ଯେତେବେଳେ ଯନ୍ତର ମନ୍ତରରେ ହଜାର ହଜାର ଯୁବକ ଯୁବତୀ ସ୍ବତଃ ପହଞ୍ଚି ଯାଇ କେନ୍ଦ୍ର ସରକାରକୁ ଆଣ୍ଠେଇ ଦେଲେ, ସେତେବେଳେ ସମସ୍ତେ କହିଲେ ଯେ, ଆଜିକାର ଜେନ-ଜି ଏକକ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ, କ୍ରୋଧାନ୍ବିତ ପିଢ଼ି ଯାହାକି ଏକ ଶକ୍ତିଶାଳୀ ହାବେଳି ଭଳି ଯେ କୌଣସି ଦିଗରେ ଯାଇ ହାହାକାର ସୃଷ୍ଟି କରିଦେଇ ପାରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଚିତ୍ର ନୁହେଁ। ଏହା ସତ୍ୟ ଯେ ଏହି ପିଢ଼ିି ଦୁର୍ନୀତି ଓ ଅପାରଗତାକୁ ସହି ପାରେନା, ଓଜସ୍ବିନୀ ଭାଷଣ ଦ୍ବାରା ବଶୀଭୂତ ହୋଇପାରେନା, ବନ୍ଧୁକ ଗୁଳି ଦ୍ବାରା ଭୟଭୀତ ହୁଏ ନାହିଁ । କିନ୍ତୁ ଏହି ଶକ୍ତି କେବଳ ଧ୍ବଂସକାରୀ ନୁହେଁ। ଏହା ସୃଜନଶୀଳ, ଦାୟିତ୍ବସମ୍ପନ୍ନ ଓ ରଚନାତ୍ମକ। ତାକୁ ସଠିକ ଭାବରେ ବ୍ୟବହାର କରିବା ସମାଜର ଦାୟିତ୍ବ। କେବଳ ସେମାନଙ୍କୁ ‘ଦେଶର ଭବିଷ୍ୟତ’ ବୋଲି କହି ଦିଗଭ୍ରଷ୍ଟ କରି ଦିଆଯାଇ ପାରିବ ନାହିଁ । ସେମାନଙ୍କ ପାଇଁ ଆବଶ୍ୟକ ଏକ ଏଜେଣ୍ଡ। । ଆଜି ସେହି ବିଷୟରେ ଆଲୋଚନା କରିବା ।
ଯୁବପିଢ଼ି ପାଇଁଏଜେଣ୍ଡା କ’ଣ ? ନିକଟରେ ଭୁବନେଶ୍ବରଠାରେ ଅନୁଷ୍ଠିତ ଆଲୋଚନାଚକ୍ର ‘ନୂଆ ଓଡ଼ିଶା ଗଠନରେ ଯୁବପିଢ଼ିର ଭୂମିକାରେ’ ଯୁବ ପ୍ରତିଯୋଗୀମାନେ ଏ ବିଷୟରେ ସେମାନଙ୍କର ମତାମତ ବ୍ୟକ୍ତ କରି ସାରିଛନ୍ତି । ସେମାନଙ୍କର ଏଜେଣ୍ଡାରେ ପ୍ରଥମ ସ୍ଥାନ ଅଧିକାର କରେ ନିଯୁକ୍ତି ।
ଆଜି ଯଦି ସେ କ୍ଷୁବ୍ଧ ତାହାର କାରଣ ହେଲା ତା’ର ନିଯୁକ୍ତି ପଥରେ ସରକାର ଅନେକ ଅନ୍ତରାୟ ସୃଷ୍ଟି କରିଛନ୍ତି । ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷାର ମାନ ଏଭଳି ଭାବରେ ନିମ୍ନମୁଖୀ ହୋଇଗଲାଣି ଯେ, ବିନା କୋଚିଂରେ ପରୀକ୍ଷା ଦେବା ସମ୍ଭବ ନୁହେଁ । ସେଥିପାଇଁ ଅନେକ ଅର୍ଥ ଆବଶ୍ୟକ ଯେଉଁଥିପାଇଁ ବାପ ମା’ଙ୍କର ସାହାଯ୍ୟ ଆବଶ୍ୟକ, ଯାହା କି ସେ ନେବାକୁ ଲଜ୍ଜିତ ।
ଏତେ ସବୁ ପରେ ପରୀକ୍ଷା ଠିକ ସମୟରେ ହେଉ ନାହିଁ। ଯଦି ହେଉଛି ତେବେ ପ୍ରଶ୍ନପତ୍ର ଲିକ ହୋଇ ଯାଉଛି । ବର୍ଷ ବର୍ଷର ପ୍ରସ୍ତୁତି ପରେ ହଠାତ ପରୀକ୍ଷା ବାତିଲ ହୋଇ ଯାଉଛି । ପୁଣି କେବେ ପରୀକ୍ଷା ହେବ ତାହାର କୌଣସି ନିଶ୍ଚିତତା ନାହିଁ । ସିବିଆଇ ତଦନ୍ତ ନାଁ ରେ ଦିନ ପରେ ଦିନ ଅତିକ୍ରାନ୍ତ ହୋଇ ଚାଲିଛି । ଇତି ମଧ୍ୟରେ ସେମାନଙ୍କର ବୟସ ଗଡ଼ି ଚାଲିଛି ।
ଆଜି ଜେନ-ଜି ର ଦାବି ହେଉଛି ନିଯୁକ୍ତି, ନିଯୁକ୍ତି ଓ ନିଯୁକ୍ତି । ଏହି ନିଯୁକ୍ତି ପାଇଁ ସେ ଅନ୍ୟ ରାଜ୍ୟରେ ଯାଇ ହାତ ପତାଇବାକୁ ଚାହେଁ ନାହିଁ । ସେ ଦାଦନ ପ୍ରଥାର ଘୋର ବିରୋଧୀ । ତା’ ପାଇଁ ଆବଶ୍ୟକ ନିଜ ରାଜ୍ୟରେ ନିଯୁକ୍ତି ସୁଯୋଗ । ସେଥିପାଇଁ ସରକାରଙ୍କ ନିକଟରେ କ’ଣ ଉତ୍ତର ଅଛି ? ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ପ୍ରତିଶୃତି ଦିଅନ୍ତି । ନିର୍ବାଚନ ପରେ ବହୁ ଆଡ଼ମ୍ବର ସହ ପୁଞ୍ଜି ନିବେଶ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୁଏ । ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ଘୋଷଣା ହୁଏ । କିନ୍ତୁ ଅବସ୍ଥାରେ ପରିବର୍ତ୍ତନ ଦେଖାଯାଏ ନାହିଁ । ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ ଏହି ସମସ୍ୟା ଆହୁରି ଉତ୍କଟ । ନିଯୁକ୍ତିର ଆଜିକାର ରୂପ ହେଉଛି ମୋଟର ସାଇକେଲରେ ବସିଥିବା ‘ଡେଲିଭରି ବୟ’ର ଯାହା ପାଇଁ ନା ଅଛି ଖରା ନା ବର୍ଷା । ନା ସାମାଜିକ ସୁରକ୍ଷା, ନା ସାମାଜିକ ସ୍ବିକୃତି । ଏହି ନିଯୁକ୍ତି ସୃଷ୍ଟି କରି ନାହାନ୍ତି କୌଣସି ସରକାର । ଏହା ବଜାର ସୃଷ୍ଟ । ମନେ ରଖିବାକୁ ହେବ ଯେ,ବଜାର ଅର୍ଥନୀତି ଅତ୍ୟନ୍ତ କଠୋର ଓ ନିର୍ଦ୍ଦୟ । ଆସନ୍ତା କାଲି ଯେ, ଏହା ସଙ୍କୁଚିତ ହୋଇ ନ ଯିବ ବା ଉଭେଇ ନ ଯିବ ତାହାର କୌଣସି ନିର୍ଭରଯୋଗ୍ୟତା ନାହିଁ । ଏକ ସ୍ଥାୟୀ, ସମ୍ମାନଜନକ, ଲାଭପ୍ରଦ ନିଯୁକ୍ତିଭିତ୍ତିକ ଅର୍ଥନୀତି ସୃଷ୍ଟି କରିବା ପାଇଁ ଆମ ରାଜ୍ୟ ଏ ପର୍ଯ୍ୟନ୍ତ ସଫଳ ହୋଇପାରି ନାହିଁ । ଏହା ହିଁ ଆମର ଦାରିଦ୍ର୍ୟର ମୂଳ କାରଣ । ଏହା ଆଜିକାର ଯୁବପିଢ଼ି ଭଲ ଭାବରେ ଜାଣେ ।
ଆଜିକାର ଯୁବପିଢ଼ି ଜାଣେ ନିଯୁକ୍ତି ସୁଯୋଗ କେଉଁଠି ଅଛି । ସେ ଜାଣେ ଯେ, କୃଷିକ୍ଷେତ୍ରକୁ ଅଣଦେଖା କରିବା ହିଁ ନିଯୁକ୍ତି ସଙ୍କୋଚନର ଏକ ମୁଖ୍ୟ କାରଣ । ସେ କୃଷି ପ୍ରତି ବିମୁଖ ନୁହେଁ । କୃଷିକୁ କିଭଳି ଭାବରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ା ଯାଇପାରିବ ତାହାର ଏକ ସ୍ଥୂଳ ଧାରଣା ତା’ ପାଖରେ ଅଛି । କୃଷିଜାତ ଦ୍ରବ୍ୟ ଘରେ ଘରେ ପହଞ୍ଚାଇବା ପାଇଁ ଡିଜିଟାଲ ମାର୍କେଟିଂ ଯେ ଏକ ମାଧ୍ୟମ ତାହା ମଧ୍ୟ ସେ ଜାଣେ । ପଶୁପାଳନ କ୍ଷେତ୍ରରେ ମଧ୍ୟ ପାରମ୍ପରିକ ପ୍ରଣାଳୀ ଛାଡ଼ି ଆଧୁନିକ ବିଜ୍ଞାନସମ୍ମତ ପଦ୍ଧତି ପ୍ରୟୋଗ କରିବାକୁ ସେ ଉଚ୍ଛୁକ ।
ପ୍ରଣିଧାନଯୋଗ୍ୟ ଯେ ସରକାର ବିଭିନ୍ନ ନୀତି ମାଧ୍ୟମରେ କୃଷି, ପଶୁପାଳନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ବ୍ୟବସ୍ଥା କରି ଆସୁଛନ୍ତି । କୃଷିକୁ ଶିଳ୍ପ ଢାଞ୍ଚାରେ ଗଢ଼ି ତୋଳିବା ପାଇଁ ଆପିକଲ ଭଳି ସଂସ୍ଥା ତିଆରି କରିଛନ୍ତି। ବିଭିନ୍ନ ପ୍ରକଳ୍ପ ପାଇଁ ରିହାତି ବ୍ୟବସ୍ଥା ମଧ୍ୟ କରିଛନ୍ତି । କିନ୍ତୁ ପ୍ରଶ୍ନ ହେଉଛି ଯେ, ଏ ସବୁ ସତ୍ତ୍ବେ କାହିଁକି ଆଖିଦୃଶିଆ ସଫଳତା ମିଳୁ ନାହିଁ ? ଯେ ପର୍ଯ୍ୟନ୍ତ ଏହାର ଉତ୍ତର ନ ମିଳିଛି ସେ ପର୍ଯ୍ୟନ୍ତ ଏଇ କାର୍ଯ୍ୟକ୍ରମଗୁଡ଼ିକ କେବଳ କାଗଜ କଲମରେ ସୀମିତ ହୋଇ ରହିଯିବ ।
ଏହାର ଉତ୍ତର ପାଇବାକୁ ହେଲେ ଆମକୁ କିଛି ବର୍ଷ ପଛକୁ ଫେରିବାକୁ ହେବ । ଭାରତର ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ୧୯୭୦ ଦଶକରେ ଲକ୍ଷ୍ୟ କଲେ ଯେ, ପ୍ରାୟ ୨୦ ବର୍ଷର ଯୋଜନା ପ୍ରଣଯନ ସତ୍ତ୍ବେ ଦେଶରେ ଗରିବୀ ବୃଦ୍ଧି ପାଉଛି ସିନା କମୁ ନାହିଁ । ଭାରତର କୃଷି ଓ ଶିଳ୍ପ ରେ ପ୍ରଗତି ହେବା ସତ୍ତ୍ବେ, ଅନ୍ୟ ଦେଶଗୁଡ଼ିକ ଉପରେ ନିର୍ଭରଶୀଳତା କମିବା ସତ୍ତ୍ବେ, ଦାରିଦ୍ର୍ୟ ଦୂର ହେଉ ନାହିଁ । ସେଥିପାଇଁ ସେ ଆରମ୍ଭ କଲେ ‘ଦାରିଦ୍ର୍ୟ ଦୂରୀକରଣ ଯୋଜନା’ ଯାହା ଫଳରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲକ୍ଷଲକ୍ଷ ବ୍ୟକ୍ତି ବ୍ୟାଙ୍କଗୁଡ଼ିକରୁ ଋଣ ନେଇ ନିଜସ୍ବ ବ୍ୟବସାୟ କରି ପାରିବେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କଗୁଡ଼ିକ ସହାୟତା ନ ଯୋଗାଇବାରୁ ସେ ପ୍ରଥମ କିସ୍ତିରେ ୧୪ଟି ପ୍ରମୁଖ ବ୍ୟାଙ୍କକୁ ଜାତୀୟ କରଣ କରି ଦେଲେ । ଜାତୀୟ କାରଣ କରି ଦେବା ପରେ ରିଜର୍ଭ ବ୍ୟାଙ୍କ ତରଫରୁ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଗଲା ଯେ, ସେମାନେ ସେମାନଙ୍କର ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ‘ଦାରିଦ୍ର୍ୟ ଦୂରୀକରଣ ଯୋଜନା’ ପାଇଁ ଖର୍ଚ୍ଚ କରିବେ । ଏହି କାର୍ଯ୍ୟଗୁଡ଼ିକୁ ରୂପାଯିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସ୍ତରରେ ମନ୍ତ୍ରଣାଳୟ ଓ ବିଭାଗମାନ ଖୋଲା ଗଲା। ବ୍ୟାଙ୍କମାନଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ଋଣ ଉପରେ ସବସିଡ଼ି ବ୍ୟବସ୍ଥା କରାଗଲା । ବିଭିନ୍ନ ରାଜ୍ୟ ମାନଙ୍କୁ ଟାର୍ଗେଟ ଦିଆଗଲା ।
କିଛି ବର୍ଷ ପରେ ଯେତେବେଳେ ‘ଦାରିଦ୍ର୍ୟ ଦୂରୀକରଣ ଯୋଜନା’ ଗୁଡ଼ିକର ସମୀକ୍ଷା କରାଗଲା, ସେତେବେଳେ କିମ୍ଭୂତକିମାକାର ଫଳ ନିର୍ଗତ ହେଲା । କେତେକ ଉଦାହରଣ ପ୍ରଣିଧାନଯୋଗ୍ୟ ।‘ଦାରିଦ୍ର୍ୟ ଦୂରୀକରଣ ଯୋଜନା’ରେ ହିତାଧିକାରୀମାନଙ୍କୁ କିଛି ଗାଈ ବା କିଛି ଛେଳି ଯୋଗାଇ ଦିଆଗଲା । ଉଦ୍ଦେଶ୍ୟ ଥିଲା ଯେ, ହିତାଧିକାରୀ ଜଣକ ଏହି ପଶୁ ସମ୍ପଦକୁ ବିନିଯୋଗ କରି ବ୍ୟବସାୟ ବଢ଼ାଇବେ ଓ ଅଧିକ ଲାଭ କରିବେ । ସେହି ଲାଭରୁ ସେମାନେ ବ୍ୟାଙ୍କ ଋଣ ପରିଶୋଧ କରିବେ । କାର୍ଯ୍ୟକ୍ଷେତ୍ରରେ ଦେଖାଗଲା ଯେ, ଅନେକ ହିତାଧିକାରୀ ଛେଳିଗୁଡ଼ିକ ବିକ୍ରି କରି ଦେଇଛନ୍ତି ବା ନିଜେ ଖାଇ ଦେଇଛନ୍ତି । ଗାଈ ଯୋଗାଉ ଥିବା ଦଲାଲମାନେ ବ୍ୟାଙ୍କ ଋଣ ଦେବା ପରେ ହିତାଧିକାରୀମାନଙ୍କ ନିକଟରୁ ଗାଈଗୁଡ଼ିକ ଫେରାଇ ନେଇଛନ୍ତି ଓ ସେହି ଗାଈଗୁଡ଼ିକ ଆଉ ଜଣେ ହିତାଧିକାରୀକୁ ଯୋଗାଇ ଦେଇଛନ୍ତି । ସେହି ଗାଈଟି ବାରମ୍ବାର ଖର୍ଦ୍ଦି ବିକ୍ରି ହୋଇଯାଇଛି ଓ ସରକାରୀ ସବସିଡି ଆତ୍ମସାତ ହୋଇଯାଇଛି । ବର୍ଷେ ବା ଦୁଇ ବର୍ଷ ପରେ ହିତାଧିକାରୀ ପାଖରେ ନା ଅଛି ଗାଈ ନା ଛେଳି । କେବଳ ତା ମୁଣ୍ଡରେ ବ୍ୟାଙ୍କ ଋଣର ବୋଝ ରହିଛି । ଏଣେ ବ୍ୟାଙ୍କଗୁଡ଼ିକ ଏତେ ଗୁଡ଼ିଏ ଅଚଳନ୍ତି ଆକାଉଣ୍ଟକୁ ଧରି ଟଳମଳ ଅବସ୍ଥାରେ ପହଞ୍ଚି ଯାଇଛନ୍ତି । ପରିଶେଷରେ ହିତାଧିକାରୀମାନଙ୍କ ପାଇଁ ଓ ବ୍ୟାଙ୍କଗୁଡ଼ିକ ପାଇଁ ସରକାର ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛନ୍ତି । ସମଗ୍ର ଦେଶରେ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ମାଫ କରାଯାଇଛି । ‘ଦାରିଦ୍ର୍ୟ ଦୂରୀକରଣ ଯୋଜନା’ ଗୁଡ଼ିକୁ ସମାଧି ଦିଆଯାଇଛି । ଉପରେ ବର୍ଣ୍ଣିତ ଏହି ଲମ୍ବା ଉଦାହରଣ ଦେବାର କାରଣ ହେଲା, କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତ ବର୍ଷରେ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକ ସରକାରୀ ଯୋଜନା ବିଭିନ୍ନ ଦଳର ସରକାର ସମୟରେ ପ୍ରଣଯନ କରାଯାଇଛି । ସେ ସବୁଥିରେ ସଫଳତା ଅପେକ୍ଷା ବିଫଳତାର କାହାଣି ଅଧିକ । ଏହାର କାରଣ କ’ଣ ? ଏହାର କାରଣ ଆବିଷ୍କାର ନ କଲେ ଆଜି ମଧ୍ୟ ନିଯୁକ୍ତି ସୃଷ୍ଟିକାରୀ ଯୋଜନା ବିଫଳ ହେବ ।
ଏଇ ଯୋଜନାଗୁଡ଼ିକ ବିଫଳ ହେବାର ଅନେକ କାରଣ ରହିଛି । ଗୋଟିଏ କାରଣ ହେଲା ବ୍ୟାଙ୍କଗୁଡ଼ିକ ସମୁଦାୟ ଋଣ ଟଙ୍କା ହିତାଧିକାରୀମାନଙ୍କୁ ଦେଇ ନାହାନ୍ତି। ଉଦାହରଣ ସ୍ବରୂପ, ଯଦି ଛେଳି ଋଣ ପାଇଁ ଯୋଜନା ଅନୁଯାୟୀ ୫ହଜାର ଟଙ୍କାର ବ୍ୟବସ୍ଥା କରାଯାଇ ତହିଁରୁ ସବସିଡି ଆକାରରେ ୨୦୦୦ ଟଙ୍କାର ବ୍ୟବସ୍ଥା କରାଯାଇଛି, ତେବେ ବ୍ୟାଙ୍କଗୁଡ଼ିକ ମାତ୍ର ୨୦୦୦ ଟଙ୍କା ହିତାଧିକାରୀଙ୍କୁ ଦେଇଛନ୍ତି, ବାକି ଋଣ ଟଙ୍କା ଦେଇ ହିଁ ନାହାନ୍ତି । ଫଳରେ ହିତାଧିକାରୀ ୧୦ ଟି ଛେଳି ବଦଳରେ ମାତ୍ର ୪ଟି ଛେଳି ପାଇଛି । ହିତାଧିକାରୀ ମଧ୍ୟ ୪ ଟି ଛେଳିରୁ ୨ଟି ତୁରନ୍ତ ବିକ୍ରି କରିଦେଇ ତାହାର ଦୈନନ୍ଦିନ ଖର୍ଚ୍ଚ ଉଠେଇଛି, ବା ମଦ ପିଇ ଉଡ଼ାଇଦେଇଛି । ଏଭଳି ଅନେକ କାରଣ ରହିଛି ।
କିନ୍ତୁ ଯୋଜନାଗୁଡ଼ିକ ବିଫଳ ହେବାର ଏକ ପ୍ରମୁଖ କାରଣ ହେଲା, ସେଥିପାଇଁ ହିତାଧିକାରୀମାନଙ୍କୁ ପ୍ରସ୍ତୁତ କରାଯାଇ ନାହିଁ । ଋଣ କ’ଣ ପାଇଁ ଦିଆଯାଇଛି, ତାକୁ କିଭଳି ଭାବରେ ବ୍ୟବହାର କରାଯିବ, ବ୍ୟବସାୟ ବଢ଼ିଲେ ସେଥିରୁ କେତେ ଟଙ୍କା ନିଜ ଖର୍ଚ୍ଚ ପାଇ ରଖାଯିବ, କେତେ ଟଙ୍କା ବ୍ୟାଙ୍କକୁ ପରିଶୋଧ କରାଯିବ, କେତେ ଟଙ୍କାରେ ଆହୁରି ଅଧିକ ପଶୁଧନ କିଣାଯିବ ବା ବ୍ୟବସାୟରେ ଖଟାଯିବ – ଏ ସମସ୍ତ ବିଷୟରେ ସେମାନଙ୍କୁ ଆଦୌ ଅବଗତ କରା ଯାଇ ନାହିଁ ।
ଏଇ ଉପାଖ୍ୟାନରେ ଆଜିକାର ଶିକ୍ଷିତ ଯୁବଶକ୍ତି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଲୁକ୍କାୟିତ ହୋଇ ରହିଛି । ସେ ବିଷୟରେ ଆସନ୍ତା ସପ୍ତାହରେ ଆଲୋଚନା କରିବା ।
