ଫୁଟବଲ ବିଶ୍ବକପ ଫାଇନାଲ ଆଜି । ଏଥିରେ ଯୋଗ ଦେଇଥିବା ୪୮ ଟି ଦେଶମାନଙ୍କ ମଧ୍ୟରେ ଭାରତ ସ୍ଥାନ ପାଇ ନାହିଁ । କାରଣ ଏଇ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମଧ୍ୟ ଆମେ ଯୋଗ୍ୟତା ପାଇ ପାରିନାହୁଁ। ଓଡ଼ିଶା କଥା ନ କହିଲେ ଭଲ । ଏହା ନୁହେଁ ଯେ, ଓଡ଼ିଶାର ଯୁବକ ଯୁବତୀମାନଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ନାହିଁ ବା ଆମ ରାଜ୍ୟରେ ପ୍ରତିଭା ନାହିଁ । ଗତ ସପ୍ତାହରେ ଆମେ ଆଲୋଚନା କରିଥିଲେ, କ୍ରୀଡ଼ା ପାଇଁ ଆମେ କ’ଣ କରିପାରିବା ?
ପ୍ରଥମେ ଭିତ୍ତିଭୂମି ପର୍ଯ୍ୟାପ୍ତ ପରିମାଣରେ ଗାଁ ଗାଁରେ ସୃଷ୍ଟି କରିବାକୁ ହେବ ଯେଭଳି କାବୋ ଭେରଦେରେ କରାଯାଇଛି । ଯଦି ସରକାରଙ୍କର ଏଥିପାଇଁ ଅର୍ଥ ନାହିଁ ତେବେ ଓଡ଼ିଶାର ସମ୍ପଦ ଦ୍ବାରା ପୁଷ୍ଟିତ ପୁଞ୍ଜିପତିମାନଙ୍କୁ ଏହି ଦାୟିତ୍ବ ଦିଆ ଯାଇପାରେ । ଉଦୀୟମାନ ଖେଳାଳୀମାନଙ୍କୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ, ଉପକରଣ ଓ ପ୍ରଶିକ୍ଷଣ ଦିଆ ଯାଇପାରେ। ବିଦ୍ୟାଳୟମାନଙ୍କରେ ଖେଳ ପ୍ରତି ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ବାପା-ମାଆମାନେ ନିଜ ପିଲାର ଖେଳ ପ୍ରତିଭାକୁ ବିକଶିତ ହେବାକୁ ପ୍ରୋତ୍ସାହନ ଦେବା ଉଚିତ । କିନ୍ତୁ ଏ ସବୁ ପଛରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥାଏ, ‘ପାଠ ପଢ଼ିଲେ ଚାକିରି ମିଳିବ, ଖେଳିଲେ କ’ଣ ମିଳିବ ?’ ଦିନେ ସ୍ବର୍ଣ୍ଣ ପଦକ ଜିଣି ସମ୍ବାଦପତ୍ରର ପୃଷ୍ଠା ମଣ୍ଡନ କରୁଥିବା କ୍ରୀଡ଼ାବିତ ବଞ୍ଚିବା ପାଇଁ ବାର-ଦ୍ବାର ଶୁଣ୍ଢୀ-ପିଣ୍ଡା ହେବାର ଅନେକ ନଜିର ଅଛି । ଏହି ସମସ୍ୟାର କେତେକ ସମାଧାନ ସୂତ୍ର ରହିଛି। ଆଜି ସେ ବିଷୟରେ ଆଲୋଚନା କରିବା ।
ଏକ ସମୟରେ କଟକରେ ଥିବା ‘ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସ’ର ଏକ ଫୁଟବଲ ଟିମ ଥିଲା । ଓଡ଼ିଶା ରାଜ୍ୟ ପାଇଁ ଖେଳୁଥିବା ପ୍ରମୁଖ ଖେଳାଳିମାନେ ପ୍ରେସ୍ରେ ଚାକିରି କରୁଥିଲେ । ସେହିଭଳି ଭାବରେ ପୁଲିସର ମଧ୍ୟ ନିଜସ୍ବ ଟିମ ଥିଲା । ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନିଜସ୍ବ ହକି ଟିମ ଥିଲା । ସୁନାବେଡ଼ାରେ ଥିବା ଏଚ୍ଏଏଲ୍ର ଫୁଟବଲ ଟିମ ଥିଲା । ଆଜି ତାହା ନାହିଁ । ଗଭର୍ଣ୍ଣମେଣ୍ଟ ପ୍ରେସ୍ ମୁମୂର୍ଷୁ ଅବସ୍ଥାରେ । ସରକାରୀ ଉଦ୍ୟୋଗ ଗୁଡ଼ିକ କିଭଳି ଲାଭପ୍ରଦ ହେବେ ସେଥିପାଇଁ ସଦା ଚିନ୍ତିତ । ଲାଭ ବଢ଼ାଇବାକୁ ହେଲେ ଖର୍ଚ୍ଚ କମାଇବାକୁ ହେବ। ସେମାନଙ୍କ ପାଇଁ ଖେଳାଳିମାନେ ଏକ ‘ଅନାବଶ୍ୟକ ଖର୍ଚ୍ଚ’ । କାରଣ ସେମାନେ ଉଦ୍ୟୋଗ ଉପରେ ଗୋଟିଏ ଗୋଟିଏ ବୋଝ ।
ଏଇ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ହେଲେ ସର୍ବ ପ୍ରଥମେ ସରକାର ତାଙ୍କର ଖେଳ ନୀତିରେ ପରିବର୍ତ୍ତନ ଆଣିବାକୁ ହେବ । ଟ୍ରାଫିକ ପୁଲିସ ବାହିନୀରେ, ଅର୍ଦ୍ଧ ସାମରିକ ବାହିନୀରେ, ଅଗ୍ନିଶମ ବିଭାଗରେ ଏବଂ ସାଧାରଣ ପୁଲିସ ବାହିନୀରେ ଖେଳାଳୀମାନେ ଖୁବ ସହଜରେ ନିଯୁକ୍ତ ହୋଇ ପାରିବେ। ଉକ୍ତ ବିଭାଗମାନଙ୍କରେ ସେମାନେ ବୋଝ ନ ହୋଇ ଅତ୍ୟନ୍ତ ଉପଯୋଗୀ ହୋଇପାରିବେ। ତେବେ କେଉଁ ଖେଳ ଉପରେ ସରକାର ଗୁରୁତ୍ବ ଦେବେ ଯେପରିକି ଓଡ଼ିଶା ସମଗ୍ର ଦେଶ ବା ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ପରିଚୟ ସୃଷ୍ଟି କରିପାରିବ ତାହା ସରକାରୀ ନୀତି ଉପରେ ନିର୍ଭର କରେ । ଭାରତୀୟ ହକି ଦଳର ସମସ୍ତ ଖର୍ଚ୍ଚ ବହନ କରିବା ବଦଳରେ ଓଡ଼ିଶା ସରକାର ହକି ଖେଳାଳୀମାନଙ୍କୁ ସରକାରୀ ଚାକିରି ଦେବା ଉଚିତ। ତାହା ହେଲେ ଉଦୀୟମାନ ଖେଳାଳୀମାନେ ହକି ଖେଳରେ ମନୋନିନେଶ କରିବା ପାଇଁ ପଛଘୁଞ୍ଚା ଦେବେ ନାହିଁ । ସେମାନଙ୍କର ପିତାମାତା ମଧ୍ୟ ଖେଳିବା ପାଇଁ ବାରଣ କରିବେ ନାହିଁ । ହକି ଭଳି ଆଉ ଗୋଟିଏ ଦୁଇଟି ଖେଳକୁ ମଧ୍ୟ ସରକାର ଖେଳ ନୀତିରେ ପ୍ରଶ୍ରୟ ଦେଇ ପାରନ୍ତି ଓ ଉକ୍ତ ଖେଳରେ ନିୟୋଜିତ ଖେଳାଳୀମାନଙ୍କୁ ଚାକିରିରେ ଅଗ୍ରାଧିକାର ଦେବା ଉଚିତ।
ସୁଖର କଥା ଯେ, କିଟ ବିଶ୍ବବିଦ୍ୟାଳୟ ରଗ୍ବୀ, ଖେଳକୁଦ ଇତ୍ୟାଦି କେତେକ ଖେଳରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେଉଛି ଓ ଉକ୍ତ ଖେଳାଳୀମାନେ ପଦକ ଅର୍ଜନ କରୁଛନ୍ତି । କିନ୍ତୁ ସେମାନଙ୍କର ଚେଷ୍ଟା ମଧ୍ୟ ସରକାରଙ୍କର ଖେଳନୀତିର ଅନୁବର୍ତ୍ତୀ ହେବା ଉଚିତ । ଯଦି ସରକାରଙ୍କର ଖେଳନୀତିରେ ଫୁଟବଲକୁ ପ୍ରାଧାନ୍ୟ ଦିଆଯାଏ ତେବେ କିଟ କର୍ତ୍ତୃପକ୍ଷ ମଧ୍ୟ ଫୁଟବଲକୁ ସମସ୍ତ ପ୍ରୋତ୍ସାହନ ଦେବା ଉଚିତ । କେବଳ କିଟ୍ ନୁହେଁ ଅନ୍ୟାନ୍ୟ ସଫଳ ଶିକ୍ଷାନୁଷ୍ଠାନମାନେ ଯଥା :- ସୋଆ, ସିଭିରମଣ ବିଶ୍ବବିଦ୍ୟାଳୟ ଇତ୍ୟାଦି ମଧ୍ୟ କିଟ୍ର ଉଦାହରଣକୁ ଅନୁକରଣ କରିବା ଉଚିତ । ଯଦି ସଫଳ ଖଣି ବ୍ୟବସାୟୀ, ରପ୍ତାନିକାରୀ ଉଦ୍ୟୋଗୀ, ଶିଳ୍ପ ଅନୁଷ୍ଠାନ ଆଦି ସରକାରଙ୍କ ସହ ମିଳିତ ଭାବରେ କେତେକ ନିର୍ଦ୍ଦିଷ୍ଟ ଖେଳକୁ ସବୁ ପ୍ରକାରର ପ୍ରୋତ୍ସାହନ ଦିଅନ୍ତେ ଓ ଉକ୍ତ ଖେଳର ଖେଳାଳୀମାନଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା କରନ୍ତେ ତେବେ ଅତି ଅଳ୍ପ ଦିନରେ ଓଡ଼ିଶା ଖେଳରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତା । ଖେଳରେ ଉତ୍କର୍ଷ ପାଇଁ ଆଉ ଏକ ପ୍ରମୁଖ ବ୍ୟବସ୍ଥାର ଅବତାରଣା କରାଯାଇପାରେ । ତାହା ହେଲା ‘କ୍ଲବ’ ସଂସ୍କୃତି । ବିଶେଷ କରି ୟୁରୋପୀୟ ଓ ଆମେରିକୀୟ ଦେଶମାନଙ୍କରେ ଅନେକ ନାମଜାଦା କ୍ଲବ୍ ରହିଛି ଯଥା :- ରିୟାଲ ମାଦ୍ରିଦ, ବାର୍ସିଲୋନା, ମାଞ୍ଚେଷ୍ଟର ୟୁନାଇଟେଡ୍ ଇତ୍ୟାଦି । ପୃଥିବୀର ବିଖ୍ୟାତ ଖେଳାଳୀମାନେ ଏହି କ୍ଲବ୍ଗୁଡ଼ିକ ଦ୍ବାରା ନିଯୁକ୍ତ ହୋଇଥାନ୍ତି । ସେମାନଙ୍କର ଫିସ୍ କୋଟି କୋଟି ଡଲାର । ସେହି କ୍ଲବ୍ଗୁଡ଼ିକର ମାଲିକମାନେ ହେଲେ ପୃଥିବୀର କେତେକ ବିଶିଷ୍ଟ ବ୍ୟବସାୟୀ । ଉକ୍ତ କ୍ଲବ୍ମାନଙ୍କରେ ଖେଳାଳୀମାନଙ୍କୁ ଉଚ୍ଚ ଦରମାପ୍ରାପ୍ତ କୋଚ୍ମାନେ ପ୍ରତିଦିନ ପ୍ରଶିକ୍ଷଣ ଦିଅନ୍ତି । ଖେଳାଳୀମାନଙ୍କ ମଧ୍ୟରେ ଏକ ଅଘୋଷିତ ପ୍ରତିଯୋଗିତା ଚାଲେ କ୍ଲବ ଦ୍ବାରା ମନୋନୀତ ହେବାପାଇଁ। ଯେଉଁମାନେ କୌଣସି ଏକ ପ୍ରତିଷ୍ଠିତ କ୍ଲବ୍ରେ ସ୍ଥାନ ପାଆନ୍ତି ସେମାନେ ଏତେ ଅର୍ଥ ପାଆନ୍ତି ଯେ, ସେମାନଙ୍କର ଭବିଷ୍ୟତ ସବୁ ଦିନ ପାଇଁ ସୁରକ୍ଷିତ ହୋଇଯାଏ । କାବୋ ଭେରଦେ ଭଳି କ୍ଷୁଦ୍ର ଦେଶ ଫୁଟବଲରେ ଏତେ ପ୍ରତିଷ୍ଠା ଲାଭ କରିବାର ରହସ୍ୟ ହେଉଛି ଉକ୍ତ ଦେଶ ପାଇଁ ଖେଳୁଥିବା ଖେଳାଳୀମାନେ ୟୁରୋପୀୟ ବା ଆମେରିକୀୟ କ୍ଲବ୍ମାନଙ୍କରେ ନିୟମିତ ଭାବରେ ଖେଳନ୍ତି ।
ଗୋଟିଏ ସମୟରେ କୋଲକାତାରେ ମଧ୍ୟ ଏଭଳି କ୍ଲବ୍ ସଂସ୍କୃତି ଥିଲା। ମୋହନ ବାଗାନ, ଇଷ୍ଟ ବେଙ୍ଗଲ ଇତ୍ୟାଦି କ୍ଲବ୍ମାନଙ୍କର ନାମ ପାଠକମାନେ ମନେ ରଖିଥିବେ । ଦେଶର ଅନେକ ପ୍ରତିଷ୍ଠିତ ଖେଳାଳୀ ଉକ୍ତ କ୍ଲବ୍ମାନଙ୍କ ଦ୍ବାରା ନିଯୁକ୍ତ ହୋଇଥିଲେ । ଆଜି ଅବଶ୍ୟ ସେଗୁଡ଼ିକ ଇତିହାସର ଏକ ବିସ୍ମୃତ ପୃଷ୍ଠା ହୋଇଯାଇଛନ୍ତି । ବୋଧ ହୁଏ ସେହି କ୍ଲବ୍ଗୁଡ଼ିକ ଅର୍ଥାଭାବରୁ ଅବକ୍ଷୟମୁଖୀ ହୋଇଯାଇଥିଲେ । ଆଜି କିନ୍ତୁ ଭାରତରେ କୋଟିପତିମାନଙ୍କର ଅଭାବ ନାହିଁ । ପୁଣି ଥରେ କ୍ଲବ୍ଗୁଡ଼ିକର ଉତ୍ଥାନ କରିବାର ସମୟ ଆସିଛି ।
କ୍ରିକେଟ ଖେଳରେ ଆଇପିଏଲ୍ ସେଭଳି ଏକ କ୍ଷୁଦ୍ର ପ୍ରୟାସ । ଆଇପିଏଲ୍ରେ କେତେକ ପ୍ରତିଷ୍ଠିତ ଖେଳାଳିଙ୍କ ସହ କେତେକ ଉଦୀୟମାନ ଖେଳାଳିଙ୍କୁ ନିଲାମ ମାଧ୍ୟମରେ ଚୟନ କରାଯାଏ । ନିଲାମ ଧରନ୍ତି କେତେକ ପ୍ରତିଷ୍ଠିତ ଚିତ୍ରତାରକା ଓ ବ୍ୟବସାୟୀ । କିନ୍ତୁ ୟୁରୋପୀୟ କ୍ଲବ ଓ ଆଇପିଏଲ୍ କ୍ଲବ୍ ମଧ୍ୟରେ ଏକ ପାର୍ଥକ୍ୟ ରହିଛି । ବିଭିନ୍ନ ଦେଶର ପ୍ରତିଭାବାନ ଖେଳାଳିମାନେ ବିଦେଶୀ କ୍ଲବ୍ମାନଙ୍କରେ ଲମ୍ବା ସମୟ ପାଇଁ ଓ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଖେଳିବାର ସୁଯୋଗ ପାଆନ୍ତି । କିନ୍ତୁ ଆଇପିଏଲ୍ରେ ନିର୍ଦ୍ଦିଷ୍ଟ କେତୋଟି କ୍ଲବ୍ରେ ଖେଳାଳୀମାନେ ନିର୍ଦ୍ଦିଷ୍ଟ ଏକ ଟୁର୍ଣ୍ଣାମେଣ୍ଟ ପାଇଁ ସୀମିତ ସମୟ ଲାଗି ଚୁକ୍ତିବଦ୍ଧ ହୁଅନ୍ତି । ମୌଳିକ କ୍ରୀଡ଼ା ସମାଲୋଚକମାନେ ଆଇପିଏଲ୍ର ବ୍ୟାବସାୟିକ ଉଦ୍ଦେଶ୍ୟକୁ ପସନ୍ଦ କରନ୍ତି ନାହିଁ । ତଥାପି ଏହା ସ୍ବୀକାର କରିବାକୁ ହେବ ଯେ, ଆଇପିଏଲ୍ ଫଳରେ ନୂଆ ନୂଆ ଖେଳାଳୀମାନେ ଲୋକଲୋଚନକୁ ଆସି ପାରୁଛନ୍ତି। ଅନ୍ୟାନ୍ୟ ଖେଳ ପ୍ରତି ଏହି ଚିନ୍ତାଧାରା ପ୍ରବାହିତ ହେଲେ ତାହା ନିଶ୍ଚିତ ଭାବରେ ଖେଳାଳୀମାନଙ୍କୁ ବାଟ ଦେଖାଇବ ।
ଏ ସବୁ ସତ୍ତ୍ବେ ଉପରିସ୍ଥ ସମସ୍ତ ସୁଯୋଗ କେତେକ ମୁଷ୍ଟିମେୟ ଖେଳାଳିଙ୍କ ପାଇଁ ଶୁଭଙ୍କର ହୋଇପାରେ । ଭାରତ ଭଳି ଏକ ବିଶାଳ ଦେଶରେ ତାହା ଯଥେଷ୍ଟ ନୁହେଁ । ଯଦି ମାତ୍ର ତିନି ଚାରୋଟି ଖେଳ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ସେଥିରେ ହଜାର ହଜାର ଖେଳାଳି ବାହାରିବେ । ସେମାନଙ୍କ ପାଇଁ ଚାକିରି ଓ କ୍ଲବ ବ୍ୟବସ୍ଥା ଥିଲେ ନିଶ୍ଚୟ ତାହା ଆଲୋକବର୍ତ୍ତିକା ଭଳି କାମ ଦେବ, ଯେଭଳି କି ଆଇଆଇଟି ଗୁଡ଼ିକରେ ସ୍ଥାନ ସୀମିତ ହେଲେ ବି ଲକ୍ଷାଧିକ ମେଧାବୀ ଛାତ୍ରଛାତ୍ରୀ ତାହା ଦ୍ବାରା ଆକର୍ଷିତ ହୁଅନ୍ତି । କିନ୍ତୁ ଯେଭଳି ଆଇଆଇଟି ଗୁଡ଼ିକ ସବୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇପାରିବେ ନାହିଁ, ସେହିଭଳି କ୍ଲବ ବା ସରକାରୀ ତଥା ବେସରକାରୀ ଚାକିରିରେ ସମସ୍ତ ଖେଳାଳିଙ୍କୁ ଥଇଥାନ କରାଯାଇ ପାରିବ ନାହିଁ । ତାହା ହେଲେ ସେମାନଙ୍କ ପାଇଁ କ’ଣ କରାଯାଇ ପାରିବ?
ଗୋଟିଏ ଉତ୍ତର ହେଲା ସେମାନଙ୍କୁ ବୈଷୟିକ ତାଲିମ ଦିଆ ଯାଇପାରିବ । ମନେ ରଖିବାକୁ ହେବ ଯେ, ଜଣେ ଖେଳାଳି ପ୍ରାୟ ୩୫ ବର୍ଷ ପର୍ଯ୍ୟନ୍ତ ତାହାର ଖେଳ ଜୀବନ ବିତାଇ ପାରିବ । ପାରମ୍ପରିକ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ୩୫ ବର୍ଷୀୟ ବ୍ୟକ୍ତିମାନଙ୍କ ପାଇଁ ଭର୍ତ୍ତି ହେବାର ସୁଯୋଗ ନ ଥାଏ । ଏକ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ସେଇ ସୁଯୋଗ ସୃଷ୍ଟି କରିବାକୁ ହେବ । ସେମାନଙ୍କ ପାଇଁ ମଧ୍ୟ ବୟସ୍କ-ଉପଯୋଗୀ କୌଶଳର ବ୍ୟବସ୍ଥା କରିବାକୁ ହେବ । ତାହା ସଙ୍ଗେ ସଙ୍ଗେ ତାଲିମ ପରେ ସେମାନେ ଯେପରି ଆତ୍ମନିଯୁକ୍ତ ହୋଇପାରିବେ ସେଥିପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବା ଉଚିତ । ସେଥିରେ ବ୍ୟାଙ୍କମାନଙ୍କର ଏକ ସ୍ବତନ୍ତ୍ର ଯୋଜନା ରହିବା ଉଚିତ । ସେବାନିବୃତ୍ତ ସୈନିକମାନଙ୍କ ପାଇଁ ଯେଭଳି ସେନା ବୋର୍ଡ ଗଠିତ ହୋଇଛି, ଖେଳାଳୀମାନଙ୍କ ପାଇଁ ସେହିଭଳି ଏକ ବୋର୍ଡ ଗଠନ କରି ମଧ୍ୟବୟସ୍କ ଖେଳାଳୀମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କଲେ ତାହା ହଜାର ହଜାର ଖେଳାଳିଙ୍କୁ ଜୀବିକା ଅର୍ଜନ କରିବାରେ ସହାୟକ ହେବ । ଏହା କ୍ରୀଡ଼ା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ପାରିବ ।
ବି.ଦ୍ର. :- ଉକ୍ତ ବୋର୍ଡ ଯଦି ଗଠିତ ହୁଏ ତେବେ ତାହା ସେବାନିବୃତ୍ତ ସରକାରୀ କର୍ମଚାରୀ ବା ରାଜନୈତିକ ବ୍ୟକ୍ତିଙ୍କର ଥଇଥାନ କେନ୍ଦ୍ର ନ ହେବା ଉଚିତ ।
