ଜନଜାଗରଣ ଅଭିଯାନ ପକ୍ଷରୁ ଗତ ଅଗଷ୍ଟ ୩୦ ତାରିଖ ୨୦୨୬ ଦିନ ଏକ ଆନ୍ତଃ-କଲେଜ ପ୍ରତିଯୋଗିତା କରାଯାଇଥିଲା, ଯାହାର ଶୀର୍ଷକ ଥିଲା ‘ନୂଆ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଭୂମିକା’ । ଭୁବନେଶ୍ବରର ୧୦ଟି ପ୍ରମୁଖ କଲେଜ – ଯଥା ବିଜେବି, ବେସିକ ସାଇନ୍ସ, ଏକାମ୍ର ଇତ୍ୟାଦିର ଛାତ୍ରଛାତ୍ରୀମାନେ ସେମାନଙ୍କର ମତାମତ ପରିବେଷଣ କରିଥିଲେ । ସେଦିନ ସକାଳୁ ପାଣିପାଗର ପୂର୍ବାନୁମାନ ଥିଲା ଭୟଙ୍କର ବର୍ଷା । ମନରେ ଟିକିଏ ଶଙ୍କା ଥିଲା ପିଲାମାନେ ଆସିପାରିବେ କି ନାହିଁ । ସମସ୍ତ ଶଙ୍କାକୁ ଭୁଲ ପ୍ରମାଣିତ କରି ପ୍ରତିଯୋଗୀମାନେ ଠିକ ସମୟରେ ପହଞ୍ଚିଥିଲେ ନିର୍ଦ୍ଦିଷ୍ଟ ସ୍ଥଳରେ ଓ ଅତ୍ୟନ୍ତ ଆଗ୍ରହର ସହ ନିଜ ନିଜ ଟିମର ବକ୍ତବ୍ୟ ରଖିଥିଲେ ।
ପିଲାମାନଙ୍କର ବକ୍ତବ୍ୟ ଶୁଣି ମୁଁ ଚକିତ ହେଲି। ଜେନ-ଜି ବିଷୟରେ ଯାହା ସବୁ ସମ୍ବାଦ ଆମେ ଦେଖୁ ବା ଶୁଣୁ ସେଥିରୁ ମନେ ହୁଏ ଯେ, ସେମାନେ କେବଳ ସିଷ୍ଟମକୁ ଭାଙ୍ଗିବାରେ ପାରଙ୍ଗମ, ଗଢ଼ିବାରେ ନୁହେଁ। କିନ୍ତୁ ଏହି ଧାରଣାକୁ ଭୁବନେଶ୍ବରର ଛାତ୍ରଛାତ୍ରୀମାନେ ଭୁଲ ପ୍ରମାଣିତ କରିଦେଲେ। ସେମାନେ ଜଣାଇ ଦେଲେ ଯେ, ସେମାନେ କେବଳ ପୁରୁଣା ଓଡ଼ିଶା ଭାଙ୍ଗିବାରେ ବିଶ୍ବାସ କରନ୍ତି ନାହିଁ, ସେମାନେ ନୂଆ ଓଡ଼ିଶା ଗଢ଼ିବାକୁ ଚାହାଁନ୍ତି। ସେମାନଙ୍କର କିଛି ବକ୍ତବ୍ୟ ମୁଁ ନିମ୍ନରେ ପରିବେଷଣ କରୁଛି ।
ଆମ୍ଭମାନଙ୍କ ମନରେ ଗୋଟିଏ ଧାରଣା ଅଛି ଯେ, ଆଜିକାର ଯୁବପିଢ଼ି ସହରାଭିମୁଖୀ। ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନାଇ, ଆମେରିକା, ୟୁରୋପ – ଏ ସବୁ ସ୍ଥାନରେ ସେ ଦେଖେ ତାହାର ଭବିଷ୍ୟତ। କିନ୍ତୁ ଆମ ରାଜଧାନୀର ଯୁବପିଢ଼ି କହନ୍ତି ଯେ ସେମାନଙ୍କ ପାଇଁ ବିକାଶ କହିଲେ ଓଡ଼ିଶାର ବିକାଶ ବୁଝାଏ, ନିଜ ମାଟିର, ନିଜ ଗାଁ’ର । ପୁଣି ସେମାନେ କୁହନ୍ତି, ‘ଓଡ଼ିଶାର ବିକାଶ କହିଲେ କେବଳ ଭୁବନେଶ୍ବରର ବିକାଶ ନୁହେଁ । ମାଲକାନଗିରିଠାରୁ ମୟୂରଭଞ୍ଜ ପର୍ଯ୍ୟନ୍ତ, ଆଦିବାସୀଠାରୁ ସହରବାସୀ ପର୍ଯ୍ୟନ୍ତ, ସମସ୍ତଙ୍କ ବିକାଶ ହିଁ ପ୍ରକୃତ ବିକାଶ। ଯେ ପର୍ଯ୍ୟନ୍ତ କିଛି ଅଞ୍ଚଳ ବା କିଛି ବର୍ଗ ଅନୁନ୍ନତ ହୋଇ ରହିଥିବେ ସେ ପର୍ଯ୍ୟନ୍ତ ଆମେ ନିଜକୁ ବିକଶିତ ବୋଲି କହି ପାରିବା ନାହିଁ । ଏକ ସନ୍ତୁଳିତ, ସମନ୍ବିତ, ସାମଗ୍ରିକ ବିକାଶ ପାଇଁ ସେମାନେ ଆଗ୍ରହୀ ।
ସେମାନଙ୍କର ବିକାଶର ସଂଜ୍ଞାରେ ରହିଛି କୁସଂସ୍କାର ବିରୁଦ୍ଧରେ ଅଭିଯାନ, ନିଶା ବିରୁଦ୍ଧରେ ଅଭିଯାନ, ନାରୀ ସୁରକ୍ଷା ପାଇଁ ଅଭିଯାନ ା ଯେଉଁଥି ପାଇଁ ଆବଶ୍ୟକ ସମଗ୍ର ସମାଜର ସମ୍ପୃକ୍ତି । ଏହା କେବଳ ସ୍ଳୋଗାନରେ ସୀମିତ ହୋଇ ରହିବା ଉଚିତ ନୁହେଁ । ସେଥିପାଇଁ ଆବଶ୍ୟକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ । ସେ କାର୍ଯ୍ୟକ୍ରମରେ ସେ ଭାଗ ନେବାକୁ ଚାହେଁ ।
ସେମାନେ ସମସ୍ତେ ପ୍ରଚଣ୍ଡ ଭାବରେ ସ୍ବାଭିମାନୀ। ଜଗତର ନାଥ ଜଗନ୍ନାଥଙ୍କର ମହିମା ସେମାନଙ୍କ ପାଇଁ ଗୌରବର ପ୍ରତୀକ । ଓଡିଆ ଭାଷ।, ସଂସ୍କୃତି, ସାହିତ୍ୟ, କଳା, ଭାସ୍କର୍ଯ୍ୟ, ଓଡ଼ିଶାର ହସ୍ତଶିଳ୍ପ – ଏ ସବୁକୁ ନେଇ ସେମାନେ ଗର୍ବିତ । କେବଳ ସେତିକି ନୁହେଁ ଏହାକୁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ବିଶ୍ବ ଦରବାରରେ ପହଞ୍ଚାଇବା ସେମାନଙ୍କର ଲକ୍ଷ୍ୟ ।
ଆଜିକାର ଜେନ- ଜି ‘ବିକାଶ’ କହିଲେ କ’ଣ ବୁଝନ୍ତି ? ଉତ୍ତର ଶୁଣିଲେ ଆପଣମାନେ ବିସ୍ମିତ ହେବେ। ସେମାନେ ଘୋଷଣା କରନ୍ତି ଯେ ବିକାଶ ସରକାରଙ୍କର ପ୍ରଦତ୍ତ ବିକାଶ ନୁହେଁ, ଯୋଜନା ପ୍ରଣୀତ ବିକାଶ ବିକାଶ ନୁହେଁ । ସେମାନେ କୁହନ୍ତି, ବିକାଶ କହିଲେ ସେହି ବିକାଶ ଯାହାକି ସେମାନେ ନିଜେ ସମାଜ ପାଇଁ ସୃଷ୍ଟି କରିବେ । ସେଥିପାଇଁ ସେମାନଙ୍କ ନିକଟରେ ପନ୍ଥା ମଧ୍ୟ ଅଛି, ଶୁଣନ୍ତୁ ।
ବିକାଶ ପାଇଁ ପ୍ରାଥମିକ ଆବଶ୍ୟକତା ହେଉଛି ଶିକ୍ଷା । ସେମାନଙ୍କ ଦୃଷ୍ଟିରେ ଶିକ୍ଷା କାହାକୁ ବୁଝାଏ ? ଶିକ୍ଷା କେବଳ ପରୀକ୍ଷା ସଂସ୍କାର ନୁହେଁ, କେବଳ ଡିଗ୍ରୀ ପ୍ରଦାନକାରୀ ବ୍ୟବସ୍ଥା ନୁହେଁ । ଶିକ୍ଷା ଏକ ପନ୍ଥା ଯାହା ଦ୍ବାରା ସେମାନେ ସେମାନଙ୍କର ଭବିଷ୍ୟତ ଗଢ଼ି ପାରିବେ । ସେଥିପାଇଁ ଜ୍ଞାନର ଅନୁସନ୍ଧାନ, ଗବେଷଣା, କୃତ୍ରିମ ବୁଦ୍ଧିମତ୍ତା – ଏ ସବୁର ପ୍ରୟୋଜନ ତ ଆବଶ୍ୟକ । କିନ୍ତୁ ଶିକ୍ଷାର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଲା ଛାତ୍ରଛାତ୍ରୀମାନଙ୍କୁ କୌଶଳ ଓ ଦକ୍ଷତା ଯୋଗାଇବା ଉଚିତ, ଯାହାକି ସେମାନଙ୍କର ଜୀବିକା ଅର୍ଜନ ପାଇଁ ସହାୟକ ହେବ । ସେ ଦିଗରେ ପିଲାମାନଙ୍କୁ ବାଲ୍ୟ କାଳରୁ ଆକୃଷ୍ଟ କରାଯିବା ଉଚିତ ।
ଆମେ ଭାବୁ ଯେ, ଛାତ୍ରଛାତ୍ରୀମାନେ କେବଳ ସରକାରୀ ଚାକିରି ପାଇଁ ବ୍ୟଗ୍ର । ଗୋଟିଏ ସରକାରୀ ଚାକିରି ପାଇଁ ଲକ୍ଷ ଲକ୍ଷ ଦରଖାସ୍ତ ଦେଖି ସେଭଳି ଧାରଣା ହେବା ସ୍ବାଭାବିକ । କିନ୍ତୁ ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ସେମାନଙ୍କର ଉତ୍ତର ହେଲା, ‘ଯେଉଁ ମାଟି ବକ୍ସି ଜଗବନ୍ଧୁଙ୍କୁ ଦେଇଛି, ମଧୁସୂଦନଙ୍କୁ ଦେଇଛି, ଗୋପବନ୍ଧୁଙ୍କୁ ଦେଇଛି, ସେହି ମାଟିର ଯୁବପିଢ଼ି କ’ଣ କେବଳ ଚାକିରି ପଛରେ ଦୌଡ଼ିବ ?’ ସେମାନେ ଚାକିରି ପଛରେ ଦୌଡିବାକୁ ଚାହାନ୍ତି ନାହିଁ । ସେମାନେ ଚାକିରି ସୃଷ୍ଟି କରିବାକୁ ଚାହାନ୍ତି। ଅନନ୍ୟୋପାୟ ହୋଇ ସେ ଦାଦନ ଖଟିବାକୁ ଚାହେଁ ନାହିଁ। ଚାକିରି ସୃଷ୍ଟି କରିବା ପାଇଁ କ’ଣ ଆବଶ୍ୟକ ତାହାର ଉପାୟ ମଧ୍ୟ ସେମାନେ ଚିନ୍ତା କରିଛନ୍ତି । ସେମାନେ ଅନୁଭବ କରିଛନ୍ତି ଯେ, ଓଡ଼ିଶାକୁ ପ୍ରଗତି କରିବାକୁ ହେଲେ ତାକୁ ସ୍ବାବଲମ୍ବୀ ହେବାକୁ ହେବ । ଯେଉଁଠି ଏତେ ସମ୍ଭାବନା ରହିଛି ସେଇଠି ଅନ୍ୟ ରାଜ୍ୟ ଉପରେ ଏତେ ନିର୍ଭରଶୀଳ ହୋଇ ରହିବାର ଆବଶ୍ୟକତା କେଉଁଠି ? ସ୍ବାବଲମ୍ବୀ ହେବା ପାଇଁ ସେମାନେ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି ।
ପ୍ରଥମଟି ହେଲା କୃଷି । ଆମେ ଭାବୁ ଯେ, ଆଜିକାର ଯୁବପିଢ଼ି କୃଷି ପ୍ରତି ବିମୁଖ । ତାହା ସତ୍ୟ ନୁହେଁ । ସେମାନେ ଜାଣନ୍ତି ଯେ, ଓଡ଼ିଶାର କୃଷି ଗତାନୁଗତିକ, ପାରମ୍ପରିକ ହୋଇ ରହି ଯାଇଛି । ବର୍ଷା ପରେ ଓଡ଼ିଶାର ଜମି ପଡ଼ିଆ ରହେ । ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇ ପାରିବ। ପ୍ରଯୁକ୍ତି ବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ଆଦିକୁ ବ୍ୟବହାର କରି ଦେଶ ବିଦେଶରେ ଆମର କୃଷିଜାତ ଦ୍ରବ୍ୟ ଗ୍ରାହକମାନଙ୍କ ଘରେ ପହଞ୍ଚା ଯାଇପାରିବ । ଅଭାବୀ ବିକ୍ରିକୁ ଦୂର କରାଯାଇ ପାରିବ । କେବଳ ଶସ୍ୟ ଉତ୍ପାଦନ ନୁହେଁ, ଗୋପାଳନ, ଦୁଗ୍ଧଜାତ ଦ୍ରବ୍ୟ, ଖାଦ୍ୟ ପ୍ରକ୍ରିୟାକରଣ – ଏ ସବୁ ହେଉଛି କୃଷିର ଭବିଷ୍ୟତ ଓ ଯୁବପିଢ଼ି ସେଥିପ୍ରତି ବିମୁଖ ନୁହେଁ ।
ଶିଳ୍ପ ଦ୍ବାରା ଓଡ଼ିଶାର ବିକାଶ ହେବ, ଏଥିରେ ଦ୍ବିମତ ନାହିଁ । ପ୍ରତି ବର୍ଷ ସରକାର ରାଜ୍ୟର ଅର୍ଥନୀତିର ଚିତ୍ର ପରିବେଷଣ କରି ଆସୁଛନ୍ତି। ପ୍ରଗତିର ଚିତ୍ର । ଓଡ଼ିଶାରେ ଅନେକ ବୃହତ ଶିଳ୍ପପତି ଆସି ପୁଞ୍ଜି ନିବେଶ କରୁଛନ୍ତି, ତାହା ସେ ଜାଣେ । କିନ୍ତୁ ତା’ର ପ୍ରଶ୍ନ, ‘ଏଥିରୁ ଓଡ଼ିଶାର ଯୁବକମାନେ କେତେ ଲାଭାନ୍ବିତ ?’ ସେ ଜାଣେ ଯେ, ଶିଳ୍ପାୟନ ଫଳରେ ଓଡ଼ିଶାର ଅର୍ଥନୈତିକ ବିକାଶ ହେଉଛି, ଓଡ଼ିଶା ରାଜ୍ୟର ଉତ୍ପାଦ ବଢ଼ୁଛି। କିନ୍ତୁ ସେ ସେଥିରେ ସନ୍ତୁଷ୍ଟ ନୁହେଁ । ଓଡ଼ିଶାର ଯୁବପିଢ଼ି ଏହି ଶିଳ୍ପାୟନରେ କେବଳ ଚାକିରି ଖୋଜେ ନାହିଁ, ସେ ଚାହେଁ ଶିଳ୍ପାୟନରେ ଭାଗ ନେବା ପାଇଁ । ସେ ଚାହେଁ ଯେ, ଶିଳ୍ପାୟନର ଲାଭ ଓଡ଼ିଶାର ଯୁବ ସମାଜକୁ ମିଳୁ ।
ଏହି ପରିପ୍ରେକ୍ଷୀରେ ଜାଭିୟର ୟ୍ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଏକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ନେଇ ଆସିଥିଲେ। ତାହା ଥିଲା ବର୍ଜ୍ୟରୁ ବିଭବ ସୃଷ୍ଟି । ସେମାନଙ୍କର ଅନୁଧ୍ୟାନ ଥିଲା ଯେ, ୮୩ଟି ସ୍ଥାନରେ ପାହାଡ଼ ପରି ବର୍ଜ୍ୟବସ୍ତୁ ଜମା ହୋଇ ରହିଛି ଯାହାର ପରିମାଣ ହେଉଛି ୪୩ ଲକ୍ଷ ଟନ। ଏହାକୁ ଯଦି ଠିକ ଭାବରେ ବ୍ୟବହାର କରାଯାଏ ତେବେ ତାହା ୬୦୦୦ କୋଟି ଟଙ୍କାର ସମ୍ପଦ ସୃଷ୍ଟି କରିପାରିବ । ଏହାର ସଦ୍ବ୍ୟବହାର କରିବେ ଓଡ଼ିଶାର ଯୁବ ସମ୍ପ୍ରଦାୟ ।
ଓଡ଼ିଶାର ପ୍ରାକୃତିକ ବିଭବ ତା ପାଇଁ ଅଜଣା ନୁହେଁ। କିନ୍ତୁ ସେ ସେଗୁଡ଼ିକ ଅବିଚାରିତ ଭାବରେ ବ୍ୟବହାର କରିବାକୁ ଚାହେଁ ନାହିଁ । ପରିବେଶ ସହ ସନ୍ତୁଳନ ରକ୍ଷା କରି ପ୍ରାକୃତିକ ସମ୍ପଦ କୁ ବ୍ୟବହାର କରିବା ପାଇଁ ସେ ଆଗ୍ରହୀ । ଓଡ଼ିଶାର ପର୍ଯ୍ୟଟନ, ବନସମ୍ପଦ, ଜଳସମ୍ପଦ ଏ ସମସ୍ତ ବିଷୟରେ ସେ ସମ୍ପୂର୍ଣ୍ଣ ଭାବରେ ଅବଗତ । ଓଡ଼ିଶା ଯେ ସମ୍ଭାବନାରେ ପରିପୂର୍ଣ୍ଣ ତାହା ସେ ଜାଣେ । ସେ ସମସ୍ୟା ଭିତରୁ ସମ୍ଭାବନା ଆବିଷ୍କାର କରିବାକୁ ଚାହେଁ। ତେବେ ତାହା କ’ଣ ଏକ କଳ୍ପନା ମାତ୍ର ? ଉକ୍ତ କଳ୍ପନାକୁ ରୂପ ଦେବା ପାଇଁ ସେ କ’ଣ ଚିନ୍ତା କରିଛି ?
ସାଧାରଣତଃ ଯେ କୌଣସି ସମସ୍ୟା ଉତ୍ପନ୍ନ ହେଲେ ଆମେ ମନେ କରୁ ତା’ର ସମାଧାନର ଦାୟିତ୍ବ ସରକାରର । କିନ୍ତୁ ଆଜିକାର ଯୁବପିଢ଼ି ମନେ କରେ ଯେ, ସବୁ ସମସ୍ୟାର ସମାଧାନ ସରକାର ପାଖରେ ନାହିଁ । ସବୁ ସମସ୍ୟା ପାଇଁ ସରକାରକୁ ଦୋଷ ଦେଇ ଦାୟିତ୍ବ ଶେଷ କରିବାକୁ ସେ ଚାହେଁ ନାହିଁ । ‘ଯଦି ଜଣେ ଯୁବକ ତା ଅଞ୍ଚଳର ସମସ୍ୟା ସମାଧାନ କରିବା ଦାୟିତ୍ବ ନିଏ, ତେବେ ସମଗ୍ର ରାଜ୍ୟର ସମସ୍ୟା ଗୁଡିକର ସମାଧାନ ସହଜ ହୋଇଯିବ’ ।
ରାଜନୀତି ବିଷୟରେ ସେମାନଙ୍କର ମତ ହେଉଛି ଯୁବକ ଯୁବତୀମାନେ ରାଜନୀତି ଠାରୁ ଦୂରେଇ ଯିବା ଉଚିତ ନୁହେଁ। ଯେଉଁମାନେ ଭୋଟ କିଣି ରାଜନୀତି କରନ୍ତି ସେମାନଙ୍କୁ ଜନସାଧାରଣ ଭଲ ଭାବରେ ପରଖିବା ଉଚିତ । କାରଣ ସରକାରକୁ ବଦଳାଇ ଦେବାର କ୍ଷମତା ଯୁବଶକ୍ତିଙ୍କ ପାଖରେ ଅଛି । ସେ ଅପେକ୍ଷା କରେ ନାହିଁ । ସେ କିଛି କରିବାକୁ ଚାହେଁ ।
ଯୁବଗୋଷ୍ଠୀର ଏ ସମସ୍ତ ଚିନ୍ତାଧାରାକୁ ଲକ୍ଷ୍ୟ କଲେ ଆମେ ଏଇ ନିର୍ଯ୍ୟାସରେ ଉପନୀତ ହେବା ଯେ, ଆମ ଭଳି ପ୍ରୌଢ଼ମାନେ ସେମାନଙ୍କୁ ଠିକ ଭାବରେ ଚିହ୍ନିନାହୁଁ । ଆଜିର ଯୁବପିଢ଼ି କେବଳ ଏକ କ୍ରୋଧର ବହ୍ନି ନୁହଁ, ସେ ହେଉଛି ଏକ ଦିବ୍ୟ ଆଲୋକର ମଶାଲ । ତା ମନରେ ଅସୁମାରି ଆଶା ରହିଛି । କିନ୍ତୁ ସେ କେବଳ ସ୍ବପ୍ନ ଦେଖେନା । ସେହି ସ୍ବପ୍ନକୁ କିଭଳି ଭାବରେ ସାକାର କରିବାକୁ ହେବ ସେ ବିଷୟରେ ମଧ୍ୟ ଚିନ୍ତା କରେ । ସେ ଅନଭିଜ୍ଞ ହୋଇପାରେ, ତା ନିକଟରେ ସବୁ ସମାଧାନର ବାଟ ନ ଥାଇପାରେ, କିନ୍ତୁ ବାଟ ଖୋଜିବା ପାଇଁ ସେ ଗୋଡ଼ ଟେକି ବସିଛି ।
ତାହାର ଏଇ ସୃଜନୀ ଶକ୍ତିର ଯଦି ଆମେ ସୁବ୍ୟବହାର କରି ନ ଜାଣୁ, ତେବେ ଦୋଷ ଅଭିଭାବକମାନଙ୍କର, ଶିକ୍ଷାନୁଷ୍ଠାନମାନଙ୍କର, ସରକାରଙ୍କର, ରାଜନୈତିକ ଦଳମାନଙ୍କର, ସମାଜର ।
ଆସନ୍ତା ସପ୍ତାହରେ ସେ ବିଷୟରେ ଅଧିକ ଆଲୋଚନା କରିବା ।
