାଣିଲେ ରାତି ପାହିଯିବ । ଓଡ଼ିଶାର ପ୍ରାଥମିକ ଶିକ୍ଷାର ଦୟନୀୟ ଅବସ୍ଥା ସମ୍ପର୍କରେ ବହୁବାର ଆଲୋଚନା କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ସଦ୍ୟ ପ୍ରକାଶିତ ୨୦୨୫-୨୬ର ୟୁଡାଇଜ ରିପୋର୍ଟରୁ ଜଣାଯାଏ ଯେ, ଓଡ଼ିଶାର ୫୧୧୧ ସରକାରୀ ସ୍କୁଲରେ ୨୦ରୁ କମ ପିଲା ଅଛନ୍ତି । ଯେଉଁଠି ପିଲା ସଂଖ୍ୟା କମ ସେ ସ୍କୁଲକୁ ସରକାର ବନ୍ଦ କରି ତହିଁର ଛାତ୍ରମାନଙ୍କୁ ଅନ୍ୟ ଏକ ସ୍କୁଲରେ ଯୋଡ଼ି ଦେଉଛନ୍ତି । ଏହା ଫଳରେ ସରକାର କିଛି ଅର୍ଥ ସଞ୍ଚୟ କରିପାରନ୍ତି, କିନ୍ତୁ ପିଲାଟିକୁ ଯେ, ଦୂର ବାଟ ଅତିକ୍ରମ କରିବାକୁ ପଡ଼ିବ ତାହା ଚିନ୍ତା କରା ଯାଉଛି କି ? ସମ୍ବିଧାନ ତାକୁ ଯେଉଁ ଶିକ୍ଷାଜନିତ ମୌଳିକ ଅଧିକାର ଦେଇଛି ତାହା ସୁରକ୍ଷିତ କି ? ୧୪୫୮ ବିଦ୍ୟାଳୟ ରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ୨୦୨୪-୨୫ ଅପେକ୍ଷା ଏଇ ସଂଖ୍ୟା ପ୍ରାୟ ୪୦% ଅଧିକ । ବିଭିନ୍ନ ସମୟରେ ସରକାରୀ ସ୍କୁଲ ମାନଙ୍କରେ ୯୦,୦୦୦ ଶିକ୍ଷକ ପଦ ଖାଲି ରହୁଛି । ସ୍କୁଲ ମାନଙ୍କରେ ଯଥେଷ୍ଟ ସଂଖ୍ୟକ କୋଠରି ନ ଥିବାରୁ ବା ଶିକ୍ଷକ ନ ଥିବାରୁ ଏକାଧିକ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ଏକାଠି ବସି ପଢୁଛନ୍ତି । ଫଳରେ ଶିକ୍ଷାର ଗୁଣାତ୍ମକ ମାନ କମି କମି ଯାଉଛି । ଓଡ଼ିଶାର ୩୧୪ ବ୍ଲକ ମଧ୍ୟରୁ ୫୯% ଭାଗ ବ୍ଲକ ଶିକ୍ଷାରେ ଅନଗ୍ରସର ବୋଲି ସରକାର ସ୍ବୀକାର କରିଛନ୍ତି। ପଞ୍ଚମ ଶ୍ରେଣୀରେ ପଢୁଥିବା ଅର୍ଦ୍ଧେକ ଛାତ୍ରଛାତ୍ରୀ ଦ୍ବିତୀୟ ଶ୍ରେଣୀର ବହି ପଢ଼ି ପାରୁନାହାନ୍ତି । ପଞ୍ଚମ ଶ୍ରେଣୀରେ ମାତ୍ର ୩୦% ଭାଗ ଛାତ୍ରଛାତ୍ରୀ ଗଣିତର ଚାରି ସୂତ୍ରରେ ପାରଦର୍ଶିତା ଲାଭ କରିଛନ୍ତି ।
ବୋଝ ଉପରେ ନଳିତା ବିଡ଼ା ପରି ଓଡ଼ିଶା ସରକାରଙ୍କ ଦ୍ବାରା ସଦ୍ୟ ପ୍ରକାଶିତ ପାଠ୍ୟ ପୁସ୍ତକମାନଙ୍କରେ ସହସ୍ରାଧିକ ହାସ୍ୟାସ୍ପଦ ତ୍ରୁଟି ବାହାରିଛି । ଏହା ଏକ ଷଡ଼ଯନ୍ତ୍ର ବୋଲି ସ୍ବୟଂ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି । ଦୋଷୀକୁ ଖୋଜିବା ପାଇଁ କ୍ରାଇମ ବ୍ରାଞ୍ଚ ଧରପଗଡ଼ ଚଳାଇଛି। ଇତି ମଧ୍ୟରେ ଛାତ୍ରଛାତ୍ରୀମାନେ ଓ ଶିକ୍ଷକମାନେ ତୃଟିପୂର୍ଣ୍ଣ ପୁସ୍ତକ ପଢ଼ିଚାଲିଛନ୍ତି । ଭ୍ରମାତ୍ମକ ବହିଗୁଡ଼ିକ ସଂଶୋଧନ କରି ଶିକ୍ଷକମାନେ ପଢ଼ାଇବେ ବା ନୂଆ ବହି ଛପା ହେବ ତାହା ସ୍ପଷ୍ଟ ନୁହେଁ ।
ଯଦି ପରୀକ୍ଷା କଥା ବିଚାର କରାଯାଏ, ତେବେ ତାହା କେତେ ଦୂର ତ୍ରୁଟିଶୂନ୍ୟ ତାହା ମଧ୍ୟ ସନ୍ଦେହ ଘେରରେ । ମୂଲ୍ୟାୟନ ପାଇଁ ଯେଉଁ ସବୁ ବ୍ୟବସ୍ଥା ରହିଛି ସେଥିରେ ଅଣସରକାରୀ ବ୍ୟବସାୟିକ ସଂସ୍ଥାମାନଙ୍କର ବିଶାଳ ଆଧିପତ୍ୟ ରହିଛି । ଅଳ୍ପଦିନ ପୂର୍ବେ ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟାରେ ଏଡୁକମ୍ପ ଟେକ ନାମକ ଏକ ଅନଭିଜ୍ଞ ସଂସ୍ଥାକୁ ଦିଆଯାଇଥିବା କାର୍ଯ୍ୟ ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ସଂସ୍ଥା ବିରୋଧରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହା ତଦନ୍ତ ସାପେକ୍ଷ । ଯଦି ପାଠ ପାଠପଢ଼ା ଖାମଖିଆଲି ଭାବରେ ଚାଲେ ଓ ପରୀକ୍ଷାରେ ମେଧାବୀ ଛାତ୍ରଛାତ୍ରୀମାନେ ତାଙ୍କର ମୂଲ୍ୟ ପାଆନ୍ତି ନାହିଁ । ତେବେ ଭାରତକୁ ବିଶ୍ବଗୁରୁ ବୋଲି କହିବା ହାସ୍ୟାସ୍ପଦ ନୁହେଁ କି ?
ଭୁଲିଯିବା ଉଚିତ ନୁହେଁ ଯେ ଓଡ଼ିଶାର ମୁଖ୍ୟ ସମ୍ପଦ ହେଉଛି ତାହାର ଶିକ୍ଷା ବ୍ୟବସ୍ଥା । ଓଡ଼ିଆମାନେ ଗରିବ। ସେମାନଙ୍କର ଖେଳରେ ପ୍ରସିଦ୍ଧି ନାହିଁ । ସେମାନଙ୍କର ବ୍ୟାବସାୟିକ ମନୋବୃତ୍ତି ସୀମିତ । ସେମାନଙ୍କର ଏକ ମାତ୍ର ପରିଚୟ ହେଉଛି ସେମାନେ ଭଲ ଛାତ୍ରଛାତ୍ରୀ । ଆଜି ଯଦି ଆମେରିକାର ନାସା ବା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେ ଓଡ଼ିଆ ପ୍ରଫେସର ଓ ଗବେଷକମାନେ ନାମ ଅର୍ଜନ କରିଛନ୍ତି । ତେବେ କେବଳ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଦ୍ବାରା। ସେମାନଙ୍କ ମଧ୍ୟରୁ ଅନେକ ବ୍ୟକ୍ତି ଗାଁ ସ୍କୁଲ ଓ ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରୁ ଉତ୍ତିର୍ଣ୍ଣ ହୋଇଛନ୍ତି। ଶିକ୍ଷା ହେଉଛି ଆମର ପୁଞ୍ଜି, ଖଣିଜ ପଦାର୍ଥ ନୁହେଁ । ଯଦି ଆମେ ଏହି ପୁଞ୍ଜିକୁ ନଷ୍ଟ କରିଦେଉ ତେବେ ଓଡ଼ିଶାର ପରିଚୟ ରହିବ କେଉଁଠି ?
ଏଥିପାଇଁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ କେତେ ମାତ୍ରାରେ ଦାୟୀ ? ନିଶ୍ଚିତ ଭାବରେ ଏଇ ସାମୁହିକ ସ୍ଖଳନ ପାଇଁ କେବଳ ମନ୍ତ୍ରୀମାନଙ୍କୁ ଦାୟୀ କରିବା ଉଚିତ ନୁହେଁ । କେବଳ ଶିକ୍ଷକ କାହିଁକି, ପ୍ରାୟ ସବୁ କ୍ଷେତ୍ରରେ ନୈତିକତା ଅଧୋମୁଖୀ ହୋଇଚାଲିଛି । ନେତାମାନଙ୍କର ବିଫଳତା ହେଉଛି ସେମାନେ ଏହାକୁ ସୁଧାରିବା ପାଇଁ କୌଣସି ତତ୍ପରତା ଦେଖାଉ ନାହାନ୍ତି । ସରକାରୀ ତହବିଲରୁ କୋଟି କୋଟି ଟଙ୍କା ବିତରଣ କରିବାରେ ସେମାନଙ୍କର ଯେଉଁ ତତ୍ପରତା ଦେଖାଯାଉଛି ତାହା ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇ ଦେଖା ଯାଉନାହିଁ । ଶିକ୍ଷା ଉପକରଣ କିଣିବାରେ ବା ଶିକ୍ଷାନୁଷ୍ଠାନ ରଙ୍ଗ କରିବାରେ ଯେଉଁ ତତ୍ପରତା ଦେଖାଯାଉଛି, ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁତାହା ଦେଖାଯାଉ ନାହିଁ ।
ଯେତେବେଳେ ଗୋଟିଏ ଯୁବକ ବା ଯୁବତୀର ଶିକ୍ଷା ସମାପ୍ତ ହେଉଛି, ସେତେବେଳେ ସେ ଓ ତାହାର ପିତାମାତା ଭାବନ୍ତି ଏଣିକି ପିଲାଟିକୁ କୌଣସି ଏକ ଚାକିରି ମିଳିଯିବ । ଦୀର୍ଘ ଦିନର ତପସ୍ୟା ଫଳବତୀ ହେବ । କିନ୍ତୁ ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ରହିଛି । ପିଏସସି, ଷ୍ଟାଫ ସିଲେକ୍ସନ କମିଶନ, ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ, ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ, ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଇତ୍ୟାଦି ଇତ୍ୟାଦି । ଡାକ୍ତର ହେବା ପାଇଁ ନିଟ୍ ପରୀକ୍ଷା । ଶିକ୍ଷକ ହେବା ପାଇଁ ନେଟ ପରୀକ୍ଷା । ଏ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ମାସ ମାସର ଅଧ୍ୟବସାୟ ଆବଶ୍ୟକ । ପାଠ ପଢ଼ିବା ସମୟରେ ଯେତିକି ପରିଶ୍ରମ ଦରକାର ତାହାର ଦଶ ଗୁଣ ଦରକାର ପ୍ରବେଶିକା ପରୀକ୍ଷା ପାଇଁ । ଛାତ୍ରଛାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଲାଇବ୍ରେରୀ ମାନଙ୍କରେ ବସି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାନ୍ତି । ପିଜି (ଦେୟ ଦେଉଥିବା ଅତିଥି) ଭାବରେ ରହିବା ପାଇଁ ବାପ ମା’ମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରନ୍ତି । ମା’ମାନେ ସ୍ବାମୀଙ୍କୁ ଛାଡ଼ି ପିଲାଙ୍କ ସହ ବର୍ଷ ବର୍ଷ ପଡ଼ି ରହନ୍ତି କୋଚିଂ ପାଇଁ । କୋଚିଂ ସେଣ୍ଟର ପାଇଁ ହଜାର ହଜାର ଟଙ୍କା ଆବଶ୍ୟକ । ‘କେଜିରୁ ପିଜି ପର୍ଯ୍ୟନ୍ତ ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷା ମାଗଣା’ ହେଲେ ମଧ୍ୟ ବିନା କୋଚିଂରେ ସଫଳତା ପାଇବା କଷ୍ଟକର । ଏତେ ସବୁ ପରେ ଯେତେବେଳେ ପରୀକ୍ଷା ଆସେ,ସତେବେଳେ ଦିନେ ହଠାତ ପରୀକ୍ଷା ବାତିଲ ହୋଇଯାଏ । ବର୍ଷ ବର୍ଷର ତପସ୍ୟା ପାଣି ଫୋଟକା ଭଳି ମିଳେଇଯାଏ । ସାପ-ସିଢି ଖେଳ ଭଳି ଶେଷ ମୁହୁର୍ତ୍ତରେ ସାପ ଗୋଟିକୁ ଗିଳି ଦିଏ। ପୁଣି ଆରମ୍ଭ ହୁଏ ପରୀକ୍ଷା ପାଇଁ ପ୍ରସ୍ତୁତି ।
ତା’ ପରେ ଆସନ୍ତି ଦଲାଲ ଗୋଷ୍ଠୀ । ଦୀର୍ଘ ପ୍ରଚେଷ୍ଟାର କଣ୍ଟକିତ ପଥରୁ ନିସ୍ତାର ପାଇବା ପାଇଁ ସେମାନେ ସର୍ଟକଟ ବାଟ ଦେଖାଇ ଦିଅନ୍ତି , କିଭଳି ଭାବରେ ବିନା ପରିଶ୍ରମରେ ଚାକିରି ଟିଏ ମିଳିଯିବ । ସେଥିପାଇଁ ‘ସାମାନ୍ୟ’ ଖର୍ଚ୍ଚ ଅଛି । ବିଭିନ୍ନ ଚାକିରି ପାଇଁ ବିଭିନ୍ନ ମୂଲ୍ୟ । ପିଅନ ପାଇଁ, ଫରେଷ୍ଟ ଗାର୍ଡ ପାଇଁ, କିରାଣୀ ପାଇଁ, ଶିକ୍ଷକ ପାଇଁ, ସବୁ ଚାକିରିର ଦାମ ଅଲଗା ଅଲଗା । ବାପ ମା ଗହଣା ବିକି, ଜମି ବିକି, ସର୍ବସ୍ବ ବିକି ଟଙ୍କା ପୈଠ କରନ୍ତି ଚାକିରି ଖଣ୍ଡିକ ପାଇଁ । କିନ୍ତୁ ପୁଲିସ ସବ୍ ଇନ୍ସପେକ୍ଟର ଚାକିରି ଭଳି ପରୀକ୍ଷା ପ୍ରଶ୍ନ ପତ୍ର ଲିକ ହୋଇଯାଏ । ପରୀକ୍ଷା ବାତିଲ ହୋଇଯାଏ । ସିବିଆଇ ଅନୁସନ୍ଧାନ ଆରମ୍ଭ କରେ । କେବେ ତାହା ସାରିବ କେହି ଜାଣେନା । ପରୀକ୍ଷା କେବେ ହେବ କେହି ଜାଣନ୍ତି ନାହିଁ । ଏଣେ ବୟସ ଗଡ଼ି ଚାଲେ । ପରୀକ୍ଷାର୍ଥÒମାନଙ୍କର ବିବାହ ବୟସ ଅତିକ୍ରମ କରିଯାଏ । ଯଦି ସେଭଳି ଜଣେ ଯୁବକ ବା ଯୁବତୀ ପୁଲିସ ଉପରକୁ ଟେକା ଫିଙ୍ଗେ, ତା ଉପରେ ଲାଠି ମାଡ଼ କରିବା କେତେ ଦୂର ଯୁକ୍ତିଯୁକ୍ତ ?
ଏହା ହିଁ ଯନ୍ତର ମନ୍ତରର କାହାଣୀ । ଭାରତର ସବୁଆଡ଼େ ପିଲାମାନେ ଲାଠି ଖାଇବାକୁ ଆଗେଇ ଆସି ନ ପାରନ୍ତି। କିନ୍ତୁ ତାଙ୍କ ମନର ନିଆଁକୁ ଲିଭାଇବା ସହଜ ନୁହେଁ ।
